ବିଶ୍ୱ ସାଇକେଲ ଦିବସ
”ବିଶ୍ୱ ସାଇକେଲ ଦିବସ” ପ୍ରତିବର୍ଷ ଜୁନ ୩ ତାରିଖରେ ପାଳନ କରାଯାଏ । ଅପ୍ରେଲ ୨୦୧୮ ମସିହାରେ ମିଳିତ ଜାତିସଂଘ ସାଧାରଣ ସଭାଦ୍ୱାରା ଏହି ନିଷ୍ପତି ନିଆଯାଇ ଏ ପରମ୍ପରା ଆରମ୍ଭ ହୋଇଥିଲା । ବିଶ୍ୱ ସାଇକେଲ ଦିବସରେ, “ଦୁଇଶହ ବର୍ଷରୁ ଅଧିକ ବର୍ଷ ଧରି ଚାଲି ଆସିଥିବା ସାଇକେଲର ବିଶିଷ୍ଟତା, ଦୀର୍ଘ ଆୟୁ, ବହୁମୁଖୀତା, ନିର୍ଭରଯୋଗ୍ୟତା ଓ ସୁଲଭ ଦର ଏବଂ ପରିବେଶ ସୁରକ୍ଷା ଦିଗରେ ଥିବା ଅବଦାନକୁ ସ୍ୱୀକାର କରାଯାଇଥାଏ ।”
ବିଶ୍ୱ ସାଇକେଲ ଦିବସର ଅୟମାରମ୍ଭ :
ଆମେରିକୀୟ ପ୍ରଫେସର ଲେସଜେକ ସିବିଲସ୍କି, ନିଜେ ପଢାଉଥିବା ସମାଜବିଜ୍ଞାନ ଶ୍ରେଣୀରୁ ବିଶ୍ୱ ସାଇକେଲ ଦିବସ ପାଇଁ ଅଭିଯାନ ଆରମ୍ଭ କରିଥିଲେ । କ୍ରମେ ତୁର୍କମେନିସ୍ତାନ ଓ ବିଶ୍ୱର ଅନ୍ୟ ୫୬ଟି ଦେଶରେ ଏହି ଅଭିଯାନ ପ୍ରତି ସମର୍ଥନ ମିଳିଥିଲା । ବିଶ୍ୱ ସାଇକେଲ ଦିବସର(#June3WorldBicycleDay) ଧଳା ଓ ନୀଳ ଲୋଗୋ ଆଇଜାକ ଫେଲ୍ଡଙ୍କ ପରିକଳ୍ପନା ଥିଲା । ଏଥି ସହିତ ଜଡିତ ଆନିମେସନ କାମ କରିଥିଲେ ପ୍ରଫେସର ଜନ ଏ ସ୍ୱାନସନ । ଏହି ଲୋଗୋରେ ସାଇକେଲ ଚାଳକ ମାନଙ୍କ ବିଶ୍ୱବ୍ୟାପୀ ସାଇକେଲ ଚାଳନା ଦର୍ଶା ଯାଇଥାଏ । ଲୋଗୋର ନିମ୍ନରେ ଏକ ହାସଟ୍ୟାଗରେ #ଜୁନ୩ବିଶ୍ୱସାଇକେଲଦିବସ ଲେଖା ଯାଇଥାଏ । ‘ସମସ୍ତ ମାନବଜାତୀର ସେବାରେ ସାଇକେଲ’ ଏହି ଲୋଗୋର ମୁଖ୍ୟ ସନ୍ଦେଶ ରହିଥାଏ । ବର୍ତ୍ତମାନର ନୀଳ ଓ ଧଳା ଲୋଗୋ ମଧ୍ୟ ଆଇଜାକ ଫେଲ୍ଡଙ୍କ ପରିକଳ୍ପନା ଓ ପ୍ରଫେସର ଜନ ଏ ସ୍ୱାନସନଙ୍କ ଆନିମେସନରେ ସଜ୍ଜିତ ।
ବିଶ୍ୱ ସାଇକେଲ ଦିବସର ମହତ୍ତ୍ୱ :
ବିଶ୍ୱ ସାଇକେଲ ଦିବସ ସମଗ୍ର ବିଶ୍ୱରେ ପାଳିତ ହୋଇଥାଏ । ମାନବ ବିକାଶ ଓ ଅଗ୍ରଗତିର ପ୍ରତୀକ ଭାବରେ ପରିଗଣିତ ସାଇକେଲ, “ସହନଶୀଳତା, ପାରସ୍ପରିକ ବୁଝାମଣା, ସମ୍ମାନ ଓ ବିଶ୍ୱଶାନ୍ତି ଆଦି ମାନବୀୟ ଗୁଣ ଆଦିକୁ ପ୍ରୋତ୍ସାହିତ କରିଥାଏ ।” ସାଇକେଲ ପୁଣି “ସ୍ଥାୟୀ ପରିବହନ, ଅନବରତ ଉତ୍ପାଦନ ଓ ବ୍ୟବହାର ଏବଂ ପରିବେଶ ସୁରକ୍ଷା”ର ପ୍ରତୀକ ଭାବରେ ମଧ୍ୟ ଦେଖା ଯାଇଥାଏ” । ବିଶ୍ୱ ସାଇକେଲ ଦିବସକୁ ବର୍ତ୍ତମାନ ଟାଇପ ୧ ଓ ଟାଇପ ୨ ମଧୁମେହ ପିଡିତଙ୍କର ସୁସ୍ଥ ଜୀବନଶୈଳୀ ସହିତ ଯୋଡା ଯାଇଛି ।
