ଆମେରିକାକୁ ଆର୍ଥିକ ଓ ସାମରିକ ସହାୟତା ମାଗିଲେ ଜେଲେନସ୍କି
ୱାଶିଂଟନ: ରୁଷ ହମଲାରେ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି ବୁଧବାର ଆମେରିକା କଂଗ୍ରେସ ବା ସାଂସଦକୁ ସମ୍ବୋଧନ କରିଛନ୍ତି । ଭିଡିଓ କନଫରେନ୍ସିଂ ଜରିଆରେ ଜେଲେନସ୍କି ସଂସଦର ସବୁ ସଦସ୍ୟଙ୍କ ସାମ୍ନାରେ ଉପସ୍ଥିତ ରହି ନିଜର ମତ ରଖିଛନ୍ତି । ତାଙ୍କୁ ଆମେରିକା ସଂସଦର ସଦସ୍ୟମାନେ ନିଜ ନିଜ ଆସନରେ ଛିଡ଼ା ହୋଇ ସ୍ୱାଗତ କରିଥିଲେ । ଏଥିସହ ରୁଷ ବିରୋଧରେ ୟୁକ୍ରେନ ବେଶ ବୀରତାର ସହ ଲଢ଼େଇ କରୁଥିବାରୁ ସାଂସଦମାନେ ତାଳିମାରି ଜେଲେନସ୍କିଙ୍କୁ ପ୍ରଶଂସା କରିଥିଲେ । ରାଷ୍ଟ୍ରପତି ଜେଲେନସ୍କି ୟୁକ୍ରେନର ସ୍ଥିତାବସ୍ଥା କଥା ସମସ୍ତଙ୍କୁ ଅବଗତ କରାଇଛନ୍ତି । ଏଥିସହ ଆମେରିକାକୁ ଅଧିକ ପରିମାଣର ସାମାରିକ ଓ ଆର୍ôଥକ ସହାୟତା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି । ଏହାବାଦ ୟୁକ୍ରେନକୁ ନୋ-ଫ୍ଲାଏ ଜୋନ ଘୋଷଣା କରିବାକୁ ଆମେରିକା ପଦକ୍ଷେପ ନେଉ ବୋଲି ମଧ୍ୟରେ ପୁଣିଥରେ ଅନୁରୋଧ କରିଛନ୍ତି ।
ସେ କହିଛନ୍ତି, “ଆଜି ୟୁକ୍ରେନର ଲୋକମାନେ କେବଳ ନିଜ ଦେଶ ପାଇଁ ଲଢ଼ୁ ନାହାନ୍ତି । ସେମାନେ ପୂରା ୟୁରୋପ ଓ ବିଶ୍ୱର ମୂଲ୍ୟବୋଧର ସୁରକ୍ଷା ପାଇଁ ଲଢ଼ୁଛନ୍ତି । ଭବିଷ୍ୟତକୁ ଦୃଷ୍ଟିରେ ରଖି ଆମେ ଏବେ ଜୀବନକୁ ବଳି ଚଢ଼ାଉଛୁ । ତେଣୁ ଆଜି ଆମେରିକା ଆମକୁ ସହଯୋଗ କରି କେବଳ ୟୁକ୍ରେନକୁ ରକ୍ଷା କରୁନି ବରଂ ପୂରା ବିଶ୍ୱକୁ ରକ୍ଷା କରୁଛି । ଆମ ପ୍ଲାନେଟକୁ ଜୀବନ୍ତ ରଖିବାକୁ ଆମେରିକା ପ୍ରୟାସ କରୁଛି । ରାଷ୍ଟ୍ରପତି ଜୋ ବାଇଡେନ ହେଉଛନ୍ତି ପୂରା ବିଶ୍ୱର ନେତା । ତେଣୁ ସେ ଶାନ୍ତିର ନେତା । ମୁଁ ଆପଣମାନଙ୍କ ସହଯୋଗ ଆବଶ୍ୟକ କରୁଛି । ରୁଷ ହମଲା ବନ୍ଦ ନ କରିବା ଯାଏ ପ୍ରତି ସପ୍ତାହରେ କଟକଣା ପ୍ୟାକେଜ ଆସିବା ଦରକାର । ୟୁକ୍ରେନର ଆକାଶକୁ ନୋ ଫ୍ଲାଏ ଜୋନ ଘୋଷଣା କରନ୍ତୁ । ଯଦି ନୋ ଫ୍ଲାଏ ଜୋନ ଘୋଷଣା କରିବେ ନାହିଁ, ତା’ହେଲେ ଆମକୁ ଯୁଦ୍ଧ ବିମାନ ଦିଅନ୍ତୁ । ଆମେ ରୁଷ ସହ ଲଢ଼େଇ କରିବୁ । ରୁଷ କେବଳ ଆମ ମାଟି ଉପରେ ଆକ୍ରମଣ କରିନାହିଁ । ଏହା ଆମ ମୂଲ୍ୟବୋଧ ଉପରେ ହମଲା । ଆମ ଜାତୀୟତାବାଦ ଉପରେ ହମଲା କରାଯାଇଛି । ଆମେ ମୁକ୍ତ ଭାବେ ରହିବାକୁ ଚାହୁଁଥିଲୁ । ଠିକ ଆମେରିକା ଭଳି । ଆମକୁ ଆମେରିକା କରୁଥିବା ସହଯୋଗ ପାଇଁ ବହୁତ ବହୁତ ଧନ୍ୟବାଦ ।”
