ଡବ୍ଲୁପିଏଲ : ମୁମ୍ବାଇ ଇଣ୍ଡିଆନ୍ସ ବିଜୟରେ ବ୍ରେକ, ୫ ୱିକେଟରେ ହରାଇଲା ୟୁପି ୱାରିୟର୍ସ
ନୂଆଦିଲ୍ଲୀ : ମହିଳା ପ୍ରିମିୟର ଲିଗ୍ (ଡବ୍ଲୁପିଏଲ)ର ପ୍ରଥମ ସଂସ୍କରଣରେ ମୁମ୍ବାଇ ଇଣ୍ଡିଆନ୍ସର ବିଜୟରେ ଲାଗିଲା ବ୍ରେକ। କ୍ରମାଗତ ୫ ମ୍ୟାଚ୍ ଜିତି ପ୍ଲେଅଫରେ ସ୍ଥାନ ପକ୍କା କରି ସାରିଥିବା ହରମନପ୍ରୀତ କୌରଙ୍କ ଦଳ ପ୍ରଥମ ପରାଜୟ ବରଣ କରିଛି। ବେଶ ଚମତ୍କାର ଢଙ୍ଗରେ ମୁମ୍ବାଇକୁ ୫ ୱିକେଟରେ ହରାଇଲା ୟୁପି ୱାରିୟର୍ସ । ଏଥିସହ ଦଳ ୬ ମ୍ୟାଚ୍ରୁ ୩ ପରାଜୟ ଓ ୩ ବିଜୟ ସହ ପଏଣ୍ଟ ଟେବୁଲର ୩ୟ ସ୍ଥାନରେ ପହଞ୍ଚିଛି।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରୁଥିବା ମୁମ୍ବାଇ ଠିକଠାକ ଆରମ୍ଭ କରିଥିଲେ ହେଁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଓପନର ୟାସ୍ତିକା ଭାଟିଆ(୭) ଓ ୩ନଂରେ ବ୍ୟାଟିଂ କରୁଥିବା ନ୍ୟାଟ ସ୍କିଭର ବ୍ରଣ୍ଟ(୫) ରନ କରିବାକୁ ସକ୍ଷମ ହୋଇଥିଲେ। କିଛି ସମୟ ପାଇଁ ଏଚ୍ ମାଥ୍ୟୁସ ଓ ହରମନପ୍ରୀତ କୌର ଲଢ଼େଇ କରିଥିଲେ ହେଁ ଯଥାକ୍ରମେ ୩୫ ଓ ୨୫ ରନ କରି ଆଉଟ ହୋଇଯାଇଥିଲେ। ମଧ୍ୟକ୍ରମରେ ଇସି ୱଙ୍ଗ(୩୨)ଙ୍କୁ ଛାଡ଼ି ଦେଲେ ଆଉ କେହି ବି ବଡ଼ ପାଳି ଖେଳିବାକୁ ସକ୍ଷମ ହୋଇ ନଥିଲେ। ସେହିପରି ମାଥ୍ୟୁସ, କୌର ଓ ୱଙ୍ଗଙ୍କୁ ଛାଡ଼ି ଦେଲେ ମୁମ୍ବାଇର ଆଉ କୌଣସି ବ୍ୟାଟର ୨ ଅଙ୍କ ଛୁଇଁବାକୁ ମଧ୍ୟ ସକ୍ଷମ ହୋଇ ନଥିଲେ। ଶେଷରେ ପୂରା ଟିମ୍ ୧୨୭ ରନ କରି ଅଲଆଉଟ ହୋଇଯାଇଥିଲା। ୟୁପି ପକ୍ଷରୁ ଏସ୍ଲେଷ୍ଟୋନ ୩ଟି ୱିକେଟ ନେଇଥିବା ବେଳେ ଦୀପ୍ତିଶର୍ମା ଓ ରାଜେଶ୍ୱରୀ ଗାଏକ୍ୱାଡ ୨ଟି ଲେଖାଏ ସଫଳତା ପାଇଥିଲେ। ଅଞ୍ଜଳୀ ଶ୍ରାବଣୀଙ୍କ ଖାତାକୁ ମଧ୍ୟ ଗୋଟିଏ ୱିକେଟ ଯାଇଥିଲା।
୧୨୮ ରନର ଟାର୍ଗେଟ ପିଛା କରୁଥିବା ୟୁପି ମଧ୍ୟ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦେବିକା ବୈଦ୍ୟ(୧), ଅଧିନାୟକ ଏସିଲା ହିଲି(୮) ଓ କିରଣ ନାଭଗିରେ(୧୨) ରନ ଆଉଟ ହୋଇଯାଇଥିଲେ। ଦଳ ୨୭ ରନ ଭିତରେ ୩ ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା। ଏତିକି ବେଳେ ଦୁଇ ବିଦେଶୀ ଖେଳାଳି ତାହଲିଆ ମ୍ୟାଗ୍ରାଥ ଓ ଗ୍ରେସ ହାରିସ ସ୍ଥିତି ସମ୍ଭାଳିଥିଲେ। ମ୍ୟାଗ୍ରାଥ ୩୮ ଓ ହାରିସ ୩୯ ରନର ଇନିଂସ ଖେଳି ୟୁପିକୁ ବିପର୍ଯ୍ୟୟର ଉଦ୍ଧାର କରିଥିଲେ। ତେବେ ୭୧ ରନରେ ମ୍ୟାଗ୍ରାଥ ଓ ଦଳକୁ ଜିତିବା ପାଇଁ ୨୩ ରନ ଦରକାର ଥିବା ବେଳେ ହାରିସ ଆଉଟ ହୋଇଯିବାରୁ ମ୍ୟାଚ୍ରେ ପୁଣି ରୋମାଞ୍ଚ ଫେରିଥିଲା। କିନ୍ତୁ ଦୀପ୍ତି ଶର୍ମା(୧୪ ବଲରେ ଅପରାଜିତ ୧୩) ଓ ଏସ୍ଲେଷ୍ଟୋନ (୧୭ ବଲରେ ଅପରାଜିତ ୧୬) ୟୁପିକୁ ଆଉ କୌଣସି କ୍ଷତି ସହିବାକୁ ଦେଇ ନଥିଲେ। ଉଭୟ ଶେଷ ୱିକେଟ ପାଇଁ ଅପରାଜିତ ୨୫ ରନ ଯୋଡ଼ି ଦଳକୁ ୩ ବଲ ପୂର୍ବରୁ ବିଜୟ ଭେଟି ଦେଇଥିଲେ। ମୁମ୍ବାଇ ପକ୍ଷରୁ ଆମେଲି କେର ୨ଟି ୱିକେଟ ନେଇଥିବା ବେଳେ ନାଟ, ମାଥ୍ୟୁସ ଓ ୱଙ୍ଗ ଗୋଟିଏ ଲେଖାଏ ସଫଳତା ପାଇଛନ୍ତି।
