ମହିଳା ଟି-୨୦ : ତୃତୀୟ ମ୍ୟାଚ ହାରିଲା ଭାରତ, ଅଷ୍ଟ୍ରେଲିଆ ୨-୧ର ଅଗ୍ରଣୀ
ମୁମ୍ବାଇ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ମହିଳା ଦ୍ବିପାକ୍ଷିକ ଟି-୨୦ ଶୃଙ୍ଖଳାରେ ବୁଧବାର ତୃତୀୟ ମ୍ୟାଚ୍ ଖେଳାଯାଇଥିଲା । ଏହାକୁ ଅଷ୍ଟ୍ରେଲିଆ ୨୧ ରନ୍ରେ ଜିତି ନେଇଛି । ପ୍ରଥମ ମ୍ୟାଚ୍କୁ ସହଜରେ ଜିତିଥିବା ଅଷ୍ଟ୍ରେଲିଆ ଟାଇ ରହିଥିବା ଦ୍ବିତୀୟ ମ୍ୟାଚ୍କୁ ସୁପର ଓଭରରେ ହାରିଯାଇଥିଲା। ଫଳରେ ଭାରତ ସ୍ଥିତି ୧-୧ କରିଥିଲା। ଏବେ ୫ ମ୍ୟାଚ୍ ଶୃଙ୍ଖଳାରେ ଭ୍ରମଣକାରୀ ଦଳ ଅଷ୍ଟ୍ରେଲିଆ ୨-୧ରେ ଆଗୁଆ ହୋଇଯାଇଛି।
ଟସ୍ ଜିତି ଅଷ୍ଟ୍ରେଲିଆକୁ ପ୍ରଥମେ ବ୍ୟାଟିଂ ପାଇଁ ଆହ୍ବାନ କରିଥିଲା ଭାରତ। ହେଲେ ଏଲିସା ପେରି (୭୫ ରନ୍)ଙ୍କ ଅର୍ଦ୍ଧଶତକ ସାଙ୍ଗକୁ ଗ୍ରେସ୍ ହାରିସ୍ (୪୧) ଓ ବେଥ୍ ମୁନି (୩୦)ଙ୍କ ବିସ୍ଫୋରକ ପାଳି ବଳରେ ଭ୍ରମଣକାରୀ ଦଳ ୧୭୨/୮ କରିନେଇଥିଲା। ଭାରତ ପକ୍ଷରୁ ରେଣୁକା ସିଂହ, ଅଞ୍ଜଳି ସର୍ବଣୀ, ଦୀପ୍ତି ଶର୍ମା ଏବଂ ଦେବିକା ବୈଦ୍ୟ ୨ ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ। ଜବାବରେ ଗତ ଟାଇ ମ୍ୟାଚ୍ରେ ଚମତ୍କାର ବ୍ୟାଟିଂ କରିଥିବା ସ୍ମୃତି ମନ୍ଧାନା (୧), ଦେବିକା ବୈଦ୍ୟ (୧) ଓ ରିଚା ଘୋଷ (୧) ନିରାଶ କରିବାରୁ ଭାରତ ବିଜୟଠୁ ୨୨ ରନ୍ ଦୂରରେ ଅଟକି ଯାଇଥିଲା। ଓପ୍ନର ଶେଫାଳି ଶର୍ମା (୫୨)ଙ୍କ ଅର୍ଦ୍ଧଶତକ ସାଙ୍ଗକୁ ଅଧିନାୟିକା ହର୍ମନପ୍ରୀତ୍ କୌରଙ୍କ ୩୭, ଅଲ୍ରାଉଣ୍ଡର ଦୀପ୍ତି ଶର୍ମାଙ୍କ ଅପରାଜିତ ୨୫ ଏବଂ ଜେମିମା ରଦ୍ରିଗ୍ବେଜ୍ଙ୍କ ୧୬ ରନ୍ ସତ୍ତ୍ବେ ଭାରତ ୧୫୧/୭ରେ ସୀମିତ ରହିଯାଇଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ଦାର୍ସି ବ୍ରାଉନ୍ ଓ ଆସ୍ଲେ ଗାର୍ନର ୨ ୱିକେଟ୍ ଲେଖାଏଁ ନେଇଥିଲେ।
