୧୨ ଦିନରେ ୧୦ ଥର! ଆଜି ପୁଣି ୮୦ ପଇସା ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର
ନୂଆଦିଲ୍ଲୀ : ୟୁକ୍ରେନ ଓ ଋଷ ମଧ୍ୟରେ ଯୁଦ୍ଧର ପ୍ରଭାବ ବୈଶ୍ୱକ ବଜାରରେ ଅଶୋଧିତ ତୈଳର ମୂଲ୍ୟ ଉପରେ ପଡ଼ୁଛି । ଯାହା ଫଳରେ ବୈଶ୍ୱିକ ବଜାରରେ ଅଶୋଧିତ ତୈଳର ମୂଲ୍ୟରେ ଅସ୍ଥିରତା ଦେଖାଦେଇଛି । ଆଜି ସରକାରୀ ତୈଳ କମ୍ପାନୀଗୁଡ଼ିକ ପେଟ୍ରୋଲ ଓ ଡିଜେଲର ନୂଆ ଦର ଜାରି କରିଦେଇଛନ୍ତି । ଶନିବାର ପୁଣି ଥରେ ଲିଟର ପିଛା ୮୦ ପଇସା ବୃଦ୍ଧି ହୋଇଛି। ଏହି ପରିପ୍ରେକ୍ଷୀରେ ବିଗତ ୧୨ ଦିନ ମଧ୍ୟରେ ୧୦ ଥର ତୈଳ ଦରରେ ବୃଦ୍ଧି ଘଟିଛି ।
ସାରା ଦେଶରେ ମାର୍ଚ୍ଚ ୨୨ରୁ ବର୍ତ୍ତମାନ ପର୍ଯ୍ୟନ୍ତ ପେଟ୍ରୋଲ-ଡିଜେଲ ଦରରେ ପ୍ରାୟ ୭.୨୦ ଟଙ୍କାର ବୃଦ୍ଧି ଘଟିଛି । ଇଣ୍ଡିଆନ ଅଏଲ କୋର୍ପୋରେଶନ (ଆଇଓସି) ଅନୁଯାୟୀ ଶନିବାର ଦିଲ୍ଲୀରେ ଉଭୟ ପେଟ୍ରୋଲ ଓ ଡିଜେଲରେ ଲିଟର ପିଛା ୮୦ ପଇସା ଲେଖାଏଁ ବୃଦ୍ଧି ଘଟିଛି। ଯାହା ପରେ ଜାତୀୟ ରାଜଧାନୀ ଦିଲ୍ଲୀରେ ୧୦୨.୬୧ ଟଙ୍କାରେ ଗୋଟିଏ ଲିଟର ପେଟ୍ରୋଲ ଓ ୯୩.୮୭ ଟଙ୍କାରେ ଗୋଟିଏ ଲିଟର ଡିଜେଲ ମିଳୁଛି। ସେହିପରି ଦେଶର ଅନ୍ୟାନ୍ୟ ସହରରେ ମଧ୍ୟ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ବୃଦ୍ଧି ପାଇଛି । ମାୟାନଗରୀ ମୁମ୍ବାଇରେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୮୫ ପଇସା ମହଙ୍ଗା ହୋଇଛି । ବର୍ତ୍ତମାନ ମୁମ୍ବାଇରେ ପେଟ୍ରୋଲ ଓ ଡିଜେଲ କ୍ରମଶଃ ୧୧୭.୫୭ ଟଙ୍କା ଓ ୧୦୧.୭୯ ଟଙ୍କାରେ ମିଳୁଛି। କୋଲକାତାରେ ଲିଟର ପିଛା ୮୪ ପଇସା ବୃଦ୍ଧି ହେଲା ପରେ ପେଟ୍ରୋଲ ୧୧୨.୧୯ ଟଙ୍କା ଓ ଡିଜେଲରେ ୮୦ ପଇସା ବଢି ୯୨.୨ ଟଙ୍କାରେ ବିକ୍ରି ହେଉଛି । ଚେନ୍ନାଇରେ ପେଟ୍ରୋଲ ଡିଜେଲରେ ୭୬ ପଇସା ବୃଦ୍ଧି ପାଇଛି। ଫଳରେ ଏଠାରେ ଲିଟର ପିଛା ପେଟ୍ରୋଲ ୧୦୮.୨୧ ଟଙ୍କା ରହିଛି ।
