ଉଦଘାଟନ ହେଲା ‘ହୁ ଗ୍ଲୋବାଲ ସେଣ୍ଟର ଫର୍ ଟ୍ରେଡିଶନାଲ ମେଡିସିନ’
ପାରମ୍ପରିକ ଔଷଧ ପାଇଁ ସାରା ବିଶ୍ବରେ ଏହା ହେବ ହୁ’ର ପ୍ରଥମ ଏବଂ ଏକମାତ୍ର କେନ୍ଦ୍ର
ନୂଆଦିଲ୍ଲୀ: ଭାରତ ଗସ୍ତରେ ଆସିଛନ୍ତି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ)ର ମୁଖ୍ୟ ଟେଡ୍ରୋସ୍ ଆଡାନୋମ୍ ଗେବ୍ରେଇସସ୍ । ସେ ଗୁଜୁରାଟ ଗସ୍ତରେ ୩ ଦିନ ରହିବେ । ଏହାସହ ପିଏମ ମୋଦିଙ୍କ ସହ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ । ଏହି କ୍ରମରେ ମଙ୍ଗଳବାର ଗୁଜୁରାଟର ଜାମନଗରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହୁ ଗ୍ଲୋବାଲ ସେଣ୍ଟର ଫର୍ ଟ୍ରେଡିଶନାଲ ମେଡିସିନର ଉଦଘାଟନ କରିଛନ୍ତି । ପାରମ୍ପରିକ ଔଷଧ ପାଇଁ ସାରା ବିଶ୍ବରେ ଏହା ହେବ ହୁ’ର ପ୍ରଥମ ଏବଂ ଏକମାତ୍ର କେନ୍ଦ୍ର। ଏହି ଉଦଘାଟନ ସମାରୋହରେ ହୁ ମୁଖ୍ୟ ମଧ୍ୟ ଉପସ୍ଥିତ ଥିଲେ । ଏହି ଅବସରରେ ସେ ଜନତାଙ୍କୁ ସମ୍ୱୋଧନ କରିଛନ୍ତି । ଗେବ୍ରେୟେସସ୍ ଗୁଜରାଟୀ ଭାଷାରେ ‘କେମ୍ଛୋ … ମାଜମା…’ କହି ଅଭିବାଦନ ଜଣାଇଥିଲେ। ପ୍ରଧାନମନ୍ତ୍ରୀଙ୍କ ସମେତ ଦର୍ଶକମଣ୍ଡଳୀ କରତାଳିରେ ଏହାକୁ ସ୍ବାଗତ କରିଥିଲେ।
ହୁ ମୁଖ୍ୟ କହିଛନ୍ତି ଯେ, ହୁ ଗ୍ଲୋବାଲ ସେଣ୍ଟର ଫର୍ ଟ୍ରେଡିଶନାଲ ମେଡିସିନର କୌଣସି ସଂଯୋଗ ନାହିଁ । ମୋର ଭାରତୀୟ ଶିକ୍ଷକମାନେ ମୋତେ ପାରମ୍ପରିକ ଔଷଧକୁ ନେଇ ବହୁତ ଭଲ ଭାବେ ପଢ଼ାଇଛନ୍ତି ଓ ଏଥିପାଇଁ ମୁଁ ସେମାନଙ୍କୁ ଧନ୍ୟବାଦ ଜଣାଉଛି । ମୁଁ ମଧ୍ୟ ବଲିଉଡ ପିଲ୍ମ ଦେଖି ବଡ଼ ହୋଇଛି ଓ ଯେତେ ଦୂର ଜାଣେ କି ସ୍ୱିସ୍ ଆଲ୍ପସ୍ ବଲିଉଡ ପ୍ରଶଂସକ ପାଇଁ ଏକ ପସନ୍ଦର ସ୍ଥାନ । ଏହାସହ ସେ ଆଗକୁ କହିଛନ୍ତି ଯେ, “ହୁ ଗ୍ଲୋବାଲ ସେଣ୍ଟର ଫର୍ ଟ୍ରେଡିଶନାଲ ମେଡିସିନ ଯାହାକୁ ଆମେ ଲଞ୍ଚ କରିଛୁ । ଏହା ପ୍ରମାଣ ଆଧାରିତ ପାରମ୍ପରିକ ଚିକିତ୍ସାକୁ ମଜଭୁତ କରିବା ପାଇଁ ବିଜ୍ଞାନର ଶକ୍ତିକୁ ବ୍ୟବହାର କରିବାରେ ସାହାଯ୍ୟ କରିବ । ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପର ସମର୍ଥନ କରିବାରେ ତାଙ୍କ ନେତୃତ୍ୱ ପାଇଁ ପିଏମ ମୋଦି ଓ ଭାରତ ସରକାରଙ୍କୁ ଧନ୍ୟବାଦ ଜଣାଉଛି । ମୁଁ ଗୋଟିଏ କାର୍ଯ୍ୟାଳୟ ସହ କେନ୍ଦ୍ର ସ୍ଥାପନ କରିବା ପାଇଁ ୨୫୦ ମିଲିୟନ ଆମେରିକାନ୍ ଡଲାରର ନିବେଶ ଓ ପରିଚାଳନା ଖର୍ଚ୍ଚ ପାଇଁ ୧୦ ବର୍ଷର ପ୍ରତିବଦ୍ଧତା ପାଇଁ ପିଏମ ମୋଦିଙ୍କୁ ଧନ୍ୟବାଦ ଜଣାଉଛି । ଯେଉଁ ଦିନ ମୁଁ ପିଏମ ମୋଦିଙ୍କ ସହ ଆଲୋଚନା କରିଥିଲି, ତାଙ୍କ ପ୍ରତିବଦ୍ଧତା ଅଦ୍ଭୁତ ଥିଲା ଓ ମୋତେ ଜଣାଥିଲା କି ଏହି କେନ୍ଦ୍ର ଏକ ଭଲ ହାତରେ ହେବ ବୋଲି ହୁ ନିର୍ଦ୍ଦେଶକ କହିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ, ସମଗ୍ରର ବିଶ୍ବ ମାନବସମାଜର ସେବା ନିମନ୍ତେ ଭାରତ ଏହି କେନ୍ଦ୍ରକୁ ଏକ ବଡ଼ ଦାୟିତ୍ବ ଭାବେ ଗ୍ରହଣ କରୁଛି। ଏହି କେନ୍ଦ୍ର ପାରମ୍ପରିକ ଔଷଧ ଜରିଆରେ ସାରା ବିଶ୍ବକୁ ସ୍ବାସ୍ଥ୍ୟ ସମସ୍ୟାର ଉତ୍ତମ ସମାଧାନ ପ୍ରଦାନ କରିବ। ଏହା କେବଳ ମାତ୍ର ଏକ ଅନୁଷ୍ଠାନର ଉଦ୍ଘାଟନ ନୁହେଁ, ବରଂ ଏହା ଭାରତର ‘ଆଜାଦୀ କା ଅମୃତ ମହୋତ୍ସବ’ ଅବସରରେ ଆସନ୍ତା ୨୫ ବର୍ଷ ପାଇଁ ସାରା ବିଶ୍ବରେ ପାରମ୍ପରିକ ଔଷଧ ଯୁଗର ଅୟମାରମ୍ଭ। ଯେତେବେଳେ ଭାରତ ‘ଆଜାଦୀ କୀ ଶତାବ୍ଦୀ’ ପାଳନ କରିବ, ସେତେବେଳକୁ ଏହାର ଗୁରୁତ୍ବ ଢେର ବଢ଼ିଯାଇଥିବ। ହୁ ମହାନିର୍ଦ୍ଦେଶକ କହିଲେ, ଏହା ବାସ୍ତବରେ ଏକ ବିଶ୍ବ ପ୍ରକଳ୍ପ, ଅର୍ଥାତ୍ ଭାରତ ସମଗ୍ର ବିଶ୍ବକୁ ଯିବ ଏବଂ ସମଗ୍ର ବିଶ୍ବ ଭାରତ ଆସିବ। ହୁ’ର ଏହି ବିଶ୍ବ ପାରମ୍ପରିକ ଔଷଧ କେନ୍ଦ୍ର ପ୍ରମାଣଭିତ୍ତିକ ପାରମ୍ପରିକ ଔଷଧକୁ ସୁଦୃଢ଼ କରିବ। ଏହି ପାରମ୍ପରିକ ଔଷଧ କେନ୍ଦ୍ର ନିମନ୍ତେ ମୋଦୀ ୫ଟି ଲକ୍ଷ୍ୟ ରହିଥିବା ପ୍ରକାଶ କରିଥିଲେ- ପ୍ରଯୁକ୍ତିବିଦ୍ୟା ସାହାଯ୍ୟରେ ପାରମ୍ପରିକ ଔଷଧର ସମନ୍ବୟ ସ୍ଥାପନ, ଲୋକଙ୍କ ଆସ୍ଥା ଭାଜନ ହେବା ଲାଗି ପାରମ୍ପରିକ ଔଷଧର ଏକ ଆନ୍ତର୍ଜାତିକ ମାନକ ସୃଷ୍ଟି କରିବା, ଏହାକୁ ଏକ ପ୍ଲାଟଫର୍ମ ଭାବେ ଗଢ଼ିତୋଳିବା ଯେଉଁଠିକି ସାରା ବିଶ୍ବର ପାରମ୍ପରିକ ଔଷଧ ବିଶେଷଜ୍ଞମାନେ ଆସି ଗବେଷଣା ଓ ଭାବବିନିମୟ କରିପାରିବେ, ଗବେଷଣା ପାଇଁ ପାଣ୍ଠିର ବ୍ୟବସ୍ଥା କରିବା ଏବଂ କେତେକ ରୋଗ ପାଇଁ ସାମଗ୍ରିକ ଚିକିତ୍ସା ପ୍ରୋଟୋକଲ ପ୍ରସ୍ତୁତ କରିବା।
