ଖବରଦାତାଙ୍କ ଗୋଡ଼ରେ ବେଡ଼ି ଘଟଣା : ବୁଧବାର ୧୨ ଘଣ୍ଟିଆ ନୀଳଗିରି ବନ୍ଦ ଡାକରା
ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନ ହେବା ନେଇ ସର୍ବଦଳୀୟ ବୈଠକରେ କ୍ଷୋଭ
ନୀଳଗିରି : ନୀଳଗିରିର କାର୍ଯ୍ୟରତ ସାମ୍ବାଦିକ ଲୋକନାଥ ଦଳେଇଙ୍କୁ ପୋଲିସ ମାଡ଼ ମାରିବା, ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ଗୋଡ଼ରେ ବେଡ଼ି ପକାଇବା ଅତ୍ୟନ୍ତ ନିନ୍ଦନୀୟ ଘଟଣା । ଏହି ଘଟଣା ପୋଲିସ ବିଭାଗ ପାଇଁ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛି ବୋଲି ବାଲେଶ୍ୱର ଏମ୍ପି ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କହିଛନ୍ତି ।
ସୂଚନା ରବିବାର ପୂର୍ବାହ୍ନ ୧୧ଘଟିକା ସମୟରେ ନୀଳଗିରି ଜେଲ ରୋଡ଼ ସ୍ଥିତ ସ୍ଥାନୀୟ କଲ୍ୟାଣମଣ୍ଡପ ପରିସରରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ନୀଳଗିରି ଉପଖଣ୍ଡ ସମସ୍ତ ପ୍ରତିନିଧିଙ୍କୁ ନେଇ ନୀଳଗିରି ଉପଖଣ୍ଡ କ୍ରିୟାନୁଷ୍ଠାନ କମିଟି ଗଠନ ହୋଇଛି । ଏଥିରେ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ସମତେ ବଣିକ ସଂଘ, ଓକିଲ ସଂଘ, ଅବସରପ୍ରାପ୍ତ କର୍ମଚାରୀ ସଂଘ, ବେସରକାରୀ ଅନୁଷ୍ଠାନ, ବୁଦ୍ଧିଜୀବୀ ଓ ନୀଳଗିରି ଓ ବାଲେଶ୍ୱରରୁ ଆସିଥିବା ଗଣମାଧ୍ୟମ ପ୍ରତିନିଧି ସାମିଲ ହୋଇଥିଲେ । ବୈଠକରେ ସାମ୍ବାଦିକ ସଂଘର ବରିଷ୍ଠ ସଦସ୍ୟ ରବି ରାଉତ ସଭାପତିତ୍ୱ କରିଥିବା ବେଳେ ସାମ୍ବାଦିକ ଅମରେନ୍ଦ୍ର ମହପ।।ତ୍ର ମଞ୍ଚ ପରିଚାଳନା କରିଥିଲେ । ନୀଳଗିରିର ଜଣେ କାର୍ଯ୍ୟରତ ସାମ୍ବାଦିକ ଶ୍ରୀ ଦଳେଇଙ୍କ ପ୍ରତି ଆକ୍ରୋଶମୂଳକ ଭାବେ ନୀଳଗିରି ପୋଲିସ ଯେଉଁ ନିଷ୍ଠୁର କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ତାହା ସଭ୍ୟ ସମାଜରେ ଆଦୌ ଗ୍ରହଣୀୟ ନୁହେଁ । ଶ୍ରୀ ଦଳେଇଙ୍କୁ ମିଛ ମାମଲାରେ ଗିରଫ କରିବା, ଥାନା ଭିତରେ ମାଡ଼ ମାରି ଡାକ୍ତରଖାନାରେ ଭର୍ତ୍ତି କରିବା ପରେ ପୁଣି ଗୋଡ଼ରେ ବେଡ଼ି ପକାଇବା ଏଭଳି