ସେହିପରି ଏନଡି ଟିଭିର ରିପୋର୍ଟ ଅନୁସାରେ, ମୂଲ୍ୟ ବୃଦ୍ଧି ପରେ ଓଡିଶାରେ ପେଟ୍ରୋଲ ଦର ୧୦୯ ଟଙ୍କା ୫୦ପଇସା ଥିବା ବେଳେ ଡିଜେଲ ୯୯ ଟଙ୍କା ୨୭ ପଇସା ରହିଛି । ସେହିପରି ଦିଲ୍ଲୀରେ ଲିଟର ପିଛା ପେଟ୍ରୋଲ ଦର ଶନିବାର ୧୦୨ଟଙ୍କା ୬୧ ପଇସା ଦରରେ ବିକ୍ରି ହେଉଥିବା ବେଳେ ଡିଜେଲ ଲିଟର ପିଛା ୯୩ଟଙ୍କା ୮୭ ପଇସା ଦରରେ ବିକ୍ରି ହେଉଛି। ସେପଟେ ମୁମ୍ବାଇରେ ପେଟ୍ରୋଲ ଲିଟରପିଛା ଦର ୧୧୭ଟଙ୍କା ୫୭ ପଇସାକୁ ପହଞ୍ଚିଥିବା ବେଳେ ଡିଜେଲ ୧୦୧ ଟଙ୍କା ୭୯ ପଇସା ଦରରେ କାରବାର ହେଉଛି। କୋଲକାତାରେ ପେଟ୍ରୋଲ ଲିଟର ପିଛା ୧୧୨ଟଙ୍କା ୧୯ ପଇସା ମୂଲ୍ୟରେ ବିକ୍ରି ହେଉଥିବା ବେଳେ ଡିଜେଲ ୯୭. ୦୨ ପଇସା ଦରରେ ବିକ୍ରି ହେଉଛି।
ଜାଣନ୍ତୁ ଆପଣଙ୍କ ସହରର ରେଟ୍ :
ଆପଣ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ମଧ୍ୟ ଏସଏମଏସ ମାଧ୍ୟମରେ ଜାଣିପାରିବେ । ଇଣ୍ଡିଆନ୍ ଓଏଲ୍ ୱେବସାଇଟ୍ ଅନୁଯାୟୀ, ଆପଣଙ୍କୁ ଆରଏସପି ଓ ଆପଣଙ୍କ ସିଟି କୋଡ୍ ଲେଖିବାକୁ ପଡିବ ଏବଂ ଏହାକୁ ୯୨୨୪୯୯୨୨୪୯ ନମ୍ବରକୁ ପଠାଇବାକୁ ପଡିବ । ପ୍ରତ୍ୟେକ ସହର ପାଇଁ କୋଡ୍ ଅଲଗା, ଯାହାକୁ ଆପଣ ଆଇଓସିଏଲ ୱେବସାଇଟରୁ ପାଇବେ । ଚନା ଯେ, ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଭାରତରେ ପ୍ରତିଦିନ ସମୀକ୍ଷା କରାଯାଏ । ପେଟ୍ରୋଲିୟମ କମ୍ପାନୀଗୁଡିକ ପ୍ରତିଦିନ ସକାଳ ୬ଟାରେ ନୂଆ ମୂଲ୍ୟ ଜାରି କରନ୍ତି । ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଭାଟ୍ ଏବଂ ଡିଲର କମିଶନ ଅନ୍ତର୍ଭୁକ୍ତ ଥାଏ ।
