ଆସିଲା କେନ୍ଦ୍ରର ଜାନୁଆରୀ ଗାଇଡଲାଇନ୍, ସବୁ ରାଜ୍ୟକୁ ଚିଠି ଲେଖିଲା ଗୃହ ମନ୍ତ୍ରାଳୟ
ଜାନୁଆରୀ ୩୧ ପର୍ଯ୍ୟନ୍ତ କଟକଣା ବୃଦ୍ଧି
ନୂଆଦିଲ୍ଲୀ : ଆସିଲା କେନ୍ଦ୍ରର ଜାନୁଆରୀ ଗାଇଡଲାଇନ୍ । ଦେଶରେ ଏବେ ଓମିକ୍ରନ ଆତଙ୍କ ଜାରି ରହିଥିବା ବେଳେ ଗାଇଡଲାଇନ ଜାରି କରିଛନ୍ତି କେନ୍ଦ୍ର ସରକାର । ଜାନୁୟାରୀ ୩୧ ପର୍ଯ୍ୟନ୍ତ କଟକଣା ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ସବୁ ରାଜ୍ୟକୁ ଚିଠି ଲେଖାଯାଇଛି ।
ସ୍ୱାସ୍ଥ୍ୟ ବିଭାଗର ୫ ସୂତ୍ରୀ କଟକଣାକୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରତି ଜିଲ୍ଲାକୁ ୟୁନିଟ ଭାବେ ନେଇ କଣ୍ଟେନମେଣ୍ଟ କରିପାରିବ ପ୍ରଶାସନ । ୧୦ ପ୍ରତିଶତରୁ ଅଧିକ କେସ୍ ଆସିଲେ କଣ୍ଟେନମେଣ୍ଟ ଜୋନ ହେବ । ୪୦ ପ୍ରତିଶତ କୋଭିଡ ବେଡ୍ ଫିଲଅପ ହେଲେ ନିଷ୍ପତ୍ତି ନେବ ପ୍ରଶାସନ । ଡାଟା ଆନାଲିସିସ୍ ଓ ତ୍ୱରିତ ନିଷ୍ପତ୍ତିକୁ ଦିଆଯାଇଛି ଗୁରୁତ୍ୱ ।
ଅନ୍ୟପକ୍ଷରେ ସାମ୍ପ୍ରତିକ କୋଭିଡ୍-୧୯ ପରିସ୍ଥିତି ଦୃଷ୍ଟିରୁ ଅଧିକ ଦୂରଦୃଷ୍ଟି ସମ୍ପନ୍ନ ହେବା, ତଥ୍ୟାବଳୀ ଅନୁଶୀଳନ କରିବା, ଗୁରତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିବା ସହ ଆଞ୍ଚଳିକ ଓ ଜିଲ୍ଲାସ୍ତରରେ କଠୋର ଏବଂ ତ୍ବରିତ ‘କଣ୍ଟେନ୍ମେଣ୍ଟ୍’ କାର୍ଯ୍ୟପନ୍ଥା ଗ୍ରହଣ ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଆଜି ନିର୍ଦେଶ ଦେଇଛି। ୨୦୨୨ ଜାନୁଆରି ୩୧ ତାରିଖ ପର୍ଯ୍ୟନ୍ତ ଦେଶବ୍ୟାପୀ କଠୋର ଭାବେ ‘ନ୍ୟାସ୍ନାଲ୍ ଡିରେକ୍ଟିଭ୍ ଫର୍ କୋଭିଡ୍-୧୯ ମ୍ୟାନେଜ୍ମେଣ୍ଟ୍’ ବଳବତ୍ତର ରଖିବାକୁ ଗୃହ ବ୍ୟାପାର ମନ୍ତ୍ରାଳୟ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କୁ ନିର୍ଦେଶ ଦେଇଛି।
