ଟିକାକରଣ ଅଭିଯାନକୁ ୧ବର୍ଷ ପୂର୍ତି! ସଂକ୍ରମଣ ବିରୁଦ୍ଧରେ ଶକ୍ତି ଯୋଗାଇଛି ଟିକାକରଣ : ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ଟିକାକରଣକୁ ପୁରିଲା ଏକ ବର୍ଷ । ଆଜିର ଦିନରେ ଅର୍ଥାତ ୨୦୨୧ ଜାନୁଆରୀ ୧୬ ତାରିଖରେ ଦେଶରେ ଆରମ୍ଭ ହୋଇଥିଲା ଟିକାକରଣ । ଏନେଇ ପ୍ରଧାନମନ୍ତ୍ରୀ ମୋଦି ଟୁଇଟ କରିଛନ୍ତି । ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭାରତରେ ଟୀକାକରଣ ଡ୍ରାଇଭକୁ ଏକ ବର୍ଷ ପୁରୁଛି । ମହାମାରୀ ବିରୋଧରେ ଟୀକାକରଣ ଦେଶକୁ ଶକ୍ତି ଯୋଗାଇଛି । ଏହା ଦ୍ୱାରା ଅନେକ ଜୀବନ ରକ୍ଷା ହୋଇଛି । ଯେତେବେଳେ ମହାମାରୀ ପ୍ରଥମେ ଆରମ୍ଭ ହୋଇଥିଲା । ସେତେବେଳେ ଭୂତାଣୁ ବିଷୟରେ ଅଧିକ କିଛି ଜଣାପଡି ନ ଥିଲା । ତଥାପି ଆମ ଦେଶର ବୈଜ୍ଞାନିକମାନେ ଟିକା ବିକାଶରେ ନିଜକୁ ନିୟୋଜିତ କରିଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେମାନଙ୍କ ପାଇଁ ଭାରତ ଆଜି ଗର୍ବ କରୁଛି ।
ଭାରତ ଗର୍ବିତ ଅନୁଭବ କରୁଛି ଯେ ଆମ ଦେଶ ଟିକାକରଣ ମାଧ୍ୟମରେ ମହାମାରୀକୁ ମୁକାବିଲା କରିବାରେ ଏକ ପ୍ରକାର ସହଯୋଗ କରିପାରିଛି । ଟିକାକରଣରେ ଯେଉଁ ମାନଙ୍କ ଭୂମିକା ରହିଛି ସେମାନଙ୍କୁ ମୁଁ ସଲାମ କରୁଛି । ଆମ ଦେଶର ଡାକ୍ତର, ନର୍ସ ଏବଂ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କ ଭୂମିକା ଅତୁଳନୀୟ । ଯେତେବେଳେ ସ୍ୱାସ୍ଥ୍ୟକର୍ମୀମାନେ ଦୁର୍ଗମ ଅଂଚଳରେ ଲୋକଙ୍କୁ ଟୀକା ଦେଉଛନ୍ତି କିମ୍ବା ଦୁର୍ଗମ ଅଂଚଳରେ ଲୋକଙ୍କ ପାଖରେ ଟିକା ପହଂଚୁଛି । ତାହା ଆମ ପାଇଁ ଗର୍ବର ବିଷୟ । ମହାମାରୀର ମୁକାବିଲା ପାଇଁ ଭାରତର ଆଭିମୁଖ୍ୟ ସର୍ବଦା ବିଜ୍ଞାନ ଭିତିକ ରହିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ତେବେ ଏ ପର୍ଯ୍ୟନ୍ତ ଦେଶରେ ୧୫୬.୭୬ କୋଟିରୁ ଅଧିକ ଟୀକାକରଣ ହୋଇସାରିଛି ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୁଚନା ଅନୁସାରେ, ବୟସ୍କ ଜନସଂଖ୍ୟାର ୯୨ ପ୍ରତିଶତରୁ ଅଧିକଙ୍କୁ ଅତି କମରେ ଗୋଟିଏ ଡୋଜ୍ ଟିକା ମିଳିଥିବା ବେଳେ ୬୮ ପ୍ରତିଶତରୁ ଅଧିକଙ୍କୁ ସମ୍ପୂର୍ଣ୍ଣ ଟିକା (୨ଟି ଡୋଜ୍) ଦିଆଯାଇଛି । ଟିକାକରଣ ଅଭିଯାନର ଏକ ବର୍ଷ ପୂର୍ତି ଅବସରକୁ ସ୍ମରଣୀୟ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ରବିବାର ଅପରାହ୍ନରେ କୋଭିଡ୍ ଟିକାକରଣକୁ ନେଇ ଏକ ଡାକ ଷ୍ଟାମ୍ପ ଜାରି କରିଛନ୍ତି । ଗତ ବର୍ଷ ଜାନୁଆରି ୧୬ ରେ ପ୍ରଥମ ଧାଡ଼ିର କୋଭିଡ୍ ଯୋଦ୍ଧା ଭାବେ ସ୍ୱାସ୍ଥ୍ୟସେବା କର୍ମୀମାନଙ୍କର ପ୍ରଥମ ପର୍ଯ୍ୟାୟରେ ଟିକାକରଣ କରାଯିବା ସହିତ ଦେଶରେ ଟିକାକରଣ ଅଭିଯାନ ଆରମ୍ଭ କରା ଯାଇଥିଲା । ଫେବ୍ରୁଆରି ୨ରୁ ଆଗଧାଡିରେ ରହୁଥିବା ଅନ୍ୟମାନଙ୍କର ଟିକାକରଣ ଆରମ୍ଭ ହୋଇଥିଲା ।
କୋଭିଡ୍-୧୯ ଟିକାକରଣର ପରବର୍ତୀ ପର୍ଯ୍ୟାୟରେ ମାର୍ଚ୍ଚ ୧ ରୁ ୬୦ ବର୍ଷରୁ ଅଧିକ ବୟସର ଲୋକଙ୍କ ପାଇଁ ଏବଂ ନିର୍ଦ୍ଦିିଷ୍ଟ ସହ-ଅସୁସ୍ଥ ଅବସ୍ଥା ଥିବା ୪୫ ବର୍ଷ ରୁ ଅଧିକ ବୟସର ଲୋକଙ୍କ ପାଇଁ ଟିକାକରଣ ଆରମ୍ଭ ହୋଇଥିଲା । ଏପ୍ରିଲ ୧ରୁ ୪୫ ବର୍ଷରୁ ଅଧିକ ବୟସର ସମସ୍ତ ଲୋକଙ୍କ ଟିକାକରଣ ଆରମ୍ଭ କରାଯାଇ ଥିଲା । ଏହାପରେ ସରକାର ୧୮ ବର୍ଷରୁ ଅଧିକ ସମସ୍ତଙ୍କୁ ମେ୧ ରୁ ଟିକା ଦେବାକୁ ଅନୁମତି ଦେଇ ଟିକାକରଣ ଅଭିଯାନର ପରିସରକୁ ବିସ୍ତାର କରିବାକୁ ନିଷ୍ପତି ନେଇଥିଲେ । କୋଭିଡ-୧୯ ଟିକାକରଣର ପରବର୍ତୀ ପର୍ଯ୍ୟାୟରେ ଚଳିତ ବର୍ଷ ଜାନୁଆରି ୩ ରୁ ୧୫-୧୮ ବର୍ଷ ବୟସ ଗୋଷ୍ଠୀର କିଶୋରମାନଙ୍କ ପାଇଁ ଟିକାକରଣ ଆରମ୍ଭ ହୋଇଥିଲା ।
