୧୨ ପ୍ରକାର ଫଳରେ ମା’ ଦୁର୍ଗା ! ବାଲୁକାକଳାରେ ବିଶ୍ବବାସୀଙ୍କୁ ଶାନ୍ତି ଓ ସମୃଦ୍ଧିର ବାର୍ତ୍ତା
ପୁରୀ : ଆରମ୍ଭ ହୋଇଛି ନବରାତ୍ରୀ ପୂଜା। ମା’ଙ୍କ ଆଗମନକୁ ନେଇ ଚଳଚଞ୍ଚଳ ପୁରପଲ୍ଲୀ। ପବିତ୍ର ଦୁର୍ଗାପୂଜା ଅବସରରେ ନିଆରା ଢଙ୍ଗରେ ସମସ୍ତଙ୍କୁ ଶୁଭେଚ୍ଛା ଦେଇଛନ୍ତି ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ପୁରୀ ବେଳାଭୂମିରେ ମା’ ଦୁର୍ଗାଙ୍କ ବାଲୁକାକଳା ତିଆରି କରି ବିଶ୍ବବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
କମଳା, ସେଓ, ଅଙ୍ଗୁର, କଦଳୀ, ନଡ଼ିଆ, କାକୁଡ଼ି, ସପୁରି ଆଦି ୧୨ ପ୍ରକାର ଫଳକୁ ନେଇ ବାଲୁକା ଚିତ୍ରକଳା କରିଛନ୍ତି। ୫ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ବାଲୁକାକଳାକୁ ପୂର୍ଣ୍ଣ ରୂପ ଦେଇଛନ୍ତି। ଯାହାକି ବେଶ ଆକର୍ଷଣୀୟ ହୋଇଛି। ଏହି ଚିତ୍ରକଳାର ଉଚ୍ଚତା ୭ ଫୁଟ ରହିଥିବା ବେଳେ ଏଥିରେ ୭ଟନ ବାଲି ବ୍ୟବହାର ହୋଇଛି। ବେଳାଭୂମିରେ ଏହି ଆକର୍ଷଣୀୟ ବାଲୁକା ଚିତ୍ର କଳା ଦେଖିବାକୁ ପର୍ଯ୍ୟଟକଙ୍କ ବେଶ୍ ଭିଡ଼ ଜମିଥିଲା। ଏନେଇ ଶ୍ରୀ ପଟ୍ଟନାୟକ କହିଛନ୍ତି, ସେ ଏହି ବାଲୁକା କଳା ଜରିଆରେ ବିଶ୍ବବାସୀଙ୍କୁ ଶାନ୍ତି ଓ ସମୃଦ୍ଧିର ବାର୍ତ୍ତା ଦେଇଛନ୍ତି। ସମାଜ ସଚେତନତାର ବାର୍ତ୍ତା ବାଣ୍ଟିଛନ୍ତି।
