ମା’ ଶୀତଳା ଦେବୀଙ୍କ ସପ୍ତଦିନାତ୍ମକ ପୂଜା ଆରମ୍ଭ
ରେମୁଣା : ରେମୁଣା ବ୍ଲକ ତେନ୍ତୁଳିଦା ପଞ୍ଚାୟତ ସୋନ ନଦୀ କୂଳରେ ଅବସ୍ଥିତ ଐତିହାସିକ ଗ୍ରାମ ବୋଇତବାଙ୍କରେ ମା’ଶୀତଳା ଦେବୀଙ୍କ ସପ୍ତଦିନାତ୍ମକ ପୂଜା ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି । ୧୯୪୦ରୁ ଆରମ୍ଭ ହୋଇଥିବା ଏହି ପୂଜା ଉତ୍ସବ ୮୩ ବର୍ଷରେ ପଦାର୍ପଣ କରିଛି । ରେମୁଣା ଅଞ୍ଚଳର ସର୍ବପୁରାତନ ପୂଜା ଉତ୍ସବ ହୋଇଥିବାରୁ ସବୁଠି ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ମା’ଶୀତଳା ପୂଜା କମିଟି ତରଫରୁ ପୂଜା କାର୍ଯ୍ୟକୁ ସୁରୁଖୁରୁରେ ସଞ୍ଚାଳନ କରାଯାଉଛି ।
ସୋତ୍ରୀୟ ବ୍ରାହ୍ମଣ ମାନଙ୍କ ଦ୍ୱାରା ପ୍ରତ୍ୟେକ ଦିନ ମା’ଙ୍କ ନିକଟରେ ନିତ୍ୟାନ୍ତି ପୂଜା, ଚଣ୍ଡୀ ପାଠ ଓ ହୋମ ଯଜ୍ଞ ଓ ