ବାଲେଶ୍ୱର : କଣ୍ଟେନର ଧକ୍କାରେ ଯୁବକ ମୃତ, ଦୁଇ ଗୋରୁ ଆହତ
ବାଲେଶ୍ୱର : ବାଲେଶ୍ୱର ଜିଲା ଦେଇ ଯାଇଥିବା ୬୦ ନମ୍ବର ଜାତୀୟ ରାଜପଥର ବସ୍ତା ଥାନା ଅନ୍ତର୍ଗତ ନଳବାହାର ଛକ ନିକଟରେ ରବିବାର ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ରାଜପଥ ଦେଇ ବିଲକୁ ଗୋରୁ ଚରେଇବାକୁ ଯାଉଥିବା ସମୟରେ ଏକ କଣ୍ଟେନର ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇଟି ଗୋରୁ ଗୁରୁତର ଭାବେ ଆହତ ହୋଇଛନ୍ତି । ମୃତ ଯୁବକ ହେଲେ ଏହି ଥାନା ଅଧିନ ଦୁଧହଂସା ଗ୍ରାମର ମନୋରଞ୍ଜନ ରାଉତ (୪୫) । ଦୁର୍ଘଟଣା ପରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଉତ୍ତେଜନା ପ୍ରକାଶ ପାଇଥିଲା ।
ଘଟଣା ମୁତାବକ ପୂର୍ବାହ୍ନ ୧୦ଟା ୩୦ ସମୟରେ ମନୋରଞ୍ଜନ ଗୋରୁ ନେଇ ବିଲକୁ ଯାଉଥିଲେ । ଗୋରୁପଲଙ୍କ ସହ ରାସ୍ତା ପାରି ହେଉଥିବା ସମୟରେ ଜଳେଶ୍ୱର ଆଡୁ ବାଲେଶ୍ୱର ଅଭିମୁଖେ ବେପରୁଆ ଭାବେ ଆସୁଥିବା ଏନ୍ଏଲ୍୦୧ଏବି-୬୩୪୭ ନମ୍ବର ବିଶିଷ୍ଟ ଏକ କଣ୍ଟେନର ପ୍ରଥମେ ଗୋରୁପଲଙ୍କୁ ଧକ୍କା ଦେଇ ମନୋରଞ୍ଜନଙ୍କ ଉପରକୁ ଚଢ଼ି ଯାଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଗ୍ରାମବାସୀ ମାନେ ଖବର ପାଇ ସେଠାରେ ପହଞ୍ଚି ପାଟିତୁଣ୍ଡ କରିଥିଲେ । ଦୀର୍ଘ ଏକ ଘଣ୍ଟା ପର୍ଯ୍ୟନ୍ତ ଉତ୍ତେଜନା ଲାଗି ରହିବା ସହ କ ଯାତାୟତ ବାଧାପ୍ରାପ୍ତ ହୋଇଥିଲା । ଉଭୟ ବସ୍ତା ଓ ରୂପସା ଥାନା ପୋଲିସ ଓ ସ୍ଥାନୀୟ ସରପଞ୍ଚ ପ୍ରତିନିଧି ମନୋରଞ୍ଜନ ବିଶ୍ୱାଳ ଘଟଣାସ୍ଥଳରେ ପହଞ୍ôଚ ଲୋକଙ୍କୁ ବୁଝାସୁଝା କରିଥିଲେ । ଏ ସଂକ୍ରାନ୍ତରେ ପୋଲିସ ଏକ ମାମଲା ରୁଜୁ କରି ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ମୃତଦେହ ବ୍ୟବଚ୍ଛେଦ ପାଇଁ ନେଇଥିଲେ । ଦୁର୍ଘଟଣା ଘଟାଇଥିବା କଣ୍ଟେନରକୁ ଥାନା ହେପାଜତରେ ରଖାଯାଇଥିବା ବେଳେ ଡ୍ରାଇଭର ଜଣକ ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ଜଣାପଡିଛି ।
