ପଶ୍ଚିମବଙ୍ଗର ବରିଷ୍ଠ ମନ୍ତ୍ରୀ ସାଧନ ପାଣ୍ଡେଙ୍କ ଦେହାନ୍ତ, ସୋମବାର ହେବ ଅନ୍ତିମ ସଂସ୍କାର
କଲିକତା : ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ବରିଷ୍ଠ ରାଜ୍ୟ ମନ୍ତ୍ରୀ ସାଧନ ପାଣ୍ଡେଙ୍କର ରବିବାର ଦେହାନ୍ତ ହୋଇଛି । ତାଙ୍କର ବୟସ ୭୧ ବର୍ଷ ଥିଲା । ଫୁସ୍ଫୁସ୍ ସଂକ୍ରମଣ ପରେ ତାଙ୍କୁ ୧୬ ଜୁଲାଇରେ କଲିକତାର ଏକ ଘରୋଇ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ସେପ୍ଟେମ୍ବରରେ ତାଙ୍କୁ ମୁମ୍ବାଇର ଏକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ଯେଉଁଠାରେ ସେ କିଛି ଦିନ ଧରି ଭେଂଟିଲେଟରରେ ରହିବା ପରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ତାଙ୍କ ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି ।
ମାଣିକତାଲାର ବିଧାୟକ ପାଣ୍ଡେ ଗତ ବର୍ଷ ଏପ୍ରିଲ-ମେ ମାସରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ କଲ୍ୟାଣ ଚୌବେଙ୍କୁ ୨୦,୨୩୮ ଭୋଟରେ ପରାସ୍ତ କରିଥିଲେ । ମେ ୧୦ରେ ଯେତେବେଳେ ମମତା ବାନାର୍ଜୀ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ, ତାଙ୍କୁ ଦୁଇଟି ମନ୍ତ୍ରଣାଳୟର ଦାୟିତ୍ୱ ଦିଆଗଲା । ଜୁଲାଇ ମଧ୍ୟଭାଗରେ ସେ ଅସୁସ୍ଥ ହୋଇପଡ଼ିଥିଲେ ।
