ବାଇକ ସହ ଜୀଅନ୍ତା ଜଳିଗଲେ ଯୁବକ, ମିଳୁନି ପରିଚୟ
ଭୁବନେଶ୍ୱର : ଭୁବନେଶ୍ବର ୧୬ନମ୍ବର ଜାତୀୟ ରାଜପଥର ମହାରାଜା ହଲ୍ ନିକଟ ଆଚାର୍ଯ୍ୟବିହାର ଫ୍ଲାଏଓଭର୍ରେ ଅଘଟଣ । ଖଣ୍ଡଗିରି ପଟୁ ବାଣୀବିହାର ଆଡକୁ ଯାଉଥିବା ବେଳେ ରାସ୍ତା କଡ଼ ଡିଭାଇଡରରେ ପିଟି ହୋଇ ରବିବାର ରାତି ପ୍ରାୟ ସାଢ଼େ ୧୨ଟା ୩୦ ମିନିଟ ସମୟରେ ବାଇକ ସହ ଜୀଅନ୍ତା ଜଳିଗଲେ ଯୁବକ । ଯୁବକ ଜଣଙ୍କ ବାଇକ୍ ସହ ଜଳୁଥିବା ଦେଖି ଆଖପାଖ ଲୋକ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଯୁବକଙ୍କ ଶରୀରର ୮୦% ଜଳି ଯାଇଥିବା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି । ମେଡିକାଲରେ ଯୁବକଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ମୃତକ ଯୁବକଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରି ନାହିଁ । ଆଜି ଶବ ବ୍ୟବଚ୍ଛେଦ ପରେ କାରଣ ଜଣାପଡିବ । ଯୁବକଙ୍କୁ କେହି ଜାଣିଶୁଣି ହତ୍ୟା କରିଥିବା ଅନୁମାନ କରାଯାଉଛି । ଗାଡ଼ିଟି କଟକ ଆରଟିଓ ରେଜିଷ୍ଟ୍ରେସନ ହୋଇଥିବାରୁ ଯୁବକ ଜଣଙ୍କ କଟକର ହୋଇଥିବା ଅନୁମାନ କରାଯାଉଛି ।
ପୋଲିସ ଦରପୋଡ଼ା ଯୁବକଙ୍କ ଶବକୁ କ୍ୟାପିଟାଲ ହସ୍ପିଟାଲ ପଠାଇବା ସହ ବାଇକକୁ ଜବତ କରିଛି। ପୋଲିସ୍ ବାଇକ୍ର ଗାଡ଼ି ନମ୍ବରକୁ ଯାଞ୍ଚ କରି ଯୁବକଙ୍କ ସଂପର୍କରେ ତଥ୍ୟ ହାସଲ କରିବାକୁ ଚେଷ୍ଟା ଚଳାଇଛି। ଏହାସହ ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜ୍ ସଂଗ୍ରହ କରୁଛି। ଅପରପକ୍ଷେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। କିଛି ଦୁର୍ବୃତ୍ତ ଯୁବକଙ୍କୁ ଅନ୍ୟତ୍ର ହତ୍ୟା କରି ଏଠାକୁ ଆଣିବା ପରେ ନିଛାଟିଆ ରାସ୍ତା ଦେଖି ଯୁବକଙ୍କୁ ବାଇକ୍ ଉପରେ ପକାଇ ନିଆଁ ଲଗାଇ ଦେଇଥିବା ଅନୁମାନ କରାଯାଉଛି। ପୁଲିସ୍ ସବୁ ଦିଗକୁ ଟିକିନିଖି ଯାଞ୍ଚ କରୁଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହି ମାମଲା ଅଧିକ ସ୍ପଷ୍ଟ ହେବ ବୋଲି ପୁଲିସ୍ କହିଛି।
