ରାତିରେ ଶୋଇଥିବା ବେଳେ ଘରେ ଲାଗିଲା ନିଆଁ, ମହିଳା ଓ ଦୁଇ ଶିଶୁ ଜୀବନ୍ତ ଦଗ୍ଧ
ବାରିପଦା : ମୟୂରଭଞ୍ଜ ଜିଲା ଝାରପୋଖରୀଆ ଥାନା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଘରେ ରାତିରେ ଶୋଇଥିବା ବେଳେ ଘରେ ନିଆଁ ଲାଗିବାରୁ ଜଣେ ମହିଳା ଓ ତାଙ୍କର ଦୁଇ ଶିଶୁଙ୍କର ମୃତ୍ୟୁ ହୋଇଛି।
ସୂଚନା ଯେ, ଝାରପୋଖରୀଆ ଥାନା ଅନ୍ତର୍ଗତ ଉଚ୍ଚାଗାଁରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ମା’ଙ୍କ ସମେତ ତାଙ୍କର ୫ ବର୍ଷର ଝିଅ ଓ ୩ ମାସର ଶିଶୁପୁତ୍ର ଜୀବନ୍ତ ଦଗ୍ଧ ହୋଇଥିବା ଜଣାଯାଇଛି। ଏମାନେ ସମସ୍ତେ ଶୋଇଥିବା ବେଳେ ନିଆଁ ଲାଗିଥିବା କୁହାଯାଉଛି। ରାତି ପ୍ରାୟ ୨ଟା ବେଳେ ଏହି ଅଘଟଣ ଘଟିଥିବା ମହିଳାଙ୍କ ସ୍ୱାମୀ ସୂଚନା ଦେଇଛନ୍ତି। ତେବେ ଏହି ଘଟଣାକୁ ନେଇ ସନ୍ଦେହ ଉପୁଜିବାରୁ ସ୍ୱାମୀଙ୍କୁ ପୁଲିସ ଥାନାରେ ଅଟକ ରଖିଥିବା ଜଣାଯାଇଛି। ଏନେଇ ଅଧିକ ତଦନ୍ତ ଆରମ୍ଭ କରିଛି ଝାରପୋଖରୀଆ ଥାନା ପୁଲିସ।
