ପିଏକ୍ସଇର ୧୨୮ତମ ପ୍ରତିଷ୍ଠା ଦିବସ; ସମୂହ ପଦଯାତ୍ରା ଏବଂ ସ୍ୱଚ୍ଛତା ଅଭିଯାନ
ବାଲେଶ୍ୱର : ବାଲେଶ୍ୱର ଚାନ୍ଦିପୁର ସ୍ଥିତ ପ୍ରମାଣ ତଥା ପ୍ରାୟୋଗିକ ସ୍ଥାପନା (ପିଏକ୍ସଇ)ର ୧୨୮ତମ ପ୍ରତିଷ୍ଠା ଦିବସ ରବିବାର ପାଳନ ହୋଇଛି । ଏହି ଅବସରରେ ଏକ ସମୂହ ପଦଯାତ୍ରା ଏବଂ ସ୍ୱଚ୍ଛତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ପିଏକ୍ସଇର ନିର୍ଦ୍ଦେଶକ ତଥା ବୈଜ୍ଞାନିକ ଡିକେ ଯୋଶୀ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ସ୍ୱାସ୍ଥ୍ୟ ଏବଂ ସ୍ୱଚ୍ଛତା ଉଭୟ ମନୁଷ୍ୟ ଜୀବନ ପାଇଁ ଅପରିହାର୍ଯ୍ୟ ବୋଲି ମତବ୍ୟକ୍ତ କରିଥିଲେ ।
ଲେଫ୍ଟନାଣ୍ଟ କର୍ଣ୍ଣଲ ଗୁଣାକର ବାରିକଙ୍କ ନେତୃତ୍ୱରେ ପଦଯାତ୍ରୀମାନେ ବାଲେଶ୍ୱର ଷ୍ଟେସନ ଛକ ସ୍ଥିତ ପିଏକ୍ସଇ କାର୍ଯ୍ୟାଳୟ ପରିସରରୁ ବାହାରି ଆଇଟିଆଇ ଛକ, ସେଣ୍ଟ୍ରାଲ ସ୍କୁଲ ଛକ ଦେଇ ବାଲେଶ୍ୱର ରେଲୱେ ଷ୍ଟେସନ ନିକଟରେ ପହଞ୍ଚିଥିଲେ । ଷ୍ଟେସନ ରୋଡ଼ରେ ସ୍ୱଚ୍ଛତା ଅଭିଯାନ ସମ୍ପନ୍ନ ହୋଇଥିଲା । ଏହି ପ୍ରତିଷ୍ଠା ଦିବସ ଉପଲକ୍ଷେ ବୃକ୍ଷରୋପଣ ଏବଂ ରକ୍ତଦାନ ଶିବିର ପରି ସାମାଜିକ କାର୍ଯ୍ୟକ୍ରମ ଗୁଡ଼ିକ ଅନୁଷ୍ଠିତ ହୋଇଥିବାର ବୈଜ୍ଞାନିକ ଡ. ହିମାଂଶୁ ଶେଖର ପଣ୍ଡା ସୂଚନା ଦେଇଥିଲେ । କାର୍ଯ୍ୟକ୍ରମକୁ କର୍ଣ୍ଣଲ ସୁମନ ଦତ୍ତ, ବୈଜ୍ଞାନିକ ଅର୍କଦେବ ବାନାର୍ଜୀ, ରତ୍ନାକର ସତୁଆ ମହାପାତ୍ର, ସନ୍ତୁ ଚକ୍ରବର୍ତ୍ତୀ ଓ ପିଏକ୍ସଇର ୱାର୍କସ୍ କମିଟିର ସମସ୍ତ ସଦସ୍ୟ ପରିଚାଳନା କରିଥିବା ବେଳେ ବହୁ କର୍ମଚାରୀ ଅଂଶଗ୍ରହଣ କରିଥିଲେ ।
