ମହିଳା ଟି-୨୦ ଏସିଆ କପ ଫାଇନାଲ : ଟସ ଜିତି ଶ୍ରୀଲଙ୍କାର ବ୍ୟାଟିଂ ନିଷ୍ପତ୍ତି, ପ୍ରଥମେ ବୋଲିଂ କରିବ ଭାରତ
ଢାକା : ଆଜି ମହିଳା ଟି-୨୦ ଏସିଆ କପ ଫାଇନାଲ ମୁକାବିଲା । ମୁହାଁମୁହିଁ ହେବେ ଭାରତ ଓ ଶ୍ରୀଲଙ୍କା । ଏଥିରେ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ଶ୍ରୀଲଙ୍କା । ଫଳରେ ପ୍ରଥମେ ବୋଲିଂ କରିବ ଭାରତ ।
ପ୍ରଥମ ସେମି ଫାଇନାଲରେ ଭାରତୀୟ ମହିଳା ଦଳ ଅପେକ୍ଷାକୃତ ଦୁର୍ବଳ ଥାଇଲ୍ୟାଣ୍ଡକୁ ୭୪ ରନରେ ହରାଇ ଥିବା ବେଳେ ଦ୍ୱିତୀୟ ସେମି ଫାଇନାଲ ବେଶ ରୋମାଂଚକର ଭାବେ ଶେଷ ହୋଇଛି । ଏହି ମ୍ୟାଚ୍କୁ ଶ୍ରୀଲଙ୍କା ମାତ୍ର ୧ ରନରେ ଜିତି ପାକିସ୍ତାନର ସବୁ ଆଶାରେ ପାଣି ପକାଇ ଦେଇଛି । ଶେଷ ବଳରେ ଜିତିବା ପାଇଁ ୩ ରନ ଦରକାର ଥିବା ବେଳେ ପାକିସ୍ତାନ ୧ ରନ କରିବାକୁ ସକ୍ଷମ ହୋଇଥିଲା । ଏବେ ଶନିବାର ଭାରତ ଓ ଶ୍ରୀଲଙ୍କା ଟ୍ରଫି ପାଇଁ ଲଢ଼େଇ କରିବେ । ଭାରତ ଏଯାଏ ୮ ଥର ଫାଇନାଲକୁ ଯାଇଥିବା ବେଳେ ୭ଥର ଟ୍ରଫି ଜିତିଛି । ଗତଥର ଭାରତ ଫାଇନାଲରେ ବାଂଲାଦେଶ ଠାରୁ ହାରି ଯାଇଥିଲା । ହେଲେ ଏଥର ହରମନପ୍ରୀତ କୌରଙ୍କ ଭାରତୀୟ ଟିମ୍ ଜବରଦସ୍ତ ଲୟରେ ରହିଛି । ଏସିଆ କପରେ ଭାରତୀୟ ମହିଳା ଦଳ ଏଯାଏ ୭ଟି ମ୍ୟାଚ୍ ଖେଳିଥିବା ବେଳେ ୬ଟିରେ ଜିତିଛି । ଏକମାତ୍ର ମ୍ୟାଚ୍ ଦଳ ପାକିସ୍ତାନ ଠାରୁ ହାରିଥିଲା । ଏହାର ବଦଲା ଭାରତ ଫାଇନାଲରେ ନେବାକୁ ଲକ୍ଷ୍ୟ ରଖିଥିଲେ ହେଁ ପାକିସ୍ତାନ ଟିମ ସେମି ଫାଇନାଲରୁ ହିଁ ବିଦା ହୋଇଯାଇଛି ।
