ମହିଳା ବିଶ୍ୱକପ : ପାକିସ୍ତାନକୁ ୧୦୭ ରନ୍ରେ ହରାଇଲା ଭାରତ
ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡରେ ଖେଳାଯାଉଥିବା ମହିଳା ବିଶ୍ୱକପର ଏକ ମ୍ୟାଚରେ ଭାରତ ପାକିସ୍ତାନକୁ ୧୦୭ ରନରେ ପରାସ୍ତ କରିଛି | ପ୍ରଥମ ମ୍ୟାଚରେ ପାକିସ୍ତାନକୁ ପରାସ୍ତ କରି ଭାରତ ନୂଆ ରେକର୍ଡ କରିଛି | ମହିଳା ବିଶ୍ୱକପରେ ଭାରତ ପାକିସ୍ତାନ ବିପକ୍ଷରେ କେବେ ବି ହାରିନଥିବାବେଳେ ଏଥର ମଧ୍ୟ ଚତୁର୍ଥ ବିଜୟ ହାସଲ କରିଛି | ଭାରତୀୟ ମହିଳା ଟିମ ପ୍ରଥମେ ଟସ୍ ଜିତି ବ୍ୟାଟିଂ କରି ୨୪୪ ରନ୍ ସଂଗ୍ରହ କରିଥିଲା। ପୂଜା ବସ୍ତ୍ରକାର ୫୯ଟି ବଲରେ ୬୭ ରନ କରିଥିବାବେଳେ ସ୍ନେହ ରାଣା ୫୩ ଓ ସ୍ମୃତି ମନ୍ଧନା ୫୨ ରନ କରିଥିଲେ |
ଆଉ ଏହାର ପିଛା କରି ପଡିଆକୁ ଓହ୍ଲାଇଥିଲା ପାକିସ୍ତାନ ଟିମ | ତେବେ ଭାରତୀୟ ବୋଲରଙ୍କ ସାମ୍ନାରେ ପାକିସ୍ତାନର ବ୍ୟାଟିଂ ବେଶୀ ସମୟ ତିଷ୍ଠିପାରିନଥିଲା | ପାକିସ୍ତାନ ୧୩୭ ରନ କରି ଅଲଆଉଟ ହୋଇଯାଇଥିବାବେଳେ ପାକିସ୍ତାନର ସିଦରା ଅମିନ ସର୍ବାଧିକ ୩୦ ରନ କରିଥିଲେ | ଭାରତୀୟ ଟିମର ବୋଲର ରାଜେଶ୍ୱରୀ ଗାୟକବାଡ଼ ସର୍ବାଧିକ ୪ଟି ଉଇକେଟ ନେଇଥିବାବେଳେ ଝୁଲନ ଗୋସ୍ଵାମୀ ଓ ସ୍ନେହ ରାଣା ୨ଟି ଲେଖାଏଁ ଉଇକେଟ ନେଇଥିଲେ | ପୂଜା ବସ୍ତ୍ରକାରଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ଘୋଷଣା କରାଯାଇଥିଲା |
ମ୍ୟାଚ୍ ପୂର୍ବରୁ ଟସ୍ ଜିତିଥିଲା ଭାରତ । ପ୍ରଥମେ ବ୍ୟାଟିଂ କରି ପଡ଼ିଆକୁ ଓହ୍ଲାଇଥିବା ଭାରତ ଆରମ୍ଭରୁ ଦୁର୍ବଳ ପ୍ରଦର୍ଶନ କରିଥିଲା। ବିସ୍ଫୋଟକ ବ୍ୟାଟର ଶେଫାଳୀ ବର୍ମା ଶୂନରେ ଆଉଟ ହୋଇ ପ୍ୟାଭିଲିୟନ ଫେରିଥିଲେ। ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ଦୀପ୍ତି ଶର୍ମା(୪୦) ଓ ସ୍ମୃତି ମାନ୍ଧାନା(୫୨) ଦୁଇ ଜଣ ମିଶି ଦଳ ପାଇଁ ୯୨ ରନ୍ ଯୋଡ଼ିଥିଲେ। ଦୀପ୍ତି ଆଉଟ ହୋଇଯିବା ପରେ ଭାରତୀୟ ବ୍ୟାଟିଂ ଅର୍ଡର ଭୁଶୁଡ଼ି ପଡ଼ିଥିଲା। ଦଳର ସ୍କୋର ୯୬ ହୋଇଥିବା ବେଳେ ଦ୍ୱିତୀୟ ୱିକେଟ୍ ଗଡ଼ିଥିଲା ଆଉ ୧୪୪ ରନ୍ବେଳକୁ ଟିମ୍ ଇଣ୍ଡିଆର ୬ଟି ୱିକେଟ୍ ଯାଇସାରିଥିଲା। ଏହାପରେ ଭଲ ସ୍କୋର ପାଇଁ ଟିମ୍ ଇଣ୍ଡିଆକୁ ବହୁତ ସଂଘର୍ଷ କରିବାକୁ ପଡ଼ିଥିଲା। ମାତ୍ର ୧୮ ରନ୍ ଭିତରେ ହରମନପ୍ରୀତ କୌର, ସ୍ମୃତି ମନ୍ଧାନା, ଦୀପ୍ତି ଶର୍ମା ଓ ରିଚା ଘୋଷ ଆଉଟ ହୋଇଯାଇଥିଲେ। ଏହାପରେ ସ୍ନେହା ରାଣା(୫୩ ଅପରାଜିତ) ଓ ପୂଜା ଭାସ୍କର(୬୭) ରନ୍ କରି ସପ୍ତମ ୱିକେଟ୍ ପାଇଁ ୧୨୨ ରନ୍ ପାର୍ଟନରସିପ୍ କରି ବିଶ୍ୱରେକର୍ଡ କରିବା ସହିତ ଦଳକୁ ମଜଭୁତ୍ ସ୍ଥିତିକୁ ଆଣିଥିଲେ। ଫଳରେ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ୍ ହରାଇ ୨୪୪ ରନ୍ କରିବାରେ ସକ୍ଷମ ହୋଇପାରିଥିଲା। ପାକିସ୍ତାନ ପକ୍ଷରୁ ନଶରା ସଂଘ ଓ ନିନ୍ଦା ଦାର ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ। ୨୪୫ ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ପାକିସ୍ତାନ ମଧ୍ୟ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା । କୌଣସି ବ୍ୟାଟର ବଡ ସ୍କୋର କରିବାରେ ବିଫଳ ହୋଇଥିଲେ । ଭାରତ ପକ୍ଷରୁ ଝୁଲଣ ଗୋସ୍ୱାମୀ ଦୁଇଟି ଓ୍ୱିକେଟ୍ ନେଇଥିବା ବେଳେ ରାଜେଶ୍ୱରୀ ଗାଏକଓ୍ୱାଡ ୪ଟି ଓ୍ୱିକେଟ୍ ନେଇ ପାକିସ୍ତାନ ବ୍ୟାଟିଂ ଲାଇନ ଧୂଳିସାତ କରିଥିଲେ ।