ବର୍ବରକାଣ୍ଡକୁ ନିନ୍ଦା କରିବା ସହ ବ୍ରିଟିଶ ଶାସନକୁ ଇଙ୍ଗିତ କରୁଛି ବୋଲି ନୀଳଗିରିର ସ୍ଥାନୀୟ ବିଧାୟକ ଇଂ. ସୁକାନ୍ତ କୁମାର ନାୟକ ମତ ପ୍ରକାଶ କରିଥିଲେ । ନୀଳଗିରି ପୋଲିସ ଗଣମାଧ୍ୟମ ପ୍ରତିନିଧି ଉପରେ ବର୍ବରତାର ଆଚରଣ କରିବା ସହ ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଗଣତନ୍ତ୍ରର କଣ୍ଠରୋଧ କରିବାକୁ ପ୍ରୟାସ କରିଛି । ଆଇନଶୃଙ୍ଖଳା ରକ୍ଷା ପାଇଁ ପୋଲିସ ବ୍ୟବସ୍ଥା ଜରୁରୀ ଥିବା ବେଳେ କେତେଜଣ ଅସାଧୁ ପୋଲିସ କର୍ମଚାରୀଙ୍କ ପାଇଁ ପୋଲିସ ବିଭାଗ ବଦନାମ ମୁଣ୍ଡାଉଛି । ଏଭଳି ଅମାନୁଷିକ ସମ୍ପୃକ୍ତ ପୋଲିସ ଅଧିକାରୀଙ୍କୁ ବଦଳି ଅପରାଧକୁ ପ୍ରୋତ୍ସାହନ ଦେବା ସହିତ ସମାନ । ତେଣୁ ସଂପୃକ୍ତ ପୋଲିସ ଅଧିକାରୀଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରିବାକୁ ଏହି ସର୍ବଦଳୀୟ ବୈଠକରେ ଗୃହିତ ହୋଇଥିଲା । ଏହା ସହ ଆହତ ଓ ଚିକିତ୍ସାଧୀନ ସାମ୍ବାଦିକ ଶ୍ରୀ ଦଳେଇଙ୍କ ବିରୁଦ୍ଧରେ ଆଗତ ସମସ୍ତ ମିଥ୍ୟା ମାମଲାକୁ ତୁରନ୍ତ ପ୍ରତ୍ୟାହାର କରିବା, ତାଙ୍କର ପରିବାରକୁ ୧୦ଲକ୍ଷ ଟଙ୍କା କ୍ଷତିପୂରଣ ଦେବା, ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବା, ସାମ୍ବାଦିକମାନଙ୍କୁ ସୁରକ୍ଷା ପ୍ରଦାନ ପାଇଁ ରାଜ୍ୟ ସରକାର ବିଧିବଦ୍ଧ ବ୍ୟବସ୍ଥା ଗ୍ରହଣ ନିମନ୍ତେ ବୈଠକରେ ସର୍ବସମ୍ମତ ପ୍ରସ୍ତାବ ଗୃହିତ ହୋଇଛି । ଆସନ୍ତା ମଙ୍ଗଳବାର ସୁଦ୍ଧା ଉପରୋକ୍ତ ଦାବୀଗୁଡ଼ିକ ପୁରଣ ନ ହେଲେ ନୀଳଗିରି ଉପଖଣ୍ଡ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୧୩ ତାରିଖ ବୁଧବାର ଦିନ ୧୨ଘଣ୍ଟିଆ ନୀଳଗିରି ଉପଖଣ୍ଡ ଅଞ୍ଚଳରେ ସମ୍ପୂର୍ଣ୍ଣ ବନ୍ଦ ପାଳନ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ପରବର୍ତ୍ତୀ ପର୍ଯ୍ୟାୟରେ ଏହି ଆନ୍ଦୋଳନକୁ ଅଧିକ ତୀବ୍ର କରାଯିବ । ବୈଠକରେ ପୂର୍ବତନ ବିଧାୟକ ଅକ୍ଷୟ କୁମାର ଆଚାର୍ଯ୍ୟ, ଚିତରଂଜନ ଷଡ଼ଙ୍ଗୀ, ପ୍ରଦୀପ୍ତ ପଣ୍ଡା, ନୀଳଗିରିର ରାଣୀ ସାହେବା ମନୋଜା ମଂଜରୀ ଦେବୀ, ବିଜେଡି ରାଜ୍ୟ ଯୁଗ୍ମ ସମ୍ପାଦକ ତଥା ଜିଲା ପରିଷଦ ସଭ୍ୟ ଗତିକୃଷ୍ଣ ନନ୍ଦ, ଜିଲା ଯୁବ ବିଜେଡି ସଭାପତି ତାପସ ପରିଡ଼ା, ବିଜେଡି ନଗର ସଭାପତି ରବୀନ୍ଦ୍ରନାଥ ପରିଡ଼ା, ସିପିଆଇଏମ୍ ନେତା ବିଜୟ ପାତ୍ର, ସିପିଆଇ ନେତା କମଳାକାନ୍ତ ବାରିକ, ନୀଳଗିରି କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ମନୋରଂଜନ ପଣ୍ଡା, ଭାଜପା ନେତା ଗଙ୍ଗାଧର ମିଶ୍ର, ମନୋରଜଂନ ବେହେରା, ବଣିକ ସଂଘ ପ୍ରତିନିଧି ମନ୍ମଥ କୁମାର ଦାସ, ଆପ୍ ନେତା ଅମିତ ଦାସ ମହାପାତ୍ର, ଫ୍ୟାଟଲକ୍ସ କ୍ଲବର ସଭାପତି ଉଦୟଜ୍ୟୋତି ମହାନ୍ତି, ଉତ୍କଳ ସାମ୍ବାଦିକ ସଂଘର ଜିଲ୍ଲା ସଭାପତି ବ୍ରହ୍ମାନନ୍ଦ ସ୍ୱାଇଁ, ଏନଏସି ଅଧ୍ୟକ୍ଷାଙ୍କ ପ୍ରତିନିଧି ଶରତ ଚନ୍ଦ୍ର ଦାସ, ବିଜେଡି ଯୁବ ନେତା ଧୀରେନ୍ଦ୍ର କୁମାର ଲେଙ୍କାଙ୍କ ସମେତ ବିଭିନ୍ନ ଗଣସଂଗଠନର ପ୍ରତିନିଧିମାନେ ଯୋଗ ଦେଇ ପୋଲିସ ନିର୍ଯାତନାର ତୀବ୍ର ନିନ୍ଦା କରିବା ସହିତ ନୀଳଗିରି ସ୍ୱାଭିମାନ ଓ ଅସ୍ମିତାକୁ ବଜାୟ ରଖିବା, ଗଣତନ୍ତ୍ରର କଣ୍ଠରୋଧ ପାଇଁ ହୋଇଥିବା ଚକ୍ରାନ୍ତକୁ ପ୍ରତିହତ କରିବା ନିମନ୍ତେ ସମସ୍ତ ନୀଳଗିରି ବାସୀ ଐକ୍ୟବଦ୍ଧ ହେବାକୁ ଆହ୍ୱାନ ଦେଇଥିଲେ । ସାମ୍ବାଦିକ ଅମରେନ୍ଦ୍ର ମହାପାତ୍ର ପ୍ରାକ୍ ସୂଚନା ଦେବା ସହିତ ମଞ୍ଚ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ରାମଚନ୍ଦ୍ର ମହଲ, ସମରେନ୍ଦ୍ର ବାରିକ, ଅଶେଷ କୁମାର ସ, ଭଗବାନ ମହଲ, ଜଗନ୍ନାଥ ପାତ୍ର, ପ୍ରଶାନ୍ତ ବିଶ୍ୱାଳ, ଖଗେଶ୍ୱର ପରମାଣିକ, ବ୍ରଜକିଶୋର ପାଣି, ପ୍ରିୟନାଥ ବେହେରା, ବିଭୁତ ବେହେରା, ଭବାନୀଶଙ୍କର ପ୍ରଧାନ, ବିଶ୍ୱମ୍ବର ଦାସ, ସୁକାନ୍ତ ଦାସ, ପ୍ରଫୁଲ୍ଲ ମହାନ୍ତି, ଧୀରେନ୍ଦ୍ର ବେହେରା, ପ୍ରଫୁଲ୍ଲ ପୋଇ, ଲଳିତ କୁମାର ମହାପାତ୍ର, ପ୍ରଫୁଲ୍ଲ ମାଝୀ, ରତିକାନ୍ତ ପରିଡ଼ା, ନିହାରଂଜନ ଜେନା, ଗୋପନାରାୟଣ ମହାପାତ୍ର, ଗଣେଶ ଜେନା, ଜଗନ୍ନାଥ ଦାସ ପ୍ରମୁଖ ବୈଠକରେ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।
