ମା’ ବଗଳାଦେବୀଙ୍କ ନିକଟରେ ଲାଗିହେଲା ୧୦୦୮ ପ୍ରକାରର ପ୍ରସାଦ
ମା’ ବଗଳାଦେବୀଙ୍କ ଜନ୍ମୋତ୍ସବ ଓ ଶ୍ରୀଶ୍ରୀ ପିତାମ୍ବରା ସିଦ୍ଧମହାଶକ୍ତିପୀଠର ନବମ ବାର୍ଷିକୋତ୍ସବ ଉଦ୍ଯାପିତ
ବାଲେଶ୍ୱର : ବାଲେଶ୍ୱର ସହର ଉପକଣ୍ଠ କୁରୁଡ଼ା ନିକଟସ୍ଥ ଶ୍ରୀଶ୍ରୀ ପୀତାମ୍ବରା ସିଦ୍ଧ ମହାଶକ୍ତି ପୀଠରେ ମା’ ବଗଳାମୁଖୀଙ୍କ ଜନ୍ମୋତ୍ସବ ଓ ନବମ ବାର୍ଷିକ ଉତ୍ସବ ମହାଆଡ଼ମ୍ବର ସହକାରେ ପାଳିତ ହୋଇଛି । କୋଭିଡ୍ କଟକଣା ଯୋଗୁଁ ଦୀର୍ଘ ଦୁଇବର୍ଷ ଧରି ଏହି ଉତ୍ସବ ନିରାଡ଼ମ୍ବର ଭାବେ ପାଳିତ ହୋଇଥିବା ବେଳେ କଟକଣା ଉଠି ଯାଇଥିବାରୁ ଚଳିତବର୍ଷ ବେଶ ଆଡ଼ମ୍ବର ସହକାରେ ଆୟୋଜିତ ହୋଇଥିବା ଲକ୍ଷ୍ୟ କରାଯାଇଛି ।
ଗତ ୧୮ ତାରିଖରୁ ଆରମ୍ଭ ହୋଇଥିବା ମା’ ବଗଳାମୁଖୀଙ୍କ ଜନ୍ମ ଉତ୍ସବ ୩ ଦିନ ଧରି ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଶତାଧିକ ଭକ୍ତଙ୍କ ଗହଣରେ ଶୁକ୍ରବାର ସନ୍ଧ୍ୟାରେ ସମାପନ ହୋଇଛି । ଏହି ଅବସରରେ ୩ ଦିନ ବ୍ୟାପୀ ଚାଲିଥିବା ମହାଯଜ୍ଞରେ ପୂର୍ଣ୍ଣାହୁତି ପ୍ରଦାନ କରାଯାଇଛି । ବୁଧବାର ସ୍ଥାନୀୟ ସରସ୍ୱତୀପୁର ଶିବ ମନ୍ଦିର ପୁଷ୍କରିଣୀରୁ ଘଟ ଉତ୍ତୋଳନ ଓ କଳସ ଶୋଭାଯାତ୍ରା ସହ ବୈଦିକ ରୀତିରେ ଯଜ୍ଞକାର୍ଯ୍ୟ ଆରମ୍ଭ ହୋଇଥିଲା । ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ବିଜ୍ଞ ପଣ୍ଡିତ ଏବଂ ବ୍ରାହ୍ମଣମାନଙ୍କ ଦ୍ୱାରା ସୂର୍ଯ୍ୟପୂଜା, ଗୁରୁପୂଜା, ମଣ୍ଡଳାଦର୍ଶନ, ଅଗ୍ନିସ୍ଥାପନ, ଶ୍ରୀମନ୍ଦିରରୁ ମା’ଙ୍କ ଯଜ୍ଞ ମଣ୍ଡପକୁ ଆଗମନ, ଅର୍ଚ୍ଚନ, ସହସ୍ରାଦି ବଗଳା ମନ୍ତ୍ରରେ ଯଜ୍ଞାହୁତି ପ୍ରଦାନ କରାଯିବା ସହ ସନ୍ଧ୍ୟାରେ ପୁନଃର୍ବାର ଶ୍ରୀମନ୍ଦିରକୁ ମା’ଙ୍କ ପ୍ରତ୍ୟାବତ୍ତନ ଇତ୍ୟାଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶଙ୍ଖ, ହୁଳହୁଳି, ଘଣ୍ଟ, ଘଣ୍ଟା, ମୃଦଙ୍ଗ ଧ୍ୱନିରେ ସମଗ୍ର ଅଞ୍ଚଳ କମ୍ପି ଉଠିଥିଲା । ପଣ୍ଡିତଙ୍କ ବେଦମନ୍ତ୍ର ସହ ଯଜ୍ଞରେ ବିଭିନ୍ନ ଆହୁତି, ଭକ୍ତମାନଙ୍କର ଶାନ୍ତସିକ୍ତ ଆରାଧନାରେ ସିଦ୍ଧ ଶକ୍ତିପୀଠରେ ସ୍ୱତନ୍ତ୍ର ଭାବ-ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା । ଭକ୍ତମାନେ ଦିବାରାତ୍ରୀ ଭଜନ, କୀର୍ତ୍ତନରେ ମଜି ରହିଥିଲେ ।
