ଡିସେମ୍ବର ୧ରୁ ବିଧାନସଭାର ଶୀତ କାଳୀନ ଅଧିବେଶନ : ୨୬ଟି କାର୍ଯ୍ୟ ଦିବସ, ୫ଟି ଛୁଟି ଦିନ
ଭୁବନେଶ୍ୱର : ଡିସେମ୍ବର ୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ଶୀତ କାଳୀନ ଅଧିବେଶନ । ପହିଲାରୁ ଆରମ୍ଭ ହୋଇ ଡିସେମ୍ବର ୩୧ ତାରିଖ ଯାଏଁ ଜାରି ରହିବ ଅଧିବେଶନ । ଶୀତ କାଳୀନ ଅଧିବେଶନରେ ମୋଟ ୨୬ଟି କାର୍ଯ୍ୟ ଦିବସ ରହିଥିବା ବେଳେ ୫ଟି ଛୁଟି ଦିନ ରହିବ । ଅଧିବେଶନର ପ୍ରଥମ ଦିନରେ ୨୦୨୧-୨୨ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍ ଗୃହରେ ଆଗତ ହେବ। ଏ ନେଇ ବିଧାନସଭା ସଚିବାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।
ବିଜ୍ଞପ୍ତି ଅନୁସାରେ ମୋଟ ୨୬ ଦିନ ଅଧିବେଶନ ବସିବ। ଏଥିରେ ଡିସେମ୍ବର ୧୦ ତାରିଖରେ ଅତିରିକ୍ତ ବଜେଟକୁ ଗୃହୀତ ପାଇଁ ବ୍ୟୟ ମଞ୍ଜୁରୀ ବିଲ୍ ଆଗତ ଆସିବ। ଡିସେମ୍ବର ୧୧ରୁ ଡିସେମ୍ବର ୩୧ ଯାଏ ଗୃହର ଅଧିବେଶନରେ କି କାର୍ଯ୍ୟକ୍ରମ ହେବ, ତାହା ସ୍ଥିରକୃତ ହୋଇନାହିଁ। କେବଳ ଅଫିସିଆଲ ବିଜନେସ୍ ଓ ପ୍ରାଇଭେଟ୍ ମେମ୍ବର୍ସ ବିଜନେସ୍ ଭାବେ ଉଲ୍ଲେଖ ରହିଛି। ଡିସେମ୍ବର ୨୫ ଓ ୨୬ ଦୁଇ ଦିନ ଛୁଟି ରହିବ। ଏହି ଅଧିବେଶନରେ ମୁଖ୍ୟତଃ ମମିତା ମେହେର ହତ୍ୟା ଓ ସେକ୍ସ ସ୍କାଣ୍ଡାଲ, ଆଇନ୍ ଶୃଙ୍ଖଳା ବିପର୍ଯ୍ୟସ୍ତ, ଅଦିନିଆ ବର୍ଷାରେ ଧାନ ଫସଲ ନଷ୍ଟହେବା ଓ ମଣ୍ଡି ସମସ୍ୟା ଆଦି ପ୍ରସଙ୍ଗ ଗୃହକୁ ସରଗରମ କରାଇବ। ପଞ୍ଚାୟତ ନିର୍ବାଚନ ପୂର୍ବରୁ ଶେଷଥର ପାଇଁ ଅଧିବେଶନ ବସୁଥିବାରୁ ଉଭୟ ଶାସକ ଓ ବିରୋଧୀ ନିଜ ନିଜର ରଣନୀତି ମାଧ୍ୟମରେ ଲୋକଙ୍କ ନିକଟତର ହେବାକୁ ପ୍ରୟାସ କରିବେ। ସୂଚନା ଯେ, ବିଧାନସଭା ଅଧିବେଶନ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ୬୦ ଦିନ ବସିବାର ନିୟମ ରହିଛି। ଏବେ ୨୬ ଦିନ ବାକି ରହିଥିଲା। ଆଜି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏନେଇ ସୂଚନା ଦେବା ସହ ରାଜ୍ୟପାଳ ଓ ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି କହିଥିଲେ।
