ବିଶ୍ୱ ମତ୍ସ୍ୟ ଦିବସ ପାଳନ : ସମ୍ମାନିତ ହେଲେ ୫ ଅଗ୍ରଣୀ ହିତାଧିକାରୀ
ବାଲେଶ୍ୱର : ବାଲେଶ୍ୱର ସହର ଏଡ଼ିଏମ୍ ଛକ ସ୍ଥିତ ବ୍ରିଟ୍ କଲ୍ୟାଣ ମଣ୍ଡପ ପରିସରରେ ଜିଲା ମତ୍ସ୍ୟ ବିଭାଗ ଆନୁକୂଲ୍ୟରେ ଜିଲାର ୫୦ଜଣ ଅଗ୍ରଣୀ ମତ୍ସ୍ୟ ଚାଷୀ, ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ନେଇ ବିଶ୍ୱ ମତ୍ସ୍ୟ ଦିବସ ଅନୁଷ୍ଠିତ ହୋଇଛି । ଆୟୋଜିତ ସଭାରେ ଜିଲା ମତ୍ସ୍ୟ ଅଧିକାରୀ ଜିତେନ୍ଦ୍ର କୁମାର ବେହେରା ପ୍ରାରମ୍ଭିକ ଭାଷଣ ରଖିବା ସହ ଅତିଥି ପରିଚୟ ଏବଂ ବିଶ୍ୱ ମତ୍ସ୍ୟ ଦିବସର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ ।
ମୁଖ୍ୟଅତିଥି ଭାବେ ଜିଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଯୋଗଦେଇ ଆୟୋଜିତ ସଭାକୁ ଉଦ୍ଘାଟନ କରିଥିଲେ । ମହିଳାମାନଙ୍କୁ କିପରି ମତ୍ସ୍ୟ ଚାଷ ଏବଂ ତତ୍ସଂଲଗ୍ନ କାର୍ଯ୍ୟରେ କିପରି ଅଧିକରି ଅଧିକ ଅଂଶଗ୍ରହଣ ତଥା ଉତ୍ପାଦକ ଗୋଷ୍ଠୀ ଉତ୍ପନ୍ନ ସମ୍ପର୍କରେ ଆହ୍ୱାନ ଦେଇଥିଲେ । ଏମ୍କେୟୁୱାଇ ଯୋଜନା ମାଧ୍ୟମରେ ଉଦ୍ୟୋଗୀ ସୃଷ୍ଟିକରଣକୁ ପ୍ରାଧାନ୍ୟ ଦେଇ ଜିଲା ଆଗାମୀ ଦିନରେ କିପରି ଏକ୍ସପର୍ଟ ହବ୍ ରୂପେ ପରିଗଣିତ ହେବ ସେନେଇ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବେ ଜିଲାପରିଷଦ ଅଧ୍ୟକ୍ଷ ନାରାୟଣ ଚନ୍ଦ୍ର ପ୍ରଧାନ ଯୋଗଦେଇ ମଧୁର, ଲୁଣି ତଥା ସାମୁଦ୍ରିକ ମତ୍ସ୍ୟ ଚାଷରେ ଜିଲାକୁ କିପରି ମତ୍ସ୍ୟ ଚାଷରେ ପ୍ରଥମ ସ୍ଥାନରେ ରଖିବା ଏବଂ ସମସ୍ତ ସରକାରୀ ଯୋଜନାର ସଫଳ ରୂପାୟନ ଉପରେ ଗୁରୁତ୍ୱାରୋପ କରିଥିଲେ ।
ଅତିଥି ଭାବେ ଜିଲା ମୁଖ୍ୟ କୃଷି ଅଧିକାରୀ ନିକୁଞ୍ଜ କୁମାର ରାଉତ, ଜିଲା ମୁଖ୍ୟ ପ୍ରାଣୀଧନ ଅଧିକାରୀ ଡ. ବନମାଳୀ ସାହୁ, ଜିଲା ପ୍ରକଳ୍ପ ନିର୍ଦ୍ଦୋକ ମୃତ୍ତିକା ସଂରକ୍ଷଣ ଶିବଚରଣ ଜେଠୀ, ବାଲେଶ୍ୱର କୃଷି ବଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ସ୍ୱାଗତିକା ସାହୁ, ଜିଲା ଅଗ୍ରଣୀ ଶାଖା ପରିଚାଳକ ବିଶ୍ୱଜିତ୍ ଶତପଥୀ, ନାବାର୍ଡ଼ ଜିଲା ବିକାଶ ପ୍ରବନ୍ଧକ ତାପସ ରଞ୍ଜନ ପ୍ରଧାନ, ମିଶନ ଶକ୍ତିର ଜିଲା ପ୍ରକଳ୍ପ ସଂଯୋଜକ ବିଶ୍ୱଜିତ ପରିଡ଼ା ଉପସ୍ଥିତ ରହି ବିଶ୍ୱ ମତ୍ସ୍ୟ ଦିବସ ଏବଂ ମତ୍ସ୍ୟ ଚାଷ ଉପରେ ଆଲୋଚନା କରିଥିଲେ । ମତ୍ସ୍ୟ ଚାଷ ଦ୍ୱାରା ଚାଷୀର ଆୟ କିଭଳି ଦ୍ୱିଗୁଣିତ ତଥା ବହୁଗୁଣିତ ହୋଇପାରିବ ତଥା ବିଭିନ୍ନ ସରକାରୀ ଯୋଜନାଗୁଡ଼ିକ ଦ୍ୱାରା ଲାଭାନ୍ୱିତ ହୋଇପାରିବେ ତାହା ଆଲୋକପାତ କରିଥିଲେ । ଜିଲାରେ କାର୍ଯ୍ୟକାରୀ ହେଉଥିବା ମଧୁର, କ୍ଷାରୀ ତଥା ସାମୁଦ୍ରିକ ବିଭାଗର ବିଭିନ୍ନ ଯୋଜନାଗୁଡ଼ିକ ସମ୍ପର୍କରେ ଚାଷୀମାନଙ୍କୁ ଅବଗତ କରାଯାଇଥିଲା । ଏହାର ସଫଳ ରୂପାୟନ ନିମନ୍ତେ ଚାଷୀମାନଙ୍କୁ ସଚେତନ କରାଯାଇଥିଲା । ବିଭିନ୍ନ ଯୋଜନା ମାଧ୍ୟମରେ ଉପକୃତ ହୋଇ ଶ୍ରେଷ୍ଠତ୍ୱ ପ୍ରତିପାଦନ କରିଥିବାରୁ ୫ଜଣ ଅଗ୍ରଣୀ ହିତାଧିକାରୀଙ୍କୁ ମାନପତ୍ର, ପୁରସ୍କାର ଏବଂ ଉପଢ଼ୌକନ ଦେଇ ସମ୍ମାନିତ କରିଥିଲେ । ଅତିରିକ୍ତ ମତ୍ସ୍ୟ ଅଧିକାରିଣୀ ସ୍ୱୀକୃତି ସ୍ୱରୂପା ମିଶ୍ର ସଭା ପରିଚାଳନା କରିଥିବା ବେଳେ ଜିଲା ମତ୍ସ୍ୟ ବିଭାଗ ତଥା ସାମୁଦ୍ରିକ ମତ୍ସ୍ୟ ବିଭାଗର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ । ଶେଷରେ ସହକାରୀ ମତ୍ସ୍ୟ ଅଧିକାରୀ ସ୍ୱର୍ଣ୍ଣରେଖା ବେହେରା ଧନ୍ୟବାଦ ଦେଇଥବଲେ ।
