ନାବାଳିକାଙ୍କୁ ବିବାହ ପାଇଁ ଘରେ ପହଞ୍ଚିଲେ ଯୁବତୀ, ଥାନାରେ ମାମଲା
ଭୋଗରାଇ : ବାଲେଶ୍ୱର ଜିଲା ଭୋଗରାଇ ଅଞ୍ଚଳରେ ଚାଞ୍ଚଲ୍ୟକର ଘଟଣା । ଜଣେ ନାବାଳିକାଙ୍କୁ ବିବାହ କରିବାକୁ ହରିୟାନାରୁ ଆସି ପହଞ୍ଚିଲେ ଯୁବତୀ। ସୋସିଆଲ୍ ମିଡିଆରୁ ଚିହ୍ନାଜଣା ପରେ ଗଢ଼ି ଉଠିଥିଲା ପ୍ରେମ। କଥା ବିବାହ ପର୍ଯ୍ୟନ୍ତ ପହଞ୍ଚିଥିଲା। ଶେଷରେ ହରିଆନାର ଯୁବତୀ ଜଣକ ନାବାଳିକାଙ୍କୁ ବିବାହ କରିବା ପାଇଁ ଭୋଗରାଇର ଆସିଛନ୍ତି। ନାବାଳିକାଙ୍କ ପରିବାର ଲୋକ ବୁଝାଇବା ସହ ବିରୋଧ କଲେ ମଧ୍ୟ କୌଣସି ସମାଧାନ ନ ହେବାରୁ ମାମଲା ଥାନାରେ ପହଞ୍ଚିଛି।
ସୂଚନା ଯେ, ଭୋଗରାଇ ବ୍ଲକ୍ ଅନ୍ତର୍ଗତ ଏକ ଗ୍ରାମର ଯୁକ୍ତ୨ରେ ପଢ଼ୁଥିବା ନାବାଳିକା କଲେଜ ଛାତ୍ରୀ ଏବଂ ହରିୟାନା ସୋନୀପଥ ଥାନା ଅନ୍ତର୍ଗତ ରାଜୁତାଜପୁର ଗ୍ରାମର କାଜଲ ନାମକ ଜଣେ ଯୁବତୀଙ୍କ ମଧ୍ୟରେ ଇନ୍ଷ୍ଟାଗ୍ରାମରୁ ଚିହ୍ନାଜଣା ହୋଇଥିଲା। ପରେ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ଉଭୟ ଉଭୟଙ୍କୁ ବିବାହ କରିବେ ବୋଲି ନିଷ୍ପତ୍ତି ମଧ୍ୟ ନେଇଥିଲେ। ଫଳରେ କାଜଲ ଭୋଗରାଇ ସ୍ଥିତ ସମ୍ପୃକ୍ତ ନାବାଳିକାଙ୍କ ଘରେ ପହଞ୍ଚିଥିଲେ ଏବଂ ବିବାହ କରିବେ ବୋଲି ତାଙ୍କ ଘରଲୋକଙ୍କୁ କହିଥିଲେ। ନାବାଳିକା ଜଣକ ମଧ୍ୟ ବିବାହ ପାଇଁ ରାଜି ଥିବା ପ୍ରକାଶ କରିଥିଲେ। ଘରଲୋକ ଯେତେ ବୁଝାଇଲେ ବି ଦୁହେଁ କୌଣସି କଥା ଶୁଣି ନଥିଲେ। ଫଳରେ ନାବାଳିକାଙ୍କ ପରିବାର ଲୋକ ଚନ୍ଦନେଶ୍ୱର ଫାଣ୍ଡିକୁ ଜଣାଇଥିଲେ। ଫାଣ୍ଡି ଅଧିକାରୀ ବିଶ୍ୱନାଥ କର ନାବାଳିକା ଓ ଯୁବତୀଙ୍କୁ ଭୋଗରାଇ ଥାନାକୁ ହସ୍ତାନ୍ତର କରିଥିଲେ। ଭୋଗରାଇ ପୋଲିସ ଘଟଣା ତର୍ଜମା ପରେ କାଜଲଙ୍କୁ ବାଲେଶ୍ୱର ସ୍ଥିତ ନାରୀସଂଘକୁ ପଠାଇ ଦେଇଛନ୍ତି। ସେହିପରି ନାବାଳିକାଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
