ଓଡ଼ିଶାକୁ ଥରାଉଛି ଶୀତ : ଆଜି ୭ ଜିଲାକୁ ଅରେଞ୍ଜ ଓ ୨୧ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି
ଭୁବନେଶ୍ୱର : ଆଗାମୀ ଦୁଇ-ତିନି ଦିନ ଯାଏ ରାଜ୍ୟରେ ଶୀତ ଲହରି ଜାରି ରହିବା ସହ ଆହୁରି ବଢ଼ିବା ନେଇ ସତର୍କ କରିଛି ପାଣିପାଗ ବିଭାଗ । ରାଜ୍ୟରେ ଗତ ଏକ ସପ୍ତାହରୁ ଉର୍ଦ୍ଧ୍ୱ ଶୀତର ପ୍ରକୋପ ଜାରି ରହିଥିବା ବେଳେ ଗତକାଲି ଠାରୁ ଚଳିତ ଶୀତ ଋୁତୁରେ ପ୍ରଥମ ଥର ପାଇଁ କୋଲ୍ଡ ୱେଭ୍ ବା ଶୀତ ଲହରି ନେଇ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ଗତ ୨୪ ଘଣ୍ଟାରେ ପୁଣି ଦାରିଙ୍ଗବାଡି ରାଜ୍ୟର ଥଣ୍ଡା ସହର ହୋଇଥିବା ବେଳେ ପାରଦ ଖସି ୧୯ଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳେ ରେକର୍ଡ ହୋଇଛି । ଏହାସହ ଆଗାମୀ ତିନି ଦିନ ପର୍ଯ୍ୟନ୍ତ ଶୀତ ଲହରି ନେଇ ଅରେଂଜ ଓ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ଜିଲ୍ଲାପାଳ ମାନଙ୍କୁ ଆବଶ୍ୟକୀୟ ପ୍ରସ୍ତୁତି କରିବାକୁ ଏସଆରସି ପରାମର୍ଶ ଦେଇଛନ୍ତି ।
ତେବେ ଆସନ୍ତା ତିନି ଦିନ ଧରି ତାପମାତ୍ରା ଅପରିବର୍ତ୍ତିତ ରହିବା ପରେ ୨ରୁ ୩ ଡିଗ୍ରୀ ଯାଏଁ ଉପରମୁହାଁ ହେବ ପାରଦ । ତେବେ ଏହି ସମୟରେ ଆସନ୍ତା ୫ ଦିନ ମଧ୍ୟରେ ଆଭ୍ୟନ୍ତରୀଣ ଓଡିଶାରେ ରାତିର ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକ ଠାରୁ ୫ରୁ୬ ଡିଗ୍ରୀ ଏବଂ ଉପକୂଳ ଓଡିଶାରେ ୪ ରୁ ୫ ଡିଗ୍ରୀ ତଳେ ରହିବା ନେଇ ଆକଳନ ହୋଇଛି । ତେଣୁ ସତର୍କ ସୂଚନା ଜାରି ହୋଇଥିବା ଜିଲ୍ଲା ଗୁଡିକରେ ଆବଶ୍ୟକୀୟ ପ୍ରସ୍ତୁତ କରିବାକୁ ଜିଲ୍ଲାପାଳ ମାନଙ୍କୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି । ତେବେ ୨୫ ତାରିଖ ପରଠାରୁ ତାପମାତ୍ରା ଧିରେ ଧିରେ ଖସିବା ସହ କୁହୁଡି ଦେଖାଦେବା ନେଇ ପାଣିପାଗ ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି । ପ୍ରବଳ ଥଣ୍ଡାକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ଆଗାମୀ ୨୪ ଘଣ୍ଟା ପାଇଁ ୭ ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି। ଏହି ୭ ଜିଲା ହେଲେ- ସୁନ୍ଦରଗଡ଼, ଝାରସୁଗୁଡ଼ା, ମୟୂରଭଞ୍ଜ, କଳାହାଣ୍ଡି, ବଲାଙ୍ଗିର, ସୁବର୍ଣ୍ଣପୁର ଓ ବୌଦ୍ଧ। ଏହି ଜିଲ୍ଲା ଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ଥଣ୍ଡା ହେବାର ସମ୍ଭାବନା ରହିଛି। ସେହିପରି ଶୀତ ଲହରି ନେଇ ଅନ୍ୟ ୧୯ ଜିଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି ରହିଛି। ଏହି ଜିଲା ଗୁଡ଼ିକ ହେଲେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, ଗଞ୍ଜାମ, ନୟାଗଡ଼, ଯାଜପୁର, ଢେଙ୍କାନାଳ, କେନ୍ଦୁଝର, ଅନୁଗୁଳ, ଦେବଗଡ଼, ସମ୍ବଲପୁର, ବରଗଡ଼, ନୂଆପଡ଼ା, କନ୍ଧମାଳ ଓ ନବରଙ୍ଗପୁର।
ଆଗାମୀ ୫ ଦିନ ଯାଏ ରାଜ୍ୟରେ ପାଗ ଗୁଡ଼ିକ ମୁଖ୍ୟତ ଶୁଖିଲା ରହିବ। କିନ୍ତୁ ଶୀତର ପ୍ରକୋପ ଜାରି ରହିବ। ବିଶେଷକରି ଆଗାମୀ ତିନି ଦିନ ଯାଏ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ୫ରୁ ୫ ଡିଗ୍ରୀ ସେଲସିୟସ ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଗତ ରାତିରେ ଦାରିଙ୍ଗବାଡ଼ିରେ ସର୍ବାଧିକ ଥଣ୍ଡା ଅନୁଭୂତ ହୋଇଛି। ଏଠାରେ ତାପମାତ୍ରା ୩.୫ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ଫୁଲବାଣୀରେ ୪.୦ ଡିଗ୍ରୀ, ଭବାନୀପାଟଣାରେ ୬.୦, କେନ୍ଦୁଝରରେ ୬.୨, ଝାରସୁଗୁଡ଼ାରେ ୬.୪, ସୁନ୍ଦରଗଡ଼ରେ ୬.୫, ଟିଟିଲାଗଡ଼ରେ ୬.୮, ବୌଦ୍ଧରେ ୭.୦, ବଲାଙ୍ଗିରରେ ୭.୮, ସୋନପୁରରେ ୮.୫, କୋରାପୁଟରେ ୮.୫, ସମ୍ବଲପୁରରେ ୮.୫, ବାରିପଦାରେ ୮.୫, ଅନୁଗୋଳରେ ୮.୬, ହୀରାକୁଦରେ ୮.୬, ନୟାଗଡ଼ରେ ୯.୦, ତାଳଚେରରେ ୯.୦, ଚାନ୍ଦବାଲିରେ ୯.୨, ବାଲେଶ୍ୱରରେ ୯.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଭୁବନେଶ୍ୱରରେ ୧୦, କଟକରେ ୧୦.୧, ମାଲକାନଗିରିରେ ୧୧.୫, ଗୋପାଳପୁରରେ ୧୧.୮, ପାରାଦୀପରେ ୧୨.୮ ଓ ପୁରୀରେ ୧୩.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।
