ପ୍ରସ୍ତାବିତ ଫିଲ୍ମ ସିଟି ପାଇଁ ପ୍ରସ୍ତୁତ ଡିପିଆରରେ ଯୋଗୀ ସରକାରଙ୍କ ମୋହର : ଖର୍ଚ୍ଚ ହେବ ୫୫୦୦ କୋଟି
ନୋଏଡା : ଯମୁନା ଅଥୋରିଟି କ୍ଷେତ୍ରରେ ପ୍ରସ୍ତାବିତ ଫିଲ୍ମ ସିଟି ପାଇଁ ସିବିଆରଆଇ ତରଫରୁ ପ୍ରସ୍ତୁତ ହୋଇଥିବା ଡିପିଆର (ଡିଟେଲ ପ୍ରୋଜେକ୍ଟ ରିପୋର୍ଟ)ରେ ଉତ୍ତରପ୍ରଦେଶ ଯୋଗୀ ସରକାରଙ୍କ ମୋହର । ଏକ ହଜାର ଏକର ଜମିରେ ଫିଲ୍ମ ସିଟି ନିର୍ମାଣ ହେବ। ଫିଲ୍ମ ସିଟି ନିର୍ମାଣରେ ପ୍ରାୟ ୫୫୦୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଅନୁମାନ କରାଯାଉଛି। ଜମିରେ ୭ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇପାରେ। ମୋଟ ୧୨ ହଜାର ୫୦୦ କୋଟି ଟଙ୍କା ବ୍ୟୟରେ ଫିଲ୍ମ ସିଟି ପ୍ରସ୍ତୁତ ହେବ। ଯମୁନା ଅଥୋରିଟି ସିଇଓ ଡାକ୍ତର ଅରୁଣବୀର ସିଂହ କହିଛନ୍ତି ଯେ ଫିଲ୍ମ ସିଟି ୩ଟି ଫେଜରେ ନିର୍ମାଣ ହେବ। ପ୍ରଥମ ଫେଜ ୩୭୬ ଏକର ଜମିରେ ନିର୍ମାଣ ହେବ। ଯୋଗୀ ଆଦିତ୍ୟନାଥ ସରକାର ଫିଲ୍ମ ସିଟିର ଡିପିଆର ଓ ଫାଇନାନସିଲ ମଡେଲରେ ମୋହର ମାରିଛନ୍ତି।
ଷ୍ଟୁଡିଓ, ରିଟେଲ ମଲ, ଫିଲ୍ମ ଇନଷ୍ଟିଚ୍ୟୁଟ, ଭିତ୍ତିଭୂମି, ହୋଟେଲ-ରେସ୍ତୋରାଁ, ବ୍ୟାକଲଟ୍ ସେଟ, ଏମ୍ୟୁଜମେଣ୍ଟ ପାର୍କ, ଆବାସିକ ଘର, ଅଫିସ, ବ୍ୟାକଲଟ୍ କର୍ମଶାଳା, ବ୍ୟାକଲଟ୍ ଓପନ ଏରିଆ ଓ ଭିଲ୍ଲା ତିଆରି କରାଯିବ। ଏହି ଫିଲ୍ମ ସିଟିରେ ହାଇଟେକ ସୁବିଧା ଉପଲବ୍ଧ ହେବ। ଯମୁନା ଅଥୋରିଟି କହିଛି ଯେ ୨୦୨୪ ସୁଦ୍ଧା ପ୍ରୋଜେକ୍ଟ ପୁରା କରିବାକୁ ଲକ୍ଷ୍ୟ ରଖାଯାଇଛି। କମିଟି ନିଷ୍ପତ୍ତି ନେଇଛି ଯେ ପ୍ରଥମ ପର୍ଯ୍ୟାୟରେ ଫିଲ୍ମ ସିଟି ନିର୍ମାଣ ହେବ। ପ୍ରଥମେ ଫିଲ୍ମ ସହ ଜଡିତ ଗତିବିଧି ସଞ୍ଚାଳିତ କରାଯିବ। ପରେ ତା ସହ ଜଡିତ ଅନ୍ୟ ଗତିବିଧି ଆରମ୍ଭ ହେବ। ସିଇଓ ଅରୁଣବୀର ସିଂହ କହିଛନ୍ତି ଫିଲ୍ମ ସିଟିକୁ ହାଇବ୍ରିଡ଼ ମଡେଲରେ ବିକଶିତ କରାଯାଇଛି। ତା ଅନୁସାରେ ସ୍ଥିର ରାଜସ୍ୱ ପ୍ରତି ବର୍ଷ ୫ ପ୍ରତିଶତ ଗ୍ରୋଥ ହେବ।
