ବିଶ୍ୱ ବ୍ୟାଡମିଂଟନ ଚାମ୍ପିଅନଶିପ : ଇତିହାସ ରଚିଲେ ଶ୍ରୀକାନ୍ତ, ଜିତିଲେ ରୌପ୍ୟ ପଦକ
ନୂଆଦିଲ୍ଲୀ : ଇତିହାସ ରଚିଲେ ଭାରତୀୟ ଷ୍ଟାର ସର୍ଟଲର ତଥା ପୂର୍ବତନ ବିଶ୍ବ ନମ୍ବର ୧ କିଦାମ୍ବୀ ଶ୍ରୀକାନ୍ତ । ୨୦୨୧ ବିଶ୍ୱ ବ୍ୟାଡମିଂଟନ ଚାମ୍ପିଅନଶିପରେ ଐତିହାସିକ ରୌପ୍ୟ ପଦକ ଜିତିଲେ ଶ୍ରୀକାନ୍ତ । ରବିବାର ଖେଳାଯାଇଥିବା ପୁରୁଷ ଏକକ ଫାଇନାଲରେ ସିଙ୍ଗାପୁରର ଲୋହ କିନ୍ ୟିଉଙ୍କ ଠାରୁ ୧୫-୨୧, ୨୦-୨୨ ସେଟ୍ରେ ପରାସ୍ତ ହେବାସହ ରୌପ୍ୟରେ ସନ୍ତୁଷ୍ଟ ହୋଇଛି ଶ୍ରୀକାନ୍ତ ।
ଏହି ସମ୍ମାନଜନକ ଇଭେଣ୍ଟରେ ଶ୍ରୀକାନ୍ତ ପ୍ରଥମ ଭାରତୀୟ ପୁରୁଷ ସର୍ଟଲର ଭାବେ ରୌପ୍ୟ ପଦକ ବିଜେତା ହୋଇଛନ୍ତି । ପୂର୍ବରୁ ପୁରୁଷ ଏକକ ଇଭେଣ୍ଟରେ କିମ୍ବଦନ୍ତୀ ପ୍ରକାଶ ପାଦୁକୋନ୍ ବର୍ଷ ୧୯୮୩ରେ କାଂସ୍ୟ, ବି ସାଇ ପ୍ରଣୀତ ବର୍ଷ ୨୦୧୯ରେ କାଂସ୍ୟ ପଦକ ଜିତିଥିଲେ । ଶନିବାର ସଂଘର୍ଷପୂର୍ଣ୍ଣ ସେମିଫାଇନାଲ ମୁକାବିଲାରେ ଶ୍ରୀକାନ୍ତଙ୍କ ଠାରୁ ୨୦ ବର୍ଷୀୟ ଲକ୍ଷ ସେନ୍ ପରାସ୍ତ ହେବାପରେ ବିରଳ ତାଲିକାରେ ସାମିଲ ହୋଇଛନ୍ତି । ଅନ୍ୟପଟେ ଟୁର୍ଣ୍ଣାମେଣ୍ଟକୁ ଜଣେ ଅପରିଚିତ ଖେଳାଳି ଭାବେ ଆସିଥିବା ଲୋହ ଇତିହାସ ରଚିଛନ୍ତି । ପ୍ରଥମ ସିଙ୍ଗାପୁରିଆନ ଭାବେ ସେ ବ୍ୟାଡମିଣ୍ଟନ ବିଶ୍ବ ଚାମ୍ପିଅନସିପ୍ ବିଜେତା ହେବାର ଗୌରବ ଅର୍ଜନ କରିଛନ୍ତି ।
ପ୍ରଥମ ସେଟ୍ ଆରମ୍ଭରେ ଅଗ୍ରଣୀ ହାସଲ କରିବା ପରେ ଭାରତୀୟ ଖେଳାଳି ଶ୍ରୀକାନ୍ତ ଦୁର୍ବଳ ଖେଳ ପ୍ରଦର୍ଶନ କରିଥିଲେ ଏବଂ ପ୍ରଥମ ଗେମ୍ରେ ୨୧-୧୫ରେ ହାରି ଯାଇଥିଲେ । ଦ୍ୱିତୀୟ ଗେମରେ ପଛୁଆ ରହିବା ପରେ ସେ ଦମଦାର ପ୍ରତ୍ୟାବର୍ତନ କରିଥିଲେ । ହେଲେ ଜିତି ପାରିନଥିଲେ । ୪୨ ମିନିଟ୍ ପର୍ଯ୍ୟନ୍ତ ଚାଲିଥିବା ଏହି ଖେଳରେ ଶ୍ରୀକାନ୍ତ ନିଜର ଦବଦବା ଦେଖାଇଥିଲେ ମଧ୍ୟ ବିଜୟ ହାସଲ କରି ପାରିନଥିଲେ । ଦୁଇ ଖେଳାଳିଙ୍କ ମଧ୍ୟରେ ଏହା ଦ୍ୱିତୀୟ ମ୍ୟାଚ୍ ଥିଲା । ଏହା ପୂର୍ବରୁ ଦୁଇ ଖେଳାଳି ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡାରେ ମୁହାଁମୁହିଁ ହୋଇଥିଲେ । ଏହି ମ୍ୟାଚରେ ଶ୍ରୀକାନ୍ତ ସିଧାସଳଖ ସେଟ୍ରେ ସିଙ୍ଗାପୁର ପ୍ରତିପକ୍ଷଙ୍କୁ ହରାଇ ଥିଲେ । ୨୮ ବର୍ଷୀୟ ଶ୍ରୀକାନ୍ତ ଏହି ପ୍ରତିଷ୍ଠିତ ଚାମ୍ପିଅନଶିପର ଫାଇନାଲ୍ରେ ପହଂଚିବାରେ ପ୍ରଥମ ଭାରତୀୟ ପୁରୁଷ ଖେଳାଳି ହେବାର ଗୌରବ ହାସଲ କରିଛନ୍ତି । ଏହା ପୂର୍ବରୁ ଭାରତକୁ ପୁରୁଷ ଏକକ ବର୍ଗରେ ୩ଟି ପଦକ ମିଳିଥିଲା । ୧୯୮୩ରେ ପ୍ରକାଶ ପାଦୁକୋନ ଏବଂ ୨୦୧୯ରେ ବି ସାଇ ପ୍ରଣୀତ କାଂସ୍ୟ ପଦକ ଜିତିବାରେ ସଫଳ ହୋଇଥିଲେ । ଲକ୍ଷ୍ୟ ସେନଙ୍କୁ ମଧ୍ୟ କାଂସ୍ୟ ପଦରେ ସନ୍ତୁଷ୍ଟ ହେବାକୁ ପଡିଥିଲା । କିନ୍ତୁ ପ୍ରଥମ ଥର କିଦାମ୍ବି ଶ୍ରୀକାନ୍ତ ଫାଇନାଲରେ ପ୍ରବେଶ କରି ରୌପ୍ୟ ଜିତିଛନ୍ତି ।