ସିଦ୍ଧ ମହାଶକ୍ତିପୀଠାଧୀଶ ଆଚାର୍ଯ୍ୟ ରବିନାରାୟଣ ମିଶ୍ର ମହାରାଜଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟ ବିଧିପୂର୍ବକ ସମାପନ ହୋଇଥିଲା । ଜନ୍ମୋତ୍ସବ ଅବସରରେ ମା’ଙ୍କୁ ୧୦୦୮ ପ୍ରକାରର ବିଭିନ୍ନ ବ୍ୟଞ୍ଜନ, ମିଷ୍ଟାନ୍ନ, ଫଳମୂଳାଦି ପ୍ରସାଦ ଲାଗି କରାଯାଇଥିଲା । ଶ୍ରଦ୍ଧାଳୁମାନେ ପୀଠ ପରିସରରେ ଉପସ୍ଥିତ ରହି ନିଷ୍ଠାର ସହ ସମସ୍ତ ପ୍ରସାଦ ପ୍ରସ୍ତୁତ କରିଥିଲେ । ସାଧାରଣ ଜୀବନଯାପନରେ ବ୍ୟବହୃତ ସମସ୍ତ ପ୍ରକାର ସାତ୍ତ୍ୱିକ ଖାଦ୍ୟ ସାମଗ୍ରୀକୁ ପ୍ରସାଦ ରୂପେ ଅର୍ପଣ କରାଯାଇଥିଲା । ଏମିତିକି ଶତାଧିକ ପ୍ରକାରର ମିଷ୍ଟାନ୍ନ ଓ ଚକୋଲେଟ୍ ମଧ୍ୟ ଏଥିରେ ସାମିଲ କରାଯାଇଥିଲା । ଜନୈକ ମହିଳା ଭକ୍ତ ମା’ଙ୍କ ଜନ୍ମୋତ୍ସବ ପାଇଁ ବିଶାଳ କେକ୍ ପ୍ରସ୍ତୁତ କରିଥିବା ଦେଖିବାକୁ ମିଳିଥିଲା । ଏପରି ଏକ ବିରଳ ପ୍ରସାଦ ଅର୍ପଣ ସେବା ଦେଖିବାକୁ ଭକ୍ତଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା । ମହାଶକ୍ତିପୀଠ ପକ୍ଷରୁ ୩ ଦିନ ଧରି ଭକ୍ତମାନଙ୍କ ନିମନ୍ତେ ସାମୁହିକ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା । ଶୁକ୍ରବାର ସନ୍ଧ୍ୟାରେ ମହାଯଜ୍ଞରେ ପୂର୍ଣ୍ଣାହୁତି ପ୍ରଦାନ କରାଯାଇଥିଲା । ଏହା ପରେ ବାଣ ରୋଷଣୀ ସହ ଯଜ୍ଞମଣ୍ଡପରୁ ମା’ ଶ୍ରୀ ମନ୍ଦିରକୁ ବିଜେ କରିବା ପରେ ମହାଆଳତୀ କରାଯାଇଥିଲା । ଏହାକୁ ଦେଖିବା ପାଇଁ ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥିଲା । ୩ ଦିନ ବ୍ୟାପୀ ଚାଲିଥିବା ଉତ୍ସବରେ ସହର ସମେତ ଜିଲାର ବିଭିନ୍ନ ଅଞ୍ଚଳରୁ ବହୁ ଶ୍ରଦ୍ଧାଳୁ ମା’ ବଗଳାମୁଖୀଙ୍କୁ ଦର୍ଶନ କରି ନିଜ ନିଜ ପରିବାର ମଙ୍ଗଳ କାମନା କରିବା ସହ ସାତଜନ୍ମର ପୁଣ୍ୟ ଅର୍ଜ୍ଜନ କରିଥିଲେ ।
