ବିଜେପିକୁ ଝଟ୍କା : କଂଗ୍ରେସରେ ଯୋଗଦେଲେ ୟଶପାଲ୍ ଆର୍ଯ୍ୟ ଓ ପୁଅ ସଞ୍ଜୀବ
ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡରେ ବିଜେପିକୁ ଝଟ୍କା । କ୍ୟାବିନେଟ୍ ମନ୍ତ୍ରୀ ୟଶପାଲ୍ ଆର୍ଯ୍ୟ ଓ ତାଙ୍କ ପୁଅ ସଞ୍ଜୀବ ଆର୍ଯ୍ୟ ପୁଣି ଥରେ କଂଗ୍ରେସରେ ଯୋଗଦେଇଛନ୍ତି । କିଛି ବର୍ଷ ତଳେ କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଥିଲେ ।
ଆଉ କିଛି ଦିନ ପରେ ଉତ୍ତରାଖଣ୍ଡରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ହେଲେ ନିର୍ବାଚନର କିଛି ପୂର୍ବରୁ ଶାସକ ଦଳକୁ ଲାଗିଛି ଜୋରଦାର ଝଟ୍କା । ୨୦୧୭ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଥିଲା ୟଶପାଲ୍ ଆର୍ଯ୍ୟ ଓ ତାଙ୍କ ପୁଅ ସଞ୍ଜୀବ ଆର୍ଯ୍ୟ ପୁଣି ଥରେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୂଆଦିଲ୍ଲୀ ସ୍ଥିତ କଂଗ୍ରେସ ମୁଖ୍ୟାଳୟରେ ଉଭୟ ନେତା କଂଗ୍ରେସରେ ପୁଣି ଥରେ ସାମିଲ ହୋଇଛନ୍ତି । ଏହି ମିଶ୍ରଣ ପର୍ବ ସମୟରେ କଂଗ୍ରେସ ସଂଗଠନ ସଚିବ କେସି ବେଣୁଗୋପାଳ, ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଷ ରାଓ୍ୱତ, ରଣଦୀପ ସୁରେଜ୍ଓ୍ୱାଲା ସାମିଲ ଥିଲେ । କଂଗ୍ରେସରେ ସାମିଲ ହେବା ପୂର୍ବରୁ ୟଶପାଲ୍ ଆର୍ଯ୍ୟ ଉତ୍ତରାଖଣ୍ଡର କ୍ୟାବିନେଟ୍ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ୟଶପାଲ ଓ ତାଙ୍କ ପୁଅ ସଞ୍ଜୀବ ୨୦୧୭ରେ ବିଜେପିରେ ସାମିଲ ହୋଇଥିଲେ । ବିଜେପି ରାଜ୍ୟରେ ସରକାର ଗଢିବା ପରେ ୟଶପାଲ୍ଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଦାୟିତ୍ୱ ଦିଆଯାଇଥିଲେ । ଏବେ ୨ଜଣ ନେତା ବିଜେପି ଛାଡି କଂଗ୍ରେସରେ ସାମିଲ ହୋଇଛନ୍ତି । ସୂଚନା ଯେ,କିଛି ମାସ ହେଲା ୟଶପାଲ୍ ଆର୍ଯ୍ୟଙ୍କର ବିଜେପି ନେତୃବୃନ୍ଦଙ୍କ ସହିତ ମତଭେଦ ଚାଲିଥିଲା । ଏପିରିକି ଏଥିନେଇ ରାଜ୍ୟର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ନିକଟରେ ୟଶପାଲ ଆର୍ଯ୍ୟଙ୍କ ସହିତ ସାକ୍ଷାତ କରି ତାଙ୍କୁ ବୁଝାଇଥିଲେ । କିନ୍ତୁ ତାହା ବିଫଳ ହୋଇଥିଲା ।
