ଆହୁରି ତାତିବ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶା : ଜୁନ୍ ୧୧ ଯାଏଁ ଜାରି ରହିବ ପ୍ରଚଣ୍ଡ ରୌଦ୍ର ତାପ
ଭୁବନେଶ୍ୱର : ରାଜ୍ୟର ପଶ୍ଚିମ ଓ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକରେ ପୁଣି ବଢିପାରେ ଗ୍ରୀଷ୍ମ ପ୍ରବାହ । ସେହିପରି ଉପକୂଳ ଜିଲ୍ଲାଗୁଡିକରେ ଗୁଳୁଗୁଳି ଜାରି ରହିବ ବୋଲି ଭୁବନେଶ୍ୱର ସ୍ଥ୍ିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ପାଣିପାଗ କେନ୍ଦ୍ର ପକ୍ଷରୁ ଶନିବାର ଜାରି ସତର୍କ ସୂଚନା ଅନୁଯାୟୀ ଆସନ୍ତା ୨୪ ଘଂଟା ମଧ୍ୟରେ ବଲାଙ୍ଗୀର, ବୌଦ୍ଧ, ସୋନପୁର, ବରଗଡ, ସମ୍ବଲପୁର ଓ ଝାରସୁଗୁଡା ଜିଲ୍ଲାରେ ଗ୍ରୀଷ୍ମ ଲହରୀ ହେବ । ଗ୍ରୀଷ୍ମ ପ୍ରବାହ ସମୟରେ ଶିଶୁ, ବୃଦ୍ଧ ଓ ରୋଗୀମାନଙ୍କର ବିଶେଷ ଯତ୍ନ ନେବାକୁ କୁହାଯାଇଛି । ଏହା ବ୍ୟତୀତ ଦିନ ୧୧ ଟାରୁ ଦିନ ୩ ଟା ମଧ୍ୟରେ ଅନାବଶ୍ୟକ ଭାବେ ବାହାରକୁ ନବାହରିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ । ଏହି ସମୟ ମଧ୍ୟରେ ସୁନ୍ଦରଗଡ, ଦେବଗଡ, କେନ୍ଦୁଝର, ମୟୁରଭଂଜ, ଅନୁଗୁଳ, ଢେଙ୍କାନାଳ, ଗଜପତି, ଗଂଜାମ ଓ କନ୍ଧମାଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବଜ୍ରପାତ ସହ କାଳବୈଶାଖୀ ଜନିତ ବର୍ଷା ହେବାର ସମ୍ଭାବନା ରହିଛି । ତେଣୁ ଏହି ସମସ୍ତ ଜିଲ୍ଲାଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
ଜୁନ୍ ୧୧ ତାରିଖ ଯାଏଁ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରଚଣ୍ଡ ରୌଦ୍ର ତାପ ଏବଂ ଉପକୂଳବର୍ତୀ ଅଂଚଳରେ ମଧ୍ୟମ ଧରଣର ଗରମ ସହ ଅସହ୍ୟ ଗୁଳୁଗୁଳି ଲାଗି ରହିବ । ତେବେ ଜୁନ୍ ୧୧ ତାରିଖ ପରେ ମୌସୁମୀର ଆଗମନର ସମ୍ଭାବନା ଯୋଗୁଁ ହଠାତ୍ ତାପମାତ୍ରା କମିଯାଇପାରେ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ କୁହାଯାଇଛି । ତେବେ ଜୁନ୍ ୧୧ ତାରିଖ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ପ୍ରଚଣ୍ଡ ତାତି ସହ ତାପମାତ୍ରା ୪୪ ଡିଗ୍ରୀ ସେଲ୍ସିୟସରୁ ୪୭ ଡିଗ୍ରୀ ମଧ୍ୟରେ ରହିବାର ଆଶଙ୍କା କରାଯାଉଥିବା ବେଳେ ଉପକୂଳ ଅଂଚଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ରୁ ଅଧିକ ରହିବାର ସମ୍ଭାବନା ଥିବା ସିଇସି ପକ୍ଷରୁ ଶନିବାର ସୂଚନା ଦିଆଯାଇଛି । ଜୁନ ୧୦ ତାରିଖ ବେଳକୁ ଆରବସାଗରରେ ପଶ୍ଚିମା ବାୟୁ ଶକ୍ତିଶାଳୀ ହେବା ସହ ଏହା ଉତ୍ତର ମୁହାଁ ହୋଇ ଜୁନ୍ ୧୨ ତାରିଖ ସୁଦ୍ଧା ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀର ଆଗମନ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିପାରେ ବୋଲି ସିଇସି ପକ୍ଷରୁ କୁହାଯାଇଛି । ଏହାର ପ୍ରଭାବ ଦକ୍ଷିଣ ଓଡ଼ିଶା ଜିଲ୍ଲାଗୁଡିକରେ ଦେଖାଯିବ । ତେବେ ଦୁର୍ବଳ ମୌସୁମୀ ଯୋଗୁଁ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ଏବଂ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ଜୁନ୍ ୮ ରୁ ଦକ୍ଷିଣ ଓଡ଼ିଶାରେ ପ୍ରାକ୍ ମୈସୁମୀ ବର୍ଷା ହେବାର ସମ୍ଭାବନା ରହିଛି ।
