ଦେଶରେ ୧୩୮୦ ଜଣଙ୍କୁ ସେବା ପାଇଁ ମିଳିବ ପୋଲିସ୍ ପଦକ
ନୂଆଦିଲ୍ଲୀ : ସ୍ୱାଧୀନତା ଦିବସ ପୂର୍ବରୁ ଶନିବାର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ପୋଲିସ୍ ପଦକ ବିଜେତାଙ୍କ ନାଁ ଘୋଷଣା କରାଯାଇଛି । ରବିବାର ସ୍ୱାଧୀନତା ଦିବସ ଅବସରରେ ଦେଶର ୧୩୮୦ ଜଣ ପୋଲିସ୍ କର୍ମଚାରୀଙ୍କୁ ସେମାନଙ୍କ ସେବା ପାଇଁ ପଦକ ମିଳିବ । ଓଡ଼ିଶା ପୋଲିସ୍ର ୬୭ଜଣଙ୍କୁ ବି ସାହସିକତା ପୋଲିସ ମେଡ଼ାଲ ମିଳିବ । ସେହିପରି ଉଲ୍ଲେଖନୀୟ ସେବା ପାଇଁ ୨ଜଣଙ୍କୁ ରାଷ୍ଟ୍ରପତି ପୋଲିସ ପଦକରେ ସମ୍ମାନିତ କରାଯିବ । ସେମାନେ ହେଲେ ଏସ୍ଆଇଡବ୍ଲ୍ୟୁର ଡିଏସ୍ପି ଉମାଶଙ୍କର ପଣ୍ଡା ଓ ଭିଜିଲାନ୍ସର କନଷ୍ଟେବଳ ଭାବଗ୍ରାହୀ ତ୍ରିପାଠୀ ।
ଓଡ଼ିଶାର ୧୧ ଜଣଙ୍କୁ ପ୍ରଂଶସନୀୟ ସେବା ପାଇଁ ମଧ୍ୟ ପୋଲିସ ମେଡାଲ ମିଳିବ । ଏହି ୧୧ ଜଣଙ୍କ ମଧ୍ୟରେ କେନ୍ଦ୍ରୀୟ ରେଞ୍ଜ ଆଇଜି ନରସିଂହ ଭୋଳ, ଯାଜପୋର ଅତିରିକ୍ତ ଏସ୍ପି ଜୟରାମ ଶିତପଥୀ, ଏଆଇଡବ୍ଲୁ ଡେପୋଟି କମାଣ୍ଡାଂଟ (ଏସଓଜି) ଅଶୋକ କୁମାର ସାହୁ, ଏଏସ୍ପି ଅମରେନ୍ଦ୍ର ପଣ୍ଡା, ବରଗଡ଼ ଡେପୋଟି ଏସ୍ପି ପ୍ରଦୀପ କୁମାର ସାହୁ, ସମ୍ବଲପୋର ଡେପୋଟି ଏସ୍ପି ତପନ କୁମାର ମହାନ୍ତି, ଭିଜିଲାନ୍ସ ଡିଭିଜନ ଭବାନୀପାଟଣା ୟୁନିଟର ଡେପୋଟି ଏସ୍ପି ସତ୍ୟବାନ ମହାନନ୍ଦ, ଇଓଡବ୍ଲ୍ୟୁ ସବ୍ ଇନସପେକ୍ଟର ସୁକାନ୍ତ କୁମାର ମହାନ୍ତି, ହାବିଲଦାର ଶେଖ ଅବିର, ଭିଜିଲାନ୍ସ କନଷ୍ଟେବଲ ଭଗବାନ ସାହୁ ଏବଂ ଓଏସଏପି ୪ର୍ଥ ବାଟାଲିୟନ(ରାଉରକେଲା)ର ସିପାହୀ ବିଶ୍ୱକର୍ମା ମୁଣ୍ଡା ରହିଛନ୍ତି । ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି, ସାହସିକତା ପାଇଁ ରାଷ୍ଟ୍ରପତି ପୋଲିସ ପଦକ ୨ ଜଣଙ୍କୁ ଓ ସାହସିକତା ପାଇଁ ପୋଲିସ୍ ପଦକ ୬୨୮ ଜଣଙ୍କୁ ମିଳିବ । ସେହିପରି ୮୮ ଜଣଙ୍କୁ ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ପୋଲିସ୍ ପଦକ ଓ ଉଲ୍ଲେଖନୀୟ ସେବା ପାଇଁ ପୋଲିସ୍ ପଦକ ୬୬୨ ଜଣଙ୍କୁ ମିଳିବ ।ଜମ୍ମୁ-କଶ୍ମୀରର ଜଣେ ପୋଲିସ୍ କର୍ମଚାରୀଙ୍କୁ ରାଷ୍ଟ୍ରପତି ପୋଲିସ୍ ପଦକ ଓ ସିଆରପିଏଫର ଜଣେ ଯବାନଙ୍କୁ ମରଣୋତ୍ତର ରାଷ୍ଟ୍ରପତି ପୋଲିସ୍? ପଦକ ମିଳିବ । ଜମ୍ମୁ-କଶ୍ମୀରରେ କାମ କରୁଥିବା ୩୯୮ ଜଣ, ନକ୍ସଲ ପ୍ରଭାବିତ ଅଂଚଳରେ କାମ କରୁଥିବା ୧୫୫ ଜଣ, ଉତର-ପୂର୍ବ ରେଞ୍ଜରେ କାମ କରୁଥିବା ୨୭ ଜଣଙ୍କୁ ସାହସିକତା ପାଇଁ ପୋଲିସ ପଦକ ମିଳିବ । ଏମାନଙ୍କ ମଧ୍ୟରେ ଜମ୍ମୁ-କଶ୍ମୀର ପୋଲିସ୍ର ୨୫୬ ଜଣ, ସିଆରପିଏଫର ୧୫୧ ଜଣ, ଆଇଟିବିପିର ୨୩ ଜଣ, ଓଡ଼ିଶା ପୋଲିସ୍ର ୬୭ ଜଣ, ମହାରାଷ୍ଟ୍ରର ୨୦ ଜଣ, ଛତିଶଗଡ଼ର ୨୦ ଜଣ ପୋଲିସ୍ କର୍ମଚାରୀ ଅଛନ୍ତି ।
