ଲେହରେ ଉଦ୍ଘାଟିତ ହେଲା ବିଶ୍ୱର ବୃହତ୍ତମ ‘ଖଦି ଜାତୀୟ ପତାକା’
ନୂଆଦିଲ୍ଲୀ : ଲେହରେ ଉଦ୍ଘାଟିତ ହେଲା ବିଶ୍ୱର ବୃହତ୍ତମ ‘ଖଦି ଜାତୀୟ ପତାକା’ (ତ୍ରିରଙ୍ଗା)। ଶନିବାର ଗାନ୍ଧୀ ଜୟନ୍ତୀ ଅବସରରେ ଲଦାଖର ଉପରାଜ୍ୟପାଳ ଆର୍କେ ମାଥୁର ଏହି ତ୍ରିରଙ୍ଗାକୁ ଉଦ୍ଘାଟନ କରିଛନ୍ତି। ଏହି ପତାକାର ଲମ୍ବ ୨୨୫ ଫୁଟ୍, ପ୍ରସ୍ଥ ୧୫୦ ଫୁଟ୍ ଏବଂ ଓଜନ ୧୦୦୦ କିଲୋଗ୍ରାମ୍ ବୋଲି ରାଷ୍ଟ୍ରାୟତ ‘ଦୂରଦର୍ଶନ’ ରିପୋର୍ଟ କରିଛି। ‘ଦୂରଦର୍ଶନ’ ଏହି ଉଦ୍ଘାଟନୀ ଉତ୍ସବର ପ୍ରସାରଣ କରିଛି । କାର୍ଯ୍ୟକ୍ରମରେ ଦୁଇଦିନିଆ ଲଦାଖ ଗସ୍ତରେ ଥିବା ସେନା ମୁଖ୍ୟ ଜେନେରାଲ୍ ମନୋଜ ମୁକୁନ୍ଦ ନରୱଣେ, ବରିଷ୍ଠ ସେନା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
ଉଦ୍ଘାଟନୀ ଉତ୍ସବକୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡାବୀୟ ଭାରତ ପାଇଁ ବଡ଼ ଗୌରବର ମୁହୂର୍ତ୍ତ ବୋଲି ଅଭିହିତ କରିଛନ୍ତି। ଟୁଇଟ୍ କରି ସେ ଲେଖିଛନ୍ତି, ଗାନ୍ଧୀଜୀଙ୍କ ଜୟନ୍ତୀରେ, ଲଦାଖର ଲେହ୍ରେ ବିଶ୍ବର ବୃହତ୍ତମ ଖଦି ତ୍ରିରଙ୍ଗା ଉନ୍ମୋଚିତ ହେଲା। ବାପୁଙ୍କ ସ୍ମୃତି, ଭାରତୀୟ କାରିଗର ଏବଂ ଜାତିକୁ ସମ୍ମାନ ଦେଉଥିବା ଏହି ଉତ୍ସବକୁ ମୁଁ ଅଭିବାଦନ ଜଣାଉଛି। ସୂଚନା ଯେ, ଭାତର ଓ ସମଗ୍ର ବିଶ୍ୱରେ ମହାତ୍ମା ଗାନ୍ଧୀ ନାମରେ ସୁପରିଚିତ ମୋହନଦାସ କରମଚାନ୍ଦ ଗାନ୍ଧୀଙ୍କର ଆଜି ହେଉଛି ୧୫୨ତମ ଜନ୍ମ ଦିବସ। ଖଦିର ପ୍ରସାର ପାଇଁ ଉଦ୍ୟମ କରିଥିବା ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ଖଦି ଜାତୀୟ ପତାକା ଉଦଘାଟନ ହୋଇଛି।


