ଭାରତ ବିପକ୍ଷ ପ୍ରଥମ ଟେଷ୍ଟରେ ସାମିଲ ହେଲେ ଜାକିର ହାସନ୍
ଢାକା : ଭାରତ ବିପକ୍ଷ ପ୍ରଥମ ଟେଷ୍ଟ ପାଇଁ ବାଂଲାଦେଶ ଦଳରେ ସାମିଲ ହେଲେ ନବାଗତ ଜାକିର ହାସନ୍ । ତମିମ ଇକ୍ବାଲ ଆହତରୁ ସମ୍ପୂର୍ଣ୍ଣ ମୁକୁଳିନଥିବାରୁ ଜାକିରଙ୍କୁ ସାମିଲ କରାଯାଇଛି। ଘୋଷିତ ୧୭ ଜଣିଆ ଘରୋଇ ଦଳରେ ଜାକିର ଏକମାତ୍ର ନୂଆମୁହଁ ରହିଛନ୍ତି। ସେ ଚଟୋଗ୍ରାମ ଟେଷ୍ଟରେ ଦଳ ପକ୍ଷରୁ ଶୀର୍ଷକ୍ରମରେ ବ୍ୟାଟିଂ କରିବେ।
ଘରୋଇ ୪ ଦିନିଆ ପ୍ରତିଯୋଗିତାରେ ଅଗ୍ରଣୀ ସ୍କୋରର୍ ରହିଥିବା ଜାକିର ଭାରତ-ଏ ବିପକ୍ଷ ପ୍ରଥମ ଟେଷ୍ଟ୍ରେ ମଧ୍ୟ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଦ୍ବିତୀୟ ପାଳିରେ ତାଙ୍କ ୧୭୩ ରନ୍ ହିଁ ମ୍ୟାଚ୍ ଅମୀମାଂସିତ ରହିବାରେ ପ୍ରମୁଖ ଭୂମିକା ନେଇଥିଲା। ଏହି ୱିକେଟ୍ରକ୍ଷକ ବ୍ୟାଟର୍ ଚଳିତ ଦ୍ବିତୀୟ ଟେଷ୍ଟର ପ୍ରଥମ ପାଳିରେ ମଧ୍ୟ ମୂଲ୍ୟବାନ ୪୬ ରନ୍ କରିଛନ୍ତି। ତମିମ ପ୍ରଥମ ଟେଷ୍ଟ୍ ଖେଳିପାରିବେନି ବୋଲି ଆମ ଫିଜିଓ କହିବା ପରେ ଆମେ କେବଳ ପ୍ରଥମ ଟେଷ୍ଟ ପାଇଁ ଦଳ ଘୋଷଣା କରିଛୁ। ତାଙ୍କ ମେଡିକାଲ ରିପୋର୍ଟକୁ ଅପେକ୍ଷା କରିଛୁ। ଏହାପରେ ସେ ଦ୍ବିତୀୟ ଟେଷ୍ଟ ଖେଳିପାରିବେ ନା ନାହିଁ ନିଷ୍ପତ୍ତି ନିଆଯିବ ବୋଲି ବାଂଲା କ୍ରିକେଟ୍ ବୋର୍ଡ ମୁଖ୍ୟ ଚୟନକର୍ତା ମିନ୍ହାଜୁଲ ଆବେଦିନ୍ ପ୍ରକାଶ କରିଛନ୍ତି। ସେହିପରି ଦ୍ବିତୀୟ ଟେଷ୍ଟ ଆସନ୍ତା ଡିସେମ୍ବର ୨୨ ତାରିଖରୁ ଢାକାରେ ଖେଳାଯିବ।
ବାଂଲାଦେଶ ଟେଷ୍ଟ୍ ଦଳ : ମହମୁଦୁଲ ହାସନ ଜୟ, ନାଜ୍ମୁଲ ହାସନ ସାଣ୍ଟୋ, ମୋମିନୁଲ ହକ୍, ୟାସିର ଅଲୀ ଚୌଧୁରୀ, ମୁସ୍ଫିକର ରହିମ, ସକିବ ଅଲ୍ ହାସନ (ଅଧିନାୟକ), ଲିଟନ ଦାସ, ନୁରୁଲ ହାସନ, ମେହଦି ହାସନ ମିରାଜ, ତାଇଜୁଲ ଇସ୍ଲାମ, ତସ୍କିନ ଅହମ୍ମଦ, ସୟଦ୍ ଖଲିଦ ଅହମ୍ମଦ, ଏବାଦତ ହୋସେନ, ସୋରିଫୁଲ ଇସ୍ଲାମ, ଜାକିର ହାସନ, ରାଜାଉର ରହମନ ରାଜା, ଏନାମୁଲ ହକ୍ ବିଜୟ।
