କେଉଁ ଦିଗକୁ ମୁହଁ କରି ଭୋଜନ କରିବା ଉଚିତ ? ଜାଣନ୍ତୁ ଶାସ୍ତ୍ରରେ କଣ ରହିଛି ନିୟମ ଓ ମହତ୍ତ୍ୱ
ଜ୍ୟୋତିଷ ଓ ବାସ୍ତୁ ଶାସ୍ତ୍ରରେ ଦୈନନ୍ଦିନ ଜୀବନ ସହ ଜଡିତ ଅନେକ କିଛି କଥା ବର୍ଣ୍ଣନା କରାଯାଇଛି। ମାନ୍ୟତା ଅନୁଯାୟୀ, ଏହି ନିୟମର ପାଳନ କରିବା ଦ୍ୱାରା ଜୀବନରେ ଥିବା ଅନେକ ସମସ୍ୟା ଦୂର ହୋଇଥାଏ। ଏହାସହ ଲାଭ ମଧ୍ୟ ମିଳିଥାଏ। ଶାସ୍ତ୍ରରେ ଭୋଜନକୁ ନେଇ ଅନେକ ନିୟମ ବର୍ଣ୍ଣନା କରାଯାଇଛି। ତେବେ ଜାଣନ୍ତୁ ଶାସ୍ତ୍ର ଅନୁଯାୟୀ କେଉଁ ଦିଗକୁ ମୁହଁ କରି ଭୋଜନ କରିବେ, ଖାଦ୍ୟ ପରଷା ଯାଇଥିବା ଥାଳିରେ ଅନ୍ନ, ରୁଟି ଆଦି ସହ ଜଡିତ କି ନିୟମ ରହିଛି। ଖାଦ୍ୟ ଖାଇବା ସମୟରେ କେଉଁ ଦିଗ ପ୍ରତି ଧ୍ୟାନ ଦେବା ଉଚିତ୍।
ଶାସ୍ତ୍ର ଅନୁଯାୟୀ,ଖାଦ୍ୟ ଖାଇବା ସମୟରେ ସର୍ବପ୍ରଥମେ ଦିଗ ପ୍ରତି ଜାଣିବା ଖୁବ୍ ଆବଶ୍ୟକ। ଦକ୍ଷିଣ ଦିଗକୁ ମୁହଁ କରି ଆଦୌ ଭୋଜନ କରିବା ଉଚିତ୍ ନୁହେଁ। ଏପରି କରିବା ଅଶୁଭ ବୋଲି କୁହାଯାଏ। ଏହାଦ୍ୱାରା ଘରେ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ।
ପୂର୍ବ ଦିଗକୁ ମୁହଁ କରି ଭୋଜନ କରିବା ଅଧିକ ଶୁଭଙ୍କର ବୋଲି ମାନ୍ୟତା ରହିଛି।
ଅନେକ ଲୋକେ ଖାଦ୍ୟ ଖାଇବା ସମୟରେ ବାରମ୍ବାର ପାଣି ପିଇଥାଆନ୍ତି। ମାତ୍ର ଏପରି କରିବା ଉଚିତ ନୁହେଁ। ଜ୍ୟୋତିଷ ଓ ଆୟୁର୍ବେଦ ଉଭୟ ଅନୁଯାୟୀ ଏଭଳି କରିବା ଉଚିତ ନୁହେଁ।
ମାନ୍ୟତା ଅନୁଯାୟୀ, ଡାହାଣ ହାତରେ ପାଣି ପିିଇବା ଦ୍ୱାରା ସୌଭାଗ୍ୟ ପ୍ରାପ୍ତି ହୋଇଥାଏ। ମାତ୍ର ଭୋଜନ ସମୟରେ ହାତ ଅଇଁଠା ହେତୁ ଏହା ସମ୍ଭବ ହୋଇନଥାଏ। ତେଣୁ ଅତି ଆବଶ୍ୟକ ନହେଲେ ଖାଦ୍ୟ ଖାଇବା ମଝିରେ ପାଣି ପିଅନ୍ତୁ ନାହିଁ।
ଅନେକ ଲୋକେ ଭୋଜନ ଗ୍ରହଣ କରିବା ପରେ ଥାଳିରେ ହିଁ ହାତ ଧୋଇ ଦିଅନ୍ତି। ଏପରି କରିବା ଅଶୁଭ ହୋଇଥାଏ। ମାନ୍ୟତା ଅନୁଯାୟୀ, ଏପରି କରିବା ଦ୍ୱାରା ମା’ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାଆନ୍ତି। ଥାଳିରେ ହାତ ଧୋଇବା ଦ୍ୱାରା ଜୀବନରେ ଅନେକ ସମସ୍ୟା ଲାଗି ରହିଥାଏ। ଧନ ଅଭାବ ହୋଇଥାଏ।
ଖାଦ୍ୟ ଖାଇବା ସମୟରେ ପାଣି ଗ୍ଲାସ ସର୍ବଦା ଡାହାଣ ପଟେ ରଖିବା ଉଚିତ୍। ଏହାସହ ଡାହାଣ ହସ୍ତରେ ପାଣି ପିଇବା ଉଚିତ୍। ଭୋଜନ ଥାଳି ରଖାଯିବା ପରେ ପ୍ରଥମ ଥର ଭୋଜନର ଅଂଶ କାଢି ରଖିଦିଅନ୍ତୁ। ଏହାକୁ ପକ୍ଷୀଙ୍କୁ ଖାଇବାକୁ ଦିଅନ୍ତୁ। ଏହାଦ୍ୱାରା ସୁଖସମୃଦ୍ଧି ବୃଦ୍ଧି ସହ ଆଦୌ ଧନର ଅଭାବ ହୋଇନଥାଏ ବୋଲି କୁହାଯାଏ।
