ସିବିଆଇ-ଇଡିର ଦୁରୁପଯୋଗ ପ୍ରସଙ୍ଗ, ସୁପ୍ରିମକୋର୍ଟରେ ପିଟିସନ ଦାଖଲ କଲେ ୧୪ ବିରୋଧୀ ଦଳ
ନୂଆଦିଲ୍ଲୀ: ସିବିଆଇ ଓ ଇଡି ଭଳି କେନ୍ଦ୍ରୀୟ ସଂସ୍ଥା ଗୁଡିକର ଦୁରୁପଯୋଗ ପ୍ରସଙ୍ଗରେ ଏକାଠି ହୋଇଛନ୍ତି ବିରୋଧୀ । ଏନେଇ କଂଗ୍ରେସ ନେତୃତ୍ବରେ ୧୪ ବିରୋଧୀ ଦଳ ଶୁକ୍ରବାର ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି । ବିରୋଧୀ ଦଳ ନେତାମାନଙ୍କ ବିରୋଧରେ ଇଡି-ସିବିଆଇର ଅପବ୍ୟବହାର କରାଯାଉଛି ବୋଲି ନିଜ ପିଟିସନରେ ସେମାନେ ଅଭିଯୋଗ କରିଛନ୍ତି । କଂଗ୍ରେସ ସହ ଆମ୍ ଆଦମୀ ପାର୍ଟି, ଡିଏମକେ, ଆରଜେଡି, ତୃଣମୂଳ କଂଗ୍ରେସ ସମେତ ୧୪ଟି ରାଜନୈତିକ ଦଳ ଏହି ପିଟିସନ ଦାୟର କରିଛନ୍ତି । ସୁପ୍ରିମକୋର୍ଟ ଏହି ଆବେଦନର ଶୁଣାଣି କରିବାକୁ ରାଜି ହୋଇଛନ୍ତି । ଏଥିପାଇଁ ଉଚ୍ଚତମ ନ୍ୟାୟାଳୟ ଏପ୍ରିଲ ୫କୁ ଦିନ ଧାର୍ଯ୍ୟ କରିଛନ୍ତି ।
ବିରୋଧୀ ଦଳ ଅଭିଯୋଗ କରିଛନ୍ତି ଯେ କେନ୍ଦ୍ର ସରକାର ସିବିଆଇ-ଇଡିର ଅପବ୍ୟବହାର କରୁଛନ୍ତି। ବିରୋଧୀ ଦଳର ନେତାଙ୍କୁ ଗିରଫ କରିବା ପାଇଁ ଇଡି ଏବଂ ସିବିଆଇକୁ ମନଇଚ୍ଛା ବ୍ୟବହାର କରାଯାଉଛି। ଦେଶରେ ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି ହୋଇଛି । ଆମେ ବିଚାରାଧୀନ ମାମଲାର ତଦନ୍ତ ପ୍ରଭାବିତ କରିବାକୁ ଚେଷ୍ଟା କରୁନାହୁଁ। କିନ୍ତୁ କେନ୍ଦ୍ରୀୟ ସଂସ୍ଥା ଗୁଡିକର ଦୁରୁପଯୋଗ ବନ୍ଦ ହେବା ଉଚିତ ବୋଲି ୧୪ ବିରୋଧୀ ଦଳ ପିଟିସନରେ ଯୁକ୍ତି କରିଛନ୍ତି ।
ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିବା ୧୪ ବିରୋଧୀ ଦଳ ମଧ୍ୟରେ କଂଗ୍ରେସ, ତୃଣମୂଳ କଂଗ୍ରେସ, ଆମ୍ ଆଦମୀ ପାର୍ଟି, ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା, ଜନତା ଦଳ ୟୁନାଇଟେଡ୍, ଭାରତ ରାଷ୍ଟ୍ର ସମିତି, ରାଷ୍ଟ୍ରୀୟ ଜନତା ଦଳ, ସମାଜବାଦୀ ପାର୍ଟି, ଶିବସେନା (ଉଦ୍ଧବ ଠାକରେ), ନ୍ୟାସନାଲ କନଫରେନ୍ସ, ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି, ସିପିଆଇ, ସିପିଏମ୍ ଏବଂ ଡିଏମକେ ରହିଛନ୍ତି ।
