ବିଶ୍ୱ ମାନବାଧିକାର ଦିବସ ପାଳିତ
ବାଲେଶ୍ୱର : ବାଲେଶ୍ୱର ଜିଲା ଆଇନସେବା ପ୍ରାଧିକରଣ ଆନୂକୁଲ୍ୟରେ ଚୁନଭାଟି ସ୍ଥିତ ବାଲେଶ୍ୱର ସ୍କୁଲ୍ ଅଫ୍ ଇଞ୍ଜିନିୟରିଂ କଲେଜ ପରିସରରେ ବିଶ୍ୱ ମାନବାଧିକାର ଦିବସ ପାଳିତ । ଜିଲା ଏବଂ ଦୌରା ଜଜ୍ ତଥା ଜିଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷ ଅଶାନ୍ତ କୁମାର ଦାସଙ୍କ ନିର୍ଦ୍ଦେଶ କ୍ରମେ ଜିଲା ଆଇନସେବା ପ୍ରାଧିକରଣ ବାଲେଶ୍ୱର, ଇଣ୍ଟରନ୍ୟାସନାଲ ଜଷ୍ଟିସ୍ ମିଶନ ଇଣ୍ଡିଆ ଏବଂ ବାଲେଶ୍ୱର ସ୍କୁଲ୍ ଅଫ୍ ଇଞ୍ଜିନିୟରିଂର ମିଳିତ ସହଭାଗିତାରେ ଏହି ଦିବସ ପାଳିତ ହୋଇଯାଇଛି ।
ଏହି ଅବସରରେ ଆୟୋଜିତ ଆଇନ୍ ସଚେତନତା ଶିବିରରେ ଅତିରିକ୍ତ ଜିଲା ଏବଂ ଦୌରାଜଜ୍ ତଥା ସ୍ୱତନ୍ତ୍ର ଜଜ୍ ପୋକ୍ସୋ ରଞ୍ଜନ କୁମାର ସୁତାର ଅଧ୍ୟକ୍ଷତା କରିଥିଲେ । ଜିଲା ସ୍ଥାୟୀ ଏବଂ ନିରନ୍ତର ଲୋକ ଅଦାଲତର ଅଧ୍ୟକ୍ଷ ଚିନ୍ତାମଣି ପଣ୍ଡା, ଅତିରିକ୍ତ ଜିଲା ଏବଂ ଦୌରା ଜଜ୍ ସଞ୍ଜୀବ ରଞ୍ଜନ ସାମନ୍ତ, ଜିଲା ଆଇନସେବା ପ୍ରାଧିକରଣର ସଚିବ ପ୍ରିୟ ରଞ୍ଜନ ଓଝା, ଅତିରିକ୍ତ ଜିଲାପାଳ ନିଲୁ ମହାପାତ୍ର, ବାଲେଶ୍ୱର ସ୍କୁଲ ଅଫ୍ ଇଂଜିନିୟରିଂର ଅଧ୍ୟକ୍ଷ କରୁଣାକର ମହାଳିକ ଯୋଗଦେଇ ବିଶ୍ୱ ମାନବାଧିକାର ଦିବସ ପାଳନର ତାତ୍ପର୍ଯ୍ୟ ଏବଂ ମାନବାଧିକାରର ସୁରକ୍ଷା ପାଇଁ ସରକାର ଗ୍ରହଣ କରୁଥିବା ବିଭିନ୍ନ ପଦକ୍ଷେପ ଗୁଡ଼ିକ ସମ୍ପର୍କରେ ବିସ୍ତୃତ ଭାବରେ ଅଲୋଚନା କରିଥିଲେ ।
ଇଣ୍ଟରନ୍ୟାସନାଲ ଜଷ୍ଟିସ ମିଶନ ଇଣ୍ଡିଆର ହେଡ୍ ପ୍ରୋଗ୍ରାମର ଅମିତ୍ ନାୟକ ସ୍ଲାଇଡ୍ ସୋ ମାଧ୍ୟମରେ ମାନବଧିକାରର ସୁରକ୍ଷା ପାଇଁ ପ୍ରଣୟନ ହୋଇ ଥିବା ବିଭିନ୍ନ ଆଇନ ଗୁଡିକୁ ପ୍ରଦର୍ଶିତ କରିଥିଲେ । ଶେଷରେ ଜିଲା ଆଇନସେବା ପ୍ରାଧିକରଣର ପ୍ୟାନେଲ ଲୟର ସତ୍ୟେନ୍ଦ୍ର ଉମାଶଙ୍କର ରାଉତ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
