ପର୍ଯ୍ୟଟକଙ୍କ ପାଇଁ ଖୋଲିବ ବିଶ୍ୱପ୍ରସିଦ୍ଧ ଶିମିଳିପାଳ ପର୍ଯ୍ୟଟକଙ୍କ ସୁବିଧା ପାଇଁ ଚାଲିଛି ବ୍ୟାପକ ପ୍ରସ୍ତୁତି ୫ଟି ନେଚର କ୍ୟାମ୍ପ ସହ ରାତ୍ରୀଯାପନ ପାଇଁ ୫୯ଟି କୁଟୀର ପ୍ରସ୍ତୁତ
ବାରିପଦା : ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆସନ୍ତା ନଭେମ୍ବର ୧ ତାରିଖରେ ପର୍ଯ୍ୟଟକ ମାନଙ୍କ ପାଇଁ ବିଶ୍ୱ ପ୍ରସିଦ୍ଧ ଶିମିଳିପାଳ ଅଭୟାରଣ୍ୟ ଖୋଲିବା ନେଇ ବ୍ୟାପକ ପୂର୍ବ ପ୍ରସ୍ତୁତି ଚାଲିଥିବାର ଜଣାଯାଇଛି । ଶିମିଳିପାଳ ମଧ୍ୟକୁ ପ୍ରବେଶ ନିମନ୍ତେ ଅନଲାଇନ ଯୋଗେ ଯାନବାହନ ପରମିଟ ଏବଂ ଶିମିଳିାଳ ଭିତରେ ରହିବା ପାଇଁ କଟେଜ ବ୍ୟବସ୍ଥା କରାଯାଇଛି । ସାନ୍ତାଳ କଟେଜ, ଟ୍ରି ହାଉସ, ବାମ୍ବୋ ହାଉସ ସହିତ ସୁସ୍ୱାଦୁ ଖାଦ୍ୟ ପାଇଁ ମଧ୍ୟ ଅଗ୍ରୀମ ଅର୍ଡର ଦେବାର ବ୍ୟବସ୍ଥା କରାଯାଇଛି । ମୋଟ ୨୭୫୦ବର୍ଗ କି.ମି. ପରିମିତ ଶିମିଳିପାଳର ନୈସ୍ୱର୍ଗୀକ ଶୋଭାରାଜି ଏଠାକାର ନଭଶ୍ଚୁମ୍ଭୀ ଶାଳବଣ, ଝରଣା, ଜଳପ୍ରପାତ, ସହ ନିକଟରୁ ବନ୍ୟପ୍ରାଣୀଙ୍କୁ ଦେଖିବା ନିମନ୍ତେ ସାରା ବିଶ୍ୱର ପ୍ରକୃତିପ୍ରେମୀଙ୍କୁ ଆକର୍ଷିତ କରିଥାଏ । ତେବେ ବାରିପଦା ପଟୁ ପିଠାବଟା ଗେଟ ଦେଇ ଏବଂ ଯଶିପୁର ପଟୁ କାଳିଆମୀ ପ୍ରବେଶ ପଥ ଦେଇ ପର୍ଯ୍ୟଟକମାନେ
ଅଭୟାରଣ୍ୟ ମଧ୍ୟକୁ ପ୍ରବେଶ କରିବାକୁ ବ୍ୟବସ୍ଥା ରହିଥିବା ବେଳେ, ପର୍ଯ୍ୟଟକ ମାନଙ୍କ ପାଇଁ ଜେନାବିଲ, ଜାମୁଆଣି, କୁମାରୀ, ଗୁଡ଼ୁଗୁଡ଼ିଆ, ବରେହିପାଣି ଓ ରାମତୀର୍ଥ ଠାରେ ୫ଟି ନେଚର କ୍ୟାମ୍ପ ରହିଥିବା ବେଳେ, ୫ଟି ବଫର ଜୋନରେ ରାତ୍ରୀଯାପନ କରିବା ପାଇଁ ମୋଟ୫୯ଟି କୁଟୀର ବା କଟେଜ ରହିଥିବା ଜଣାଯାଇଛି । ଅଭୟାରଣ୍ଯ ଭିତରକୁ ପ୍ରବେଶ ପାଇଁ ସାଥିରେ ବିଭାଗୀୟ ଗାଇଡ ନେବାକୁ ବାଧ୍ୟତାମୂଳକ କରାଯାଇଥିବା ବେଳେ, ଅଭୟାରଣ୍ୟ ଭିତରକୁ ପଲିଥିନ, ଅଗ୍ନି ସଂଯୋଗକାରୀ ସାମଗ୍ରୀ, ଆମିଷ ଓ ମାଦକଦ୍ରବ୍ୟ ନେବା ଉପରେ କଟକଣା ଲାଗୁ କରାଯାଇଛି । ଅଭୟାରଣ୍ୟ ଭିତରକୁ ପ୍ରବେଶ କରିଥିବା ପର୍ଯ୍ୟଟକ ମାନେ ଅପରାହ୍ନ ୩ଟା ପୂର୍ବରୁ ଯୋରନ୍ଦା ଓ ବରେହିପାଣି ଷ୍ଟେସନ ଏବଂ ଅପରାହ୍ନ ୪ଟା ପୂର୍ବରୁ ଚହଲା ଷ୍ଟେସନ ଛାଡ଼ିବା ପାଇଁ ନିୟମ କରାଯାଇଛି । ଶିମିଳିପାଳରେ ପର୍ଯ୍ୟଟକଙ୍କ ରାତ୍ରିଯାପନ ପାଇଁ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବା ସହ ସେମାନଙ୍କ ସୁରକ୍ଷା ନିମନ୍ତେ ସ୍ୱତନ୍ତ୍ର ସ୍କାଡ ଗଠନ ସହ ବନ ସୁରକ୍ଷା ସମିତି ମାଧ୍ୟମରେ ଖାଦ୍ୟ ପରିବେଷଣ ପାଇଁ ବ୍ୟବସ୍ଥା କରାଯାଇଛି । ଶିମିଳିପାଳ ଭିତରେ ରାତ୍ରୀ ରହଣୀ ଏବଂ ଖାଦ୍ୟ ଯୋଗାଣ ନିମନ୍ତେ ବୁକିଂ ପାଇଁ ଅନ୍ଲାଇନ ବ୍ୟବସ୍ଥା କରାଯାଇଛି ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି । ସେହିପରି ଶିମିଳିପାଳ ଭିତରର ରାସ୍ତା ସବୁ ମାଟିରାସ୍ତା ହୋଇଥିବାରୁ ବର୍ଷାଦିନରେ ରାସ୍ତାଗୁଡିକର ଅବସ୍ଥା ଖରାପ ହୋଇଯାଇଥିବାରୁ ବର୍ତମାନ ଅଗ୍ରାଧିକାର ଭିତିରେ ରାସ୍ତା ଓ ପୋଲ ମରାମତି କାମ ଚାଲିଥିବାର ଜଣାଯାଇଛି ।
