୧୦୦୦ ପାଦ ସହ ସମାନ ୧୦୦ ପାଦ ଓଲଟା ଚାଲିବା! ଆଜିଠାରୁ ଆରମ୍ଭ କରନ୍ତୁ ଚାଲିବା, ମିଳିବ ଏହିସବୁ ଲାଭ
ସୁସ୍ଥ ଜୀବନଶୈଳୀ ପାଇଁ ଦୈନିକ ଚାଲିବା ନିତ୍ୟାନ୍ତ ଆବଶ୍ୟକ। ପ୍ରତିଦିନ ସର୍ବନିମ୍ମ ୩୦ ମିନିଟ୍ ଚାଲୁଥିବା ବ୍ୟକ୍ତି ମାନେ ସୁସ୍ଥ ଜୀବନ ଯାପନ କରିବା ସହ ଫୁର୍ତ୍ତିଲା ଅନୁଭବ କରିଥାଆନ୍ତି। ଚାଲିବା ଦ୍ୱାରା ହୃଦରୋଗ, ଡାଇବେଟିସ, ଅଷ୍ଟିଓପୋରୋସିସ୍ ପରି ରୋଗ ହେବାର କମ୍ ଆଶଙ୍କା ଦେଖା ଦେଇଥାଏ। ସବୁଠାରୁ ଭଲ କଥା ହେଉଛି ଏହା ଏକ ଏପରି ବ୍ୟାୟାମ, ଯେଉଁଥିରେ ଆମେ କୌଣସି ଉପରକରଣ ଆବଶ୍ୟକ କରି ନଥାଉ। ଓ ଏଥିପାଇଁ ଆମକୁ ବିଶେଷ ଧ୍ୟାନ ଦେବାକୁ ମଧ୍ୟ ପଡି଼ନଥାଏ।
ସିଧା ଚାଲିବା ଦ୍ୱାରା ଅନେକ ଫାଇଦା ମିଳୁଥିବା ତ ଆପଣ ମାନେ ଜାଣିଥିବେ, ତେବେ ଓଲଟା ଚାଲିବାର ଉପକାରିତା ବିଷୟରେ ହୁଏ ତ କିଏ ଜାଣିଥିବେ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥା ଟି ସତ। ବ୍ୟାୟାମ କରିବା ସମୟରେ ସିଧା ଚାଲିବା ଅପେକ୍ଷା କିଛି ସମୟ ପାଇଁ ଓଲଟା ଚାଲିଲେ ଶରୀର ପାଇଁ ଅଧିକ ଉପକାରୀ ହୋଇଥାଏ। ବିଶେଷଜ୍ଞ ମାନଙ୍କର କହିବା ଅନୁସାରେ, ୧୦୦ ପାଦ ଓଲଟା ଚାଲିବା ସହ ୧୦୦୦ ପାଦ ଆଗକୁ ଚାଲିବା ସହ ସମାନ। ତେବେ ଆସନ୍ତୁ ଜାଣିବା ଏହା ପଛରେ ରହିଥିବା କାରଣ। ସିଧା ଚାଲିବା ଅପେକ୍ଷା ଓଲଟା ଚାଲିବା ଦ୍ୱାରା ଆମ ମସ୍ତିଷ୍କ ସହ ଅନ୍ୟ ଅଙ୍ଗ ପ୍ରତ୍ୟଙ୍ଗ ଗୁଡିକ ସମନ୍ୱୟ ରଖିବା ପାଇଁ ଅପେକ୍ଷାକୃତ ଅଧିକ ସମୟ ଲାଗିଥାଏ। ଫଳରେ ମସ୍ତିଷ୍କକୁ ସାଧାରଣଠାରୁ ଅଧିକ ସକ୍ରିୟ ରହିବା ପାଇଁ ପଡିଥାଏ। ଏହାଦ୍ୱାରା ଆମର ଶରୀରିକ ଓ ମାନସିକ ବ୍ୟାୟାମ ମଧ୍ୟ ହୋଇଥାଏ। ଚକ୍ଷୁ ସହ ଅନ୍ୟ ଅଙ୍ଗ ଗୁଡି଼କର ସମନ୍ୱୟ ରକ୍ଷା କରିବା ପାଇଁ ଅଧିକ ରକ୍ତ କଣିକା ଆବଶ୍ୟକ ହୋଇଥାଏ। ଯାହା କି ଶରୀରର ସ୍ଥିରତା ଓ ସନ୍ତୁଳନ ଉପରେ ଉନ୍ନତି ଆଣିଥାଏ। ଓଲଟା ଚାଲିବା ଦ୍ୱାରା ବୟସ୍କ ବ୍ୟକ୍ତିମାନଙ୍କର ସିଧା ଚାଲିବାରେ ସ୍ଥିରତା ଆସିଥାଏ। ଏହା ସହ ଆଣ୍ଠୁରେ ଅଷ୍ଟିଓଆର୍ଥ୍ରାଇସିସ୍ ଥିବା ରୋଗୀଙ୍କ ପାଇଁ ଏହା ଲାଭଦାୟକ ହୋଇଥାଏ। ପଛକୁ ଚାଲିବା ଦ୍ୱାରା ଅପେକ୍ଷାକୃତ ଛୋଟ ପାହୁଣ୍ଡ ପଡି଼ଥାଏ ଫଳରେ ଆଣ୍ଠୁ ଗଣ୍ଠି ଉପରେ କମ୍ ଚାପ ପଡି଼ବା ସହ ତଳ ଗୋଡ଼ର ମାଂସପେଶୀ ସକ୍ରିୟ ହୋଇଥାଏ।
ପଛୁଆ ଚାଲିବା ଦ୍ୱାରା ଶରୀରର ଅଙ୍ଗ ଗୁଡି଼କର ସଞ୍ଚାଳନ ପ୍ରକ୍ରିୟାରେ ପରିବର୍ତ୍ତନ ଆସିଥାଏ। ଏହା ଦ୍ୱାରା ମେରୁଦଣ୍ଡ ସଲଗ୍ନ ମାଂସପେଶୀ ଗୁଡି଼କ ଅଧିକ ପରିଶ୍ରମ କରିଥାଏ। ଅଣ୍ଟା ଦରଜ ଥିବା ବ୍ୟକ୍ତିଙ୍କ ପାଇଁ ଏହା ଏକ ଲାଭଦାୟକ ବ୍ୟାୟାମ ଅଟେ। ଏହାଛଡା଼ ସ୍ନାୟୁଗତ ରୋଗୀଙ୍କର ସନ୍ତୁଳନ ଓ ଚିକିତ୍ସା ପାଇଁ ମଧ୍ୟ ଓଲଟା ଚାଲିବା ପାଇଁ ଡାକ୍ତରମାନେ ପରାମର୍ଶ ଦିଅନ୍ତି।
ଆଗକୁ ଚାଲିବା ଯୋଗୁଁ ଆମ ଶରୀର ସୁସ୍ଥ ରହିବା ସହ ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ। କିନ୍ତୁ ପଛକୁ କିମ୍ବା ଓଲଟା ଚାଲିବା ଅଧିକ ପ୍ରଭାବଶାଳୀ ହୋଇପାରେ। ୬ ସପ୍ତାହ ଧରି ମହିଳା ମାନଙ୍କୁ ନେଇ ଏକ ଅଧ୍ୟୟନ କରାଯାଇଥିଲା ଯେଉଁଥିରେ ପଛକୁ ଚାଲିବା ଦ୍ୱାରା ଆଗକୁ ଚାଲିବା ଅପେକ୍ଷା ୪୦ ପ୍ରତିଶତ ଅଧିକ ଶକ୍ତି ବ୍ୟୟ ହେବା ନେଇ ସ୍ପଷ୍ଟ ହୋଇଥିଲା। ଫଳରେ ଶରୀରର ଚର୍ବି କମାଇବା ପାଇଁ ଏହା ଏକ ଉତ୍ତମ ବ୍ୟାୟାମ ବୋଲି ଅଧ୍ୟୟନକାରୀ ସୂଚନା ଦେଇଥିଲେ।
