ପିକଅପ୍ ଧକ୍କାରେ ଯୁବତୀ ମୃତ, ଡ୍ରାଇଭର ଫେରାର
କ୍ଷତିପୂରଣ ଦାବିରେ ଟାୟାର ଜାଳି ରାସ୍ତା ଅବରୋଧ କଲେ ସ୍ଥାନୀୟ ଅଞ୍ଚଳବାସୀ
ବସ୍ତା : ବାଲେଶ୍ୱର ଜିଲା ସଦର ବ୍ଲକ ଛାନୁଆ ପଞ୍ଚାୟତ ଅନ୍ତର୍ଗତ ଛାନୁଆ ତାରିଣୀ ଛକ ନିକଟରେ ଶୁକ୍ରବାର ଏକ ପିକ ଅପ୍ ଭ୍ୟାନ୍ ଧକ୍କାରେ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି । ମୃତ ଯୁବତୀ ହେଲେ ଏହି ଗ୍ରାମର ସ୍ୱର୍ଗତ ବାସୁ ଜେନାଙ୍କ ଅବିବାହିତ ଝିଅ ଗୁରୁବାରୀ ଜେନା (୪୮) । ଦୁର୍ଘଟଣା ପରେ ଡ୍ରାଇଭର ଜଣକ ଫେରାର ହୋଇଯାଇଛି । ଫଳରେ କ୍ଷତିପୂରଣ ଦାବିରେ ଟାୟାର ଜାଳି ରାସ୍ତା ଅବରୋଧ କଲେ ସ୍ଥାନୀୟ ଅଞ୍ଚଳବାସୀ ।


ଶୁକ୍ରବାର ପୂର୍ବାହ୍ନ ସମୟରେ ଗୁରୁବାରୀ ତାରିଣୀ ଛକ ନିକଟ ରାସ୍ତା ପାର୍ଶ୍ୱରେ ବସିଥିଲେ । ବାହାବଳପୁରରୁ ସୋଲପଟା ଅଭିମୁଖେ ଯାଉଥିବା ପିକଅପ୍ ଭ୍ୟାନ୍ (ନଂ. ଓଡ଼ି୦୧ଏନ୍-୬୮୯୬) ଟି ତାଙ୍କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଯୁବତୀଙ୍କ ମୃତ୍ୟୁ ହୋଇଥିଲା । ଡ୍ରାଇଭର ଜଣକ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା । ଘଟଣା ପରେ ଉତ୍ତ୍ୟକ୍ତ ଲୋକେ କ୍ଷତିପୂରଣ ଦାବିରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ଖବର ପାଇ ପୋଲିସ ଟିମ ସହ ବସ୍ତା ଥାନା ଅଧିକାରୀ ବାରୀଣୀ ଦାସ, ତହସିଲଦାର ନିର୍ଲିପ୍ତା ମହାନ୍ତି ପ୍ରମୁଖ ପହଞ୍ôଚ ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ । ମୃତକଙ୍କ ପରିବାରକୁ ରେଡ଼କ୍ରସ ପାଣ୍ଠିରୁ ତହସିଲଦାର ୧୦ ହଜାର ଟଙ୍କା ପ୍ରଦାନ କରିଥିଲେ ।କ୍ଷ ଏହାପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । ଏ ସଂକ୍ରାନ୍ତରେ ଥାନାରେ ଏକ ମାମଲା (ନଂ. ୯୬/୨୩) ରୁଜୁ ହୋଇ ପୋଲିସ ମୃତଦେହ ଜବତ କାରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ଦୁର୍ଘଟଣା ଘଟାଇଥିବା ଭ୍ୟାନକୁ ପୋଲିସ ହେପାଜତରେ ରଖାଯାଇଛି । ସୂଚନା ଯେ, ଦୀର୍ଘ ଦିନ ପୂର୍ବରୁ ମୃତ ଯୁବତୀଙ୍କ ବାପା ଓ ମାଆ ମୃତ୍ୟୁବରଣ କରିଥିବା ଗ୍ରାମବାସୀ କହିଛନ୍ତି ।
