ସବୁଜ ଶକ୍ତି ଓ ବୈଦ୍ୟୁତିକ ଉପକରଣ ଉତ୍ପାଦନ କ୍ଷେତ୍ରରେ୧.୭୫ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବ
ଭୁବନେଶ୍ୱର : ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ ର ଆଜି ଦ୍ୱିତୀୟ ଦିବସରେ ଶକ୍ତି ବିଭାଗ ଦ୍ୱାରା ବୈଦ୍ୟୁତିକ ଉପକରଣ ଓ ଗ୍ରୀନ୍ ହାଇଡ୍ରୋଜେନ୍ ଶୀର୍ଷକକୁ ନେଇ ଦୁଇଟି ପ୍ୟାନେଲ୍ ବୈଠକ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶାରେ ବୈଦ୍ୟୁତିକ ଉପକରଣ ଉତ୍ପାଦନ ପାଇଁ ସୁଯୋଗ ସୃଷ୍ଟି କରିବା ଏବଂ ଗ୍ରୀନ୍ ହାଇଡ୍ରୋଜେନ୍ ଉତ୍ପାଦନ ପାଇଁ ରାଜ୍ୟରେ ଏକ ଅନୁକୂଳ ପରିସ୍ଥିତି ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ବୈଠକରେ ଆଲୋଚନା କରାଯାଇଥିଲା । ପ୍ରକାଶଯୋଗ୍ୟ ଯେ ଗ୍ରୀନ୍ ହାଇଡ୍ରୋଜେନ୍, ଗ୍ରୀନ୍ ଆମୋନିଆ, ପମ୍ପ ଷ୍ଟୋରେଜ୍ ଜଳବିଦ୍ୟୁତ ପ୍ରକଳ୍ପ, ଭାସମାନ ସୋଲାର ଏବଂ ପବନ ତଥା ଅକ୍ଷୟଶକ୍ତି ସମ୍ବନ୍ଧିତ ଉପକରଣ ଉତ୍ପାଦନ କ୍ଷେତ୍ରରେ ୨୨ଟି ଶଳ୍ପ ସହଯୋଗୀ ସଂସ୍ଥାଙ୍କଠାରୁ ପ୍ରାୟ ୧.୭୫ ଲକ୍ଷ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ନିବେଶ ପ୍ରସ୍ତାବ ମିଳିଥିଲା । ଆଜିର ଏହି ପ୍ୟାନେଲ୍ ବୈଠକରେ ଉଦ୍ୟୋଗ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତି ତଥା ଭାରତୀୟ ଅକ୍ଷୟଶକ୍ତି ବିଭାଗ ସଂସ୍ଥାର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ୱାରୀ), ପରିଚାଳନା ନିର୍ଦ୍ଦେଶକ (ଏଏମ୍ପି ଏନର୍ଜି), ସଭାପତି (ଆଇ ଫରେଷ୍ଟ), ଭାରତୀୟ ତୈଳ ନିଗମର କାର୍ଯ୍ୟନର୍ବାହୀ ନିର୍ଦ୍ଦେଶକ, ସଭାପତି (ରିନ୍ୟୁ ପାୱାର), ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ଏଜୁର ପାୱାର), ମୁଖ୍ୟ ପରିଚାଳନା ଅଧିକାରୀ (ଅଭଡ଼ା ଏନର୍ଜି), ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ଆଦିତ୍ୟ ବିର୍ଲା ରିନ୍ୟୁଏବେଲ୍) ଏବଂ ବିଶ୍ୱବ୍ୟାଙ୍କର ଗ୍ରୀନ୍ ହାଇଡ୍ରୋଜେନ୍ ବିଶେଷଜ୍ଞ ପ୍ରମୁଖ ଉପସ୍ଥିତ ଥିଲେ । ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଓଡ଼ିଶାର ଶକ୍ତି କ୍ଷେତ ଉପରେ ଆଧାରିତ ଏକ କଫି ଟେବୁଲ ବୁକ୍ ମୁଖ୍ୟ ଶାସନ ସଚିବ ସୁରେଶ କୁମାର ମହାପାତ୍ର ଉନ୍ମୋଚନ କରିଥିଲେ । ଏହି ଅବସରେ ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କ ଦ୍ୱାରା ଅକ୍ଷୟ ଶକ୍ତି ଚମ୍ପିଅନ୍ ପୁରସ୍କାରରେ ଦୁଇଟି କମ୍ପାନୀକୁ ସମ୍ମାନିତ କରାଯାଇଥିଲା । ମିନାକ୍ଷୀ ପାୱାର ଲିମିଟେଡ୍ କୁ ରାଜ୍ୟରେ ପ୍ରଥମ ଏବଂ ସବୁଠାରୁ କମ୍? ମୂଲ୍ୟର ଜଳବିଦ୍ୟୁତ ପ୍ରକଳ୍ପ ପାଇଁ ଏବଂ ଆଦିତ୍ୟ ରିନ୍ୟୁଏବୁଲ୍ କୁ ଓଡ଼ିଶାରେ ସର୍ବାଧିକ ସୌରଶକ୍ତି ଉତ୍ପାଦନ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା । ଶକ୍ତି ମନ୍ତ୍ରୀ ରାଜ୍ୟ ସରକାରଙ୍କ ତରଫରୁ ସବୁଜ ଶକ୍ତିର ବିକାଶ ପାଇଁ ସମସ୍ତ ପ୍ରଶାସନିକ ଓ ଆନୁଷଙ୍ଗିକ ସୁବିଧା ଦିଆଯିବ ବୋଲି ପ୍ରକାଶ କରିଥିଲେ । ଏହି ଅବସରରେ ଉପସ୍ଥିତ ରାଜ୍ୟ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା, ରାଜ୍ୟ ଶିଳ୍ପନୀତି କିପରି ରାଜ୍ୟରେ ଅକ୍ଷୟ ଶକ୍ତିର ବିକାଶ ପାଇଁ ସହାୟକ ହୋଇପାରିବ ତାହା ଉପରେ ଗୁରୁତ୍ୱାରୋପ କରିଥିଲେ ।
