ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ
ବାଲେଶ୍ୱର : ମହାକାଶ ବିଜ୍ଞାନ କ୍ଷେତ୍ରରେ ଓଡ଼ିଶାର ଛାତ୍ରୀଛାତ୍ରଙ୍କ ପ୍ରତିଭା ଚିହ୍ନଟ ଓ ପ୍ରସାର ଲକ୍ଷ୍ୟରେ ପଠାଣି ସାମନ୍ତ ପ୍ଲାନେଟାରିୟମ୍ ସହଭାଗିତାରେ ଟାଟା ଷ୍ଟିଲ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ (ୟାଟସ୍) ପ୍ରତିଯୋଗୀତା ବସ୍ତା ଓ ବାଲିଆପାଳ ବ୍ଲକ୍ ସମେତ ବାଲେଶ୍ୱରର ବିଭିନ୍ନ ବିଦ୍ୟାଳୟରେ ଆୟୋଜିତ ହୋଇଯାଇଛି ।
ବସ୍ତାର ଶମ୍ଭୁନାଥ ଉଚ୍ଚ ବିଦ୍ୟାଳୟ, ବାଲିଆପାଳର ସୁବର୍ଣ୍ଣରେଖା ଉଚ୍ଚ ବିଦ୍ୟାଳୟ ଏବଂ ଅମର୍ଦ୍ଦା ସିଦ୍ଧେଶ୍ୱର ଉଚ୍ଚ ବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ଆୟୋଜିତ କୁଇଜ ଓ ପ୍ରବନ୍ଧ ଲିଖନ ପ୍ରତିଯୋଗୀତାରେ ୪୭୦ ଜଣ ଛାତ୍ରୀଛାତ୍ର ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ଯଥାକ୍ରମେ ବିଦ୍ୟାଳୟଗୁଡ଼ିକର ପ୍ରଧାନ ଶିକ୍ଷୟିତ୍ରୀ ଅଳକା ବିନ୍ଧାଣୀ, ପ୍ରଧାନ ଶିକ୍ଷକ ସଞ୍ଜୟ ଜେନା ଓ ରାଜେଶ କୁମାର ସେଠୀଙ୍କ ସମେତ ସୁବର୍ଣ୍ଣରେଖା ବନ୍ଦରର ବରିଷ୍ଠ ବିଭାଗୀୟ ପ୍ରବନ୍ଧକ ପ୍ରମୋଦ କୁମାର ଉପସ୍ଥିତ ଥିଲେ । ବାଲେଶ୍ୱରରେ ବର୍ତ୍ତମାନ ସୁଦ୍ଧା ୧୧ଟି ବିଦ୍ୟାଳୟରେ ସମାନ ପ୍ରତିଯୋଗୀତାର ଆୟୋଜନ କରାଯାଇଥିବା ବେଳେ ଏଥିରେ ମୋଟ୍ ୨୦୮୦ ଜଣ ଛାତ୍ରୀଛାତ୍ର ଅଂଶଗ୍ରହଣ କରିଛନ୍ତି ।
ଚଳିତବର୍ଷ ୟାଟସ୍ ହାଇବ୍ରିଡ଼ ମୋଡ଼ରେ ଆୟୋଜନ କରାଯାଉଛି । ଯେଉଁଥିରେ ଛାତ୍ରୀଛାତ୍ରମାନେ ବ୍ୟକ୍ତିଗତ ଭାବେ ନିଜ ବିଦ୍ୟାଳୟ ଓ ଭର୍ଚୁଆଲ ୟାଟସ୍ ୱେବସାଇଟ୍ ଜରିଆରେ ଏହି ପ୍ରତିଯୋଗୀତାରେ ଅଂଶଗ୍ରହଣ କରୁଛନ୍ତି । ଚଳିତବର୍ଷ ୟାଟସ୍ ୨୦୨୨ର ବିଷୟବସ୍ତୁ ହେଉଛି ‘ବ୍ରହ୍ମାଣ୍ଡ ରହସ୍ୟ ଉନ୍ମୋଚନ କରିବାର ଏବେ ସମୟ’ । ଓଡ଼ିଶାର ପ୍ରତ୍ୟେକ ଜିଲାରୁ ଶ୍ରେଷ୍ଠ ୨ଜଣ ପ୍ରତିଯୋଗୀଙ୍କୁ ଆସନ୍ତା ଡିସେମ୍ବର ୧୩ ତାରିଖରେ ଭୁବନେଶ୍ୱର ଠାରେ ଆୟୋଜିତ ହେବାକୁ ଥିବା ଗ୍ରାଣ୍ଡ ଫିନାଲେ ନିମନ୍ତେ ଆମନ୍ତ୍ରିତ କରାଯିବ । ଏହି ଅବସରରେ ବ୍ୟକ୍ତିଗତ ସାକ୍ଷାତକାର ଆଧାରରେ ଚୂଡ଼ାନ୍ତ ମୂଲ୍ୟାଙ୍କନ ପରେ ଶ୍ରେଷ୍ଠ ୨୦ ଜଣ ବିଜେତାଙ୍କୁ ପୁରସ୍କୃତ କରାଯିବ ।
ଜ୍ୟୋତିର୍ବିଜ୍ଞାନର ରହସ୍ୟ ସମ୍ପର୍କରେ ଯୁବ ପ୍ରତିଭାମାନଙ୍କ ଜ୍ଞାନ ପରିସୀମାକୁ ବୃଦ୍ଧି କରିବା ଦିଗରେ ୟାଟସ୍ ୧୫ ବର୍ଷ ପୂରଣ କରିଛି । ଓଡ଼ିଶାର ଛାତ୍ରୀଛାତ୍ରମାନଙ୍କ ମଧ୍ୟରେ ଅନ୍ତରୀକ୍ଷ ବିଜ୍ଞାନକୁ ଓଡ଼ିଶାର କିମ୍ବଦନ୍ତୀ ପୁରୁଷ ଜ୍ୟୋତିର୍ବିଜ୍ଞାନୀ ପଠାଣି ସାମନ୍ତଙ୍କ ଅବଦାନକୁ ଲୋକପ୍ରିୟ କରିବା ଲକ୍ଷ୍ୟରେ ଏହାର ଆୟୋଜନ କରାଯାଉଛି । ଓଡ଼ିଶାର ୯ମ ରୁ ୧୦ମ ଶ୍ରେଣୀର ସମସ୍ତ ଛାତ୍ରୀଛାତ୍ର ଏହି ପ୍ରତିଯୋଗିତାରେ ଭାଗ ନେଇପାରିବେ ।
