ମହିଳା ଟି-୨୦ ବିଶ୍ୱକପ : ଆଜି ପ୍ରଥମ ସେମିଫାଇନାଲରେ ଭାରତ-ଅଷ୍ଟ୍ରେଲିଆ ମୁକାବିଲା
କେପଟାଉନ୍ : ମହିଳା ଟି-୨୦ ବିଶ୍ୱକପର ଆଜି ପ୍ରଥମ ସେମିଫାଇନାଲ। ଗୁରୁବାର ପ୍ରଥମ ସେମିଫାଇନାଲରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ଭେଟିବ ଏପର୍ଯ୍ୟନ୍ତ ମିଶ୍ର ପ୍ରଦର୍ଶନ କରିଥିବା ଭାରତୀୟ ଦଳ । ଅଷ୍ଟ୍ରେଲୀୟ ଚ୍ୟାଲେଞ୍ଜକୁ ପ୍ରତିହତ କରି ଫାଇନାଲରେ ପହଞ୍ଚିବାକୁ ହେଲେ ଭାରତକୁ ନିଜ ଖେଳରେ ଯଥେଷ୍ଟ ଉନ୍ନତି କରିବାକୁ ପଡିବ।
ଗତ ୫ ବର୍ଷ ମଧ୍ୟରେ ଭାରତ ବିଶ୍ଵର ଟପ୍ ଦଳ ମାନଙ୍କ ମଧ୍ୟରେ ରହିଆସିଛି । କିନ୍ତୁ ଏପର୍ଯ୍ୟନ୍ତ କୌଣସି ପ୍ରମୁଖ ଟ୍ରଫି ଜିତିବାରେ ବିଫଳ ହୋଇଛି । ଭାରତ ଆଶାନୁରୂପ ଭାବେ ପୁଣି ଏକ ଆଇସିସି ଟୁର୍ନାମେଣ୍ଟର ସେମିଫାଇନାଲରେ ପ୍ରବେଶ କରିଛି । ତେବେ ଅତୀତରେ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ଭଳି ଶକ୍ତିଶାଳୀ ଦଳ ବିପକ୍ଷରେ ବିଶେଷ କରି ନକ୍ଆଉଟ୍ ମ୍ୟାଚରେ ଭାରତୀୟ ଦଳ ଭଲ ପ୍ରଦର୍ଶନ କରିନାହିଁ।
ଗତ ଟି-୨୦ ବିଶ୍ୱକପ ଫାଇନାଲରେ ଅଷ୍ଟ୍ରେଲିଆ ଭାରତକୁ ହରାଇଥିଲା । ପୁଣି ଗତ ବର୍ଷ ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିଥିଲା। ଭାରତ ୨୦୧୭ ଦିନିକିଆ ବିଶ୍ୱକପ୍ ଫାଇନାଲରେ ପହଞ୍ଚିବା ପରେ ଦେଶରେ ମହିଳା କ୍ରିକେଟରେ ଦ୍ରୁତ ବିକାଶ ଘଟିଛି । ଭାରତକୁ ଗୁରୁବାର ଏକ ‘କର ବା ମର’ ମୁକାବିଲାରେ ଆଶାକୁ ବାସ୍ତବତାରେ ପରିଣତ କରିବାର ସମୟ ଆସିଛି ।
ଯଦିଓ ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଦଳ ଗ୍ରୁପ୍ ପର୍ଯ୍ୟାୟରେ ଗତ ଚାରିଟି ମ୍ୟାଚ୍ ମଧ୍ୟରୁ ତିନୋଟି ଜିତିଛି, ତେବେ ଏଥିମଧ୍ୟରୁ କୌଣସି ଗୋଟିଏକୁ ଦମଦାର ବିଜୟ ବୋଲି କୁହାଯାଇପାରିବ ନାହିଁ । ଆୟର୍ଲାଣ୍ଡ ବିପକ୍ଷରେ ମଧ୍ୟ ନୁହେଁ । ଦଳର ଏକମାତ୍ର ପରାଜୟ ଇଂଲଣ୍ଡ ବିପକ୍ଷରେ ଆସିଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ଟୁର୍ଣ୍ଣାମେଣ୍ଟରେ ଭାରତର ପ୍ରଦର୍ଶନରୁ ଦଳ ବଡ଼ ମ୍ୟାଚ୍ ପୂର୍ବରୁ ସେମାନଙ୍କର ସମସ୍ତ ସମସ୍ୟାର ସମାଧାନ କରିବ ବୋଲି ଆଶା କରିବା ବୃଥା । ଟପ୍ ଅର୍ଡର ଅସଙ୍ଗତି ସହ ରିଚା ଘୋଷଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ଖେଳାଳିଙ୍କ ଛକା ମାରିବାରେ ଅକ୍ଷମତା ଭଳି ସମସ୍ୟା ରହିଛି । ଦଳକୁ ‘ଡଟ୍’ ବଲ୍ ସଂଖ୍ୟା ମଧ୍ୟ ହ୍ରାସ କରିବାକୁ ପଡିବ।
ତିନି ବର୍ଷ ପୂର୍ବେ ଅନ୍ତର୍ଜାତୀୟ ଡେବ୍ୟୁ କରିଥିବା ତଥା ଏପର୍ଯ୍ୟନ୍ତ ଟିନ୍ଏଜ୍ ଥିବା ଓପନର୍ ଶେଫାଳି ବର୍ମା ତାଙ୍କ ଭୁଲରୁ ଶିଖିବାରେ ବିଫଳ ହୋଇଛନ୍ତି । ତାଙ୍କର ଷ୍ଟ୍ରାଇକ୍ ରୋଟେସନ୍ କରିବାରେ ଅକ୍ଷମତା ଏବଂ ସର୍ଟ ବଲ୍ ବିପକ୍ଷରେ ଦୁର୍ବଳତା ରହିଛି । ଅଧିନାୟକ ହରମନପ୍ରୀତ ନିଜେ ବହୁତ ଚାପରେ ଅଛନ୍ତି । ସେ ଏପର୍ଯ୍ୟନ୍ତ ଏହି ବିଶ୍ୱକପ୍ରେ କୌଣସି ଉପଯୋଗୀ ଇନିଂସ ଖେଳି ପାରି ନାହାଁନ୍ତି। ସେ କିଛି ହାତଗଣତି ବ୍ୟାଟରଙ୍କ ମଧ୍ୟରୁ ଜଣେ ଯିଏ ବଲକୁ ବହୁତ ଦୂର ପର୍ଯ୍ୟନ୍ତ ମାରିପାରନ୍ତି କିନ୍ତୁ ସେ ବହୁତ ଦିନ ଧରି ସଂଘର୍ଷ କରୁଛନ୍ତି ।
ବିଶ୍ୱକପ୍ ନକ୍ଆଉଟ୍ ମ୍ୟାଚରେ ପରାଜୟ ତାଙ୍କ ଅଧିନାୟକତ୍ୱ ଶେଷ କରିପାରେ । ଜେମିମା ରଡ୍ରିଗ୍ବେଜ୍ ପାକିସ୍ତାନ ବିପକ୍ଷ ମ୍ୟାଚ୍ ବିଜୟୀ ପ୍ରଦର୍ଶନ ପରେ ଆଉ ସେଭଳି ବଡ଼ ପାଳି ଖେଳିପାରି ନାହାନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ସେମିରେ ତାଙ୍କ ଠାରୁ ଏକ ମ୍ୟାଚ ବିଜୟୀ ଇନିଂସ୍ ଆଶା କରାଯାଉଛି । ଷ୍ଟାର ବ୍ୟାଟ୍ସମ୍ୟାନ୍ ସ୍ମୃତି ମାନ୍ଧାନା କ୍ରମାଗତ ସ୍ଥିର ପ୍ରଦର୍ଶନ ଦେଇଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ସେମିରେ ତାଙ୍କ ଭୂମିକା ପୁଣି ଗୁରୁତ୍ୱପୂର୍ଣ୍ଣ ହେବ। ଅନ୍ୟପକ୍ଷରେ, ମେଗ ଲାନିଙ୍ଗଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ଦଳ ଟି -୨୦ କ୍ରିକେଟରେ ଲଗାତାର ୨୨ ଟି ମ୍ୟାଚ ଜିତିବା ପରେ ସେମିଫାଇନାଲରେ ପ୍ରବେଶ କରିଛି । ଅଷ୍ଟ୍ରେଲିଆ ବଡ ମ୍ୟାଚରେ ନିଜ ଖେଳକୁ ଶୀର୍ଷ ସ୍ତରକୁ ନେବା ପାଇଁ ପରିଚିତ ।
