ରାଜ୍ୟସଭାରେ କିଏ ହେବେ ବିରୋଧୀ ଦଳର ନେତା? ଚର୍ଚ୍ଚାରେ ଏହି ୩ ନାମ
ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନକୁ ନେଇ ଜାତୀୟ ରାଜନୀତି ସରଗରମ ହୋଇଉଠିଛି । ରାଜ୍ୟସଭାରେ ବିରୋଧୀ ଦଳର ନେତା ତଥା ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ ଓ ଦଳର ଥିରୁବନନ୍ତପୁରମରୁ ସାଂସଦ ଶଶି ଥରୁରଙ୍କ ମଧ୍ୟରେ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ଲଢ଼େଇ ହେବ । ଏହା ପୂର୍ବରୁ ମଲ୍ଲିକାର୍ଜୁନ ଖଡ଼ଗେ ରାଜ୍ୟସଭାରେ ବିରୋଧୀ ଦଳର ନେତା ପଦରୁ ଇସ୍ତଫା ଦେଇଛନ୍ତି ବୋଲି ସୂତ୍ରରୁ ଶନିବାର ଜଣାପଡ଼ିଛି । ଯାହା ପରେ ପ୍ରଶ୍ନ ଉଠିବାରେ ଲାଗିଛି କିଏ ହେବେ ରାଜ୍ୟସଭାରେ ପରବର୍ତ୍ତୀ ବିରୋଧୀ ଦଳର ନେତା? ଖଡ଼ଗେଙ୍କ ଇସ୍ତଫା ପରେ ଖାଲି ହୋଇଥିବା ଏହି ପଦ ପାଇଁ ଅନେକ ନେତାଙ୍କ ନାମ ସାମ୍ନାକୁ ଆସୁଛି । କିନ୍ତୁ ଏହି ରେସରେ ୩ ଜଣ କଂଗ୍ରେସ ନେତା ଆଗରେ ଅଛନ୍ତି ।
ଆପଣଙ୍କୁ କହିରଖୁଛୁ ଯେ, ଚଳିତ ବର୍ଷ ମେ ମାସରେ କଂଗ୍ରେସ ଉଦୟପୁରରେ ଆୟୋଜିତ ଚିନ୍ତନ ଶିବରରେ ‘ଜଣେ ବ୍ୟକ୍ତି, ଗୋଟିଏ ପଦ’ର ନୂତନ ନୀତି ଘୋଷଣା କରିଥିଲା । ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଇସ୍ତଫା ପରେ ରାଜ୍ୟସଭାରେ ବିରୋଧୀଦଳର ନେତା ପଦ ପାଇଁ କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ, ଦିଗବିଜୟ ସିଂ ଏବଂ ପ୍ରମୋଦ ତିୱାରୀଙ୍କ ନାମ ଆଗକୁ ଚାଲୁଛି । କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଦିଗବିଜୟ ସିଂ ମଧ୍ୟ ଘୋଷଣା କରିଥିଲେ । ତେବେ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ନାମ ସାମ୍ନାକୁ ଆସିବା ପରେ ସେ ତାଙ୍କ ନାମ ପ୍ରତ୍ୟାହାର କରି ନେଇଥିଲେ ।
ସୂତ୍ରରୁ ପ୍ରକାଶ ଯେ ପ୍ରମୋଦ ତିୱାରୀ ମଧ୍ୟ ରାଜ୍ୟସଭାରେ ବିରୋଧୀଦଳର ନେତା ପଦ ପାଇଁ ଦୌଡ଼ରେ ଅଛନ୍ତି । ଶୁକ୍ରବାର ମଲ୍ଲିକାର୍ଜୁନ ଖଡ଼ଗେ ଓ ଶଶି ଥରୁରଙ୍କ ମଧ୍ୟରେ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ପ୍ରତିଯୋଗିତା ପାଇଁ ମଞ୍ଚ ସ୍ଥିର ହୋଇସାରିଛି । କର୍ଣ୍ଣାଟକର ଦଳିତ ନେତା ଖଡ଼ଗେ ସବୁଠାରୁ ମଜବୁତ ପ୍ରାର୍ଥୀ ହୋଇଥିବା ଜଣାପଡିଛି। ଝାରଖଣ୍ଡର ପୂର୍ବତନ ମନ୍ତ୍ରୀ କେଏନ୍ ତ୍ରିପାଠୀ ମଧ୍ୟ ଏହି ପଦ ପାଇଁ ନାମାଙ୍କନ ଦାଖଲ କରିଥିଲେ । କିନ୍ତୁ ଏହି ନାମାଙ୍କନ ଖାରଜ ହୋଇଯାଇଛି ।
ଆପଣଙ୍କୁ କହି ରଖୁଛୁ ଯେ, କଂଗ୍ରେସର ବରିଷ୍ଠ ନେତା ତଥା ଜି-୨୩ ଗୋଷ୍ଠୀର ଅନେକ ନେତା ଖଡ଼ଗେଙ୍କୁ ସମର୍ଥନ କରିଛନ୍ତି । ଏହି ନେତାଙ୍କ ମଧ୍ୟରେ ଅଶୋକ ଗେହଲୋତ, ଦିଗବିଜୟ ସିଂ, ଏକେ ଆଣ୍ଟୋନି, ଅମ୍ବିକା ସୋନି, ମୁକୁଲ ୱାସନିକ, ଆନନ୍ଦ ଶର୍ମା, ଭୁପିନ୍ଦର ହୁଡା, ପୃଥ୍ୱୀରାଜ ଚୌହ୍ୱାନ ଏବଂ ମନୀଷ ତିୱାରୀଙ୍କ ନାମ ସାମିଲ ରହିଛି ।
