ଏଣିକି ବ୍ରିଟେନରୁ ଭାରତ ଆସିଲେ ୧୦ ଦିନିଆ କ୍ୱାରେଣ୍ଟିନ ବାଧ୍ୟତାମୂଳକ
ନୂଆଦିଲ୍ଲୀ : ଯେସାକୁ ତେସା ନୀତି ଆପଣାଇଲା ଭାରତ । ମହମାରୀ କରୋନା ସଂକ୍ରମଣକୁ ନେଇ ଭାରତ ସହ ଚାଲବାଜୀ କରୁଥିବା ବ୍ରିଟେନ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର। ଭାରତରେ କୋଭିସିଲଡ୍ ଟିକା ନେଇଥିବା ଲୋକମାନଙ୍କୁ ବ୍ରିଟେନ୍ କ୍ୱାରେଣ୍ଟିନରେ ରହିବା ବାଧ୍ୟତାମୂଳକ କରିଥିବାରୁ ଭାରତ ସମାନ ଢଙ୍ଗରେ ତାହାର ଜବାବ ଦେଇଛନ୍ତି । ଭାରତରୁ ଯାଉଥିବା ଲୋକଙ୍କ ଉପରେ ବ୍ରିଟେନ ବିଭିନ୍ନ ପ୍ରକାରର କଟକଣା ଲାଗୁ କରିଥିବାରୁ ଏବେ ନୂଆଦିଲ୍ଲୀ ସମାନ ପଦକ୍ଷେପ ନେଇଛି। ଏଣିକି ବ୍ରିଟେନ ନାଗରିକ ଭାରତ ଆସିଲେ ୧୦ ଦିନ ପାଇଁ ବାଧ୍ୟତାମୂଳକ କ୍ୱାରେଣ୍ଟିନରେ ରହିବେ। ଏହି ନିୟମ ଆସନ୍ତା ୪ ତାରିଖରୁ ଲାଗୁ ହେବ। ଟିକା ନେଇ ଥିଲେ ବି କ୍ୱାରେଣ୍ଟିନ ନିୟମ ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ ବୋଲି ଭାରତ ସରକାର କହିଛନ୍ତି।
ଭାରତ ସରକାରଙ୍କ ନୂଆ ନିୟମ ଅନୁସାରେ ବ୍ରିଟେନରୁ ଭାରତ ଆସୁଥିବା ବ୍ୟକ୍ତିମାନଙ୍କୁ ଯାତ୍ରା ଆରମ୍ଭ କରିବାର ୭୨ ଘଣ୍ଟା ମଧ୍ୟରେ ଆରଟିପିସିଆର ପରୀକ୍ଷା କରିବା ବାଧ୍ୟତାମୂଳକ ହେବ । ଭାରତରେ ପହଞ୍ଚିବା ପରେ ଆରଟିପିସିଆଇର ଟେଷ୍ଟ କରାଯିବ ଓ ଭାରତରେ ରହିବାର ୮ମ ଦିନରେ ଆଉଥରେ ଆରଟିପିସିଆର ଟେଷ୍ଟ କରାଯିବ । ଟିକା ନେଇଥିଲେ ବି ସେମାନଙ୍କୁ ଏହା କରିବା ବାଧ୍ୟତାମୂଳକ ହେବ । ସୂଚନା ଯେ, ଟିକାର ଡବଲ ଡୋଜ୍ ନେଇଥିବା ଆମେରିକା, ଇସ୍ରାଏଲ ଓ ଅଷ୍ଟ୍ରେଲିଆ ଭଳି ଦେଶର ଲୋକମାନେ ବ୍ରିଟେନ ଗଲେ କ୍ୱାରେଣ୍ଟିନରେ ରହିବାକୁ ପଡ଼ିବନି ବୋଲି ୟୁକେ ସରକାର କହିଛନ୍ତି। ଅକ୍ଟୋବର ୪ରୁ ଏହି ନିୟମ ଲାଗୁ ହେବ। କିନ୍ତୁ ଭାରତ ପାଇଁ ବ୍ରିଟେନ ସରକାର ଅଲଗା ନିୟମ ପ୍ରଣୟନ କରିଛନ୍ତି। ଭାରତରେ ବ୍ୟବହାର ହେଉଥିବା କୋଭିସିଲ୍ଡ ଟିକାକୁ ବ୍ରିଟେନ ଅନୁମୋଦନ ଦେଇଛି। ହେଲେ ଏହାର ଡବଲ ଡୋଜ୍ ନେଇ ଯଦି କେହି ଭାରତୀୟ ବ୍ରିଟେନ ଯାଆନ୍ତି, ତା’ହେଲେ ବି ସେମାନଙ୍କୁ ୧୦ ଦିନ ପାଇଁ କ୍ୱାରେଣ୍ଟିନରେ ରହିବାକୁ ପଡ଼ିବ ବୋଲି ସେଠାକାର ସରକାର କହିଛନ୍ତି। ଏହାକୁ ନେଇ ଭାରତ ଆପତ୍ତି ଉଠାଇଥିଲା। ଏହା ଉପରେ ବ୍ରିଟେନ ସରକାର ଅଜବ ଯୁକ୍ତି ରଖିଥିଲେ। ଭାରତରେ ଉପଲବ୍ଧ ହେଉଥିବା ଟିକାକରଣ ପ୍ରମାଣପତ୍ର ଉପରେ ସନ୍ଦେହ ପ୍ରକାଶ ପାଇଥିବାରୁ ଭାରତୀୟଙ୍କ ପାଇଁ ନିୟମକୁ ବ୍ରିଟେନ କଡ଼କାଡ଼ି କରିଥିବା କହିଥିଲା। ଏବେ ଭାରତ ସରକାର ଯେସାକୁ ତେସା ନୀତି ଅବଲମ୍ବନ କରି ବ୍ରିଟେନ ବିରୋଧରେ କଡ଼ା ଆଭିମୁଖ୍ୟ ଆପଣାଇଛନ୍ତି।
