କରୋନାକୁ ନେଇ ଚେତାବନୀ ଜାରି କଲା ଡବ୍ଲୁଏଚଓ, ମାର୍ଚ୍ଚ ସୁଦ୍ଧା ୭ ଲକ୍ଷ ଲୋକଙ୍କ ହୋଇପାରେ ମୃତ୍ୟୁ
ନୂଆଦିଲ୍ଲୀ: ସାରା ବିଶ୍ୱରେ ପୁଣି ଥରେ କୋରୋନା ଭୂତାଣୁ ମାମଲା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଏହି ସମୟରେ କୋରୋନା ସଂକ୍ରମଣକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏକ ଗମ୍ଭୀର ଚେତାବନୀ ଜାରି କରିଛି । ଜାତିସଂଘର ସଂଗଠନ ଡବ୍ଲୁଏଚଓ କହିଛି ଯେ ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ୟୁରୋପ ଓ ଏସିଆର କିଛି ଅଂଶରେ କୋଭିଡ ସଂକ୍ରମଣ ହେତୁ ୭ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇପାରେ ।
କୋରୋନା ମହାମାରୀ ଆରମ୍ଭରୁ ବର୍ତ୍ତମାନ ପର୍ଯ୍ୟନ୍ତ ୫୩ଟି ଦେଶରେ ମୃତ୍ୟୁ ବରଣ କରିଥିବା ସଂକ୍ରମିତଙ୍କ ସଂଖ୍ୟା ପୂର୍ବାପେକ୍ଷା ୧୫ ଲକ୍ଷରୁ ଅଧିକ ହୋଇସାରିଛି । ଏହା ସେହି ୫୩ଟି ଦେଶ ଯାହାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନିଜର ୟୁରୋପ ଅଞ୍ଚଳ ଭାବରେ ବର୍ଣ୍ଣନା କରେ । କୋରୋନାର ଆଗାମୀ ପରିସ୍ଥିତିକୁ ନେଇ ଡବ୍ଲୁଏଚଓ ଏକ ଚେତାବନୀ ଦେଇ କହିଛି ଯେ ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ୪୯ଟି ଦେଶରେ ଆଇସିୟୁ ସଙ୍କଟ ଦେଖାଦେଇପାରେ । ୟୁରୋପରେ କୋରୋନା ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି ।
ୟୁରୋପର ଅନେକ ଦେଶରେ କୋରୋନା ନିୟମକୁ କଡାକଡି କରି ନୂତନ ପ୍ରତିବନ୍ଧକ ଲଗାଇଛନ୍ତି । ଅଷ୍ଟ୍ରିଆରେ ସମ୍ପୂର୍ଣ୍ଣ ଲକଡାଉନ୍ ଘୋଷଣା କରାଯାଇଥିବାବେଳେ ଅନେକ ଦେଶ ଲକଡାଉନ୍ ଲଗାଇବାକୁ ଚିନ୍ତା କରୁଛନ୍ତି । ଫ୍ରାନ୍ସ, ଜର୍ମାନୀ ଏବଂ ଇଜିପ୍ଟ ସମେତ ଅନେକ ଦେଶ ଶୀଘ୍ର ବୁଷ୍ଟର ଟିକା ପ୍ରସ୍ତୁତ କରିବାକୁ ଚିନ୍ତା କରୁଛନ୍ତି । ତେବେ କୋରୋନା ପ୍ରତିବନ୍ଧକ ଲାଗୁ ହେବା ବିରୋଧରେ ଅନେକ ଦେଶରେ ବିରୋଧ ମଧ୍ୟ ଚାଲିଛି । ଲକଡାଉନ୍ ବିରୋଧରେ ନେଦରଲ୍ୟାଣ୍ଡରେ ହିଂସାତ୍ମକ ସଂଘର୍ଷର ଖବର ରହିଛି ।
ଡବ୍ଲୁଏଚଓ କହିଛି ଯେ ସାମ୍ପ୍ରତିକ ପରିସ୍ଥିତିକୁ ଭିତ୍ତି କରି ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ମୋଟ ମୃତ୍ୟୁ ସଂଖ୍ୟା ୨.୨ ମିଲିୟନରେ ପହଞ୍ଚିପାରେ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାର ବିୟାନରେ କହିଛି ଯେ କୋରୋନା ସଂକ୍ରମଣ ହେତୁ ମୃତ୍ୟୁ ପ୍ରାୟ ଦ୍ୱିଗୁଣିତ ବୃଦ୍ଧି ହୋଇଛି । ପ୍ରତିଦିନ ପ୍ରାୟ ହାରାହାରି ୪୨୦୦ ମୃତ୍ୟୁ ଘଟୁଛି । କେବଳ ଋଷରେ କୋରୋନା ଯୋଗୁଁ ମୃତ୍ୟୁ ସଂଖ୍ୟା ୧୨୦୦ରୁ ଅଧିକ ଥିଲା । ଡବ୍ଲୁଏଚଓ ସ୍ୱୀକାର କରିଛି ଯେ ଏହି ବଢୁଥିବା ମାମଲା ଓ ମୃତ୍ୟୁ ପଛରେ ସବୁଠାରୁ ବଡ କାରଣ ହେଉଛି ଯେ ବହୁ ସଂଖ୍ୟାରେ ଲୋକ ଟିକାର ପୂରା ଡୋଜ୍ ଗ୍ରହଣ କରିନାହାଁନ୍ତି । ଏହା ସହିତ ଡେଲଟା ଭାରିଏଣ୍ଟ ମଧ୍ୟ ୟୁରୋପ ଅଞ୍ଚଳରେ ଦ୍ରୁତ ଗତିରେ ବ୍ୟାପିଛି । ଡବ୍ଲୁଏଚଓ ୟୁରୋପର ନିର୍ଦ୍ଦେଶକ ଡକ୍ଟର ହ୍ୟାନ୍ଜ କ୍ଲୁଜ ଲୋକଙ୍କୁ ଟିକା ଲଗାଇବାକୁ ଅନୁରୋଧ କରିଛନ୍ତି ।
