ଆଜିଠାରୁ ସଂସଦର ଶୀତ ଅଧିବେଶନ
କେନ୍ଦ୍ର ସରକାରଙ୍କୁ ଘେରିବାକୁ ବିରୋଧୀ ପ୍ରସ୍ତୁତ
ରାଜ୍ୟର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଉଠାଇବ ବିଜେଡି, ଫୋକସରେ ମହିଳା ସଂରକ୍ଷଣ ବିଲ
ନୂଆଦିଲ୍ଲୀ : ଆଜିିଠାରୁ ଆରମ୍ଭ ହେଉଛି ସଂସଦର ଶୀତକାଳୀନ ଅଧିବେଶନ । ଏହା ପୂର୍ବରୁ ଗତ ମଙ୍ଗଳବାର ବସିଥିଲା ସର୍ବଦଳୀୟ ବୈଠକ । ସଂସଦ କାର୍ଯ୍ୟ ସୁରୁଖୁରରେ ଚଲାଇବା ପାଇଁ ସବୁ ଦଳର ସହଯୋଗ ଲୋଡିଥିଲେ କେନ୍ଦ୍ର ସରକାର । ଏହା ସହ ଶୀତ ଅଧିବେଶନରେ ଆଗତ ହେବାକୁ ଥିବା ବିଧେୟକ ସଂପର୍କିତ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହୋଇଛି ।
୧୭ଟି କାର୍ଯ୍ୟଦିବସ ବିଶିଷ୍ଟ ଏହି ଅଧିବେଶନରେ ରାଜ୍ୟର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଉଠାଇବ ବିଜେଡି । ଉଭୟ ରାଜ୍ୟସଭା ଓ ଲୋକସଭାରେ ଦଳୀୟ ସାଂସଦମାନେ ରାଜ୍ୟବାସୀଙ୍କ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଉଠାଇବେ । ଆୟୁଧ କରିବେ। ଅଧିବେଶନରେ ମହିଳା ସଂରକ୍ଷଣ ସଂକ୍ରାନ୍ତ ବିଲ୍ ସଂସଦରେ ଗୃହୀତ କରିବାକୁ ବିଜେଡି ପ୍ରସ୍ତାବ ଦେଇଛି। ଏପରିକି ଏହି ପ୍ରସଙ୍ଗରେ ବିଜେଡି ଅନ୍ୟ ରାଜନୈତିକ ଦଳର ନେତୃତ୍ୱ ନେବାକୁ ପ୍ରସ୍ତୁତ ବୋଲି ଦଳୀୟ ସାଂସଦମାନେ କହିଛନ୍ତି।
ଏପଟେ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ରହିଛନ୍ତି ବିରୋଧୀ । ଦରଦାମ ବୃଦ୍ଧି, ଭାରତ ସୀମାରେ ଉତେଜନା, ବେରୋଜଗାର ଭଳି ସମସ୍ୟା ଉଠାଇବାକୁ ବିରୋଧୀ ରଣନୀତି ପ୍ରସ୍ତୁତ କରିଛନ୍ତି । ସଂସଦୀୟ କାର୍ଯ୍ୟମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ବୈଠକ ସରିବା ପରେ ପ୍ରତିକ୍ରିୟା ରଖିଛନ୍ତି । କେନ୍ଦ୍ର ମନ୍ତ୍ରୀ କହିଛନ୍ତି ସରକାର ସବୁ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି । ବିରୋଧୀଦଳ ପକ୍ଷରୁ କିଛି ଦାବି ରହିଛି । ଯାହା ଉପରେ ଆଲୋଚନା ଖୁବ ଶିଘ୍ର କରାଯିବ । ବାଚସ୍ପତି ଓ ସଭାପତିଙ୍କ ଅନୁମତି ପରେ ଏହି ସବୁ ପ୍ରସଙ୍ଗ ଉପରେ ଆଲୋଚନା ହେବ । କଂଗ୍ରେସ ସାଂସଦ ଅଧୀର ରଂଜନ ଚୌଧୁରୀ କହିଛନ୍ତିି କି ବିରୋଧୀ ଦଳମାନଙ୍କ ନିକଟରେ ୨୪ରୁ ୨୫ଟି ପ୍ରସଙ୍ଗ ରହିଛି ଓ ଏହା ଉପରେ ଚର୍ଚ୍ଚାର ଆବଶ୍ୟକ ରହିଛି । କିନ୍ତୁ ଏହା ପାଇଁ ପର୍ଯ୍ୟାପ୍ତ ସମୟ ନାହିଁ । ଶୀତକାଳିନ ଅଧିବେଶସନ ୧୭ଦିନ ବଦଳରେ ଅଧିକ ସମୟ କରିବା ପାଇଁ କଂଗ୍ରେସ ଦାବି କରିଛି ।
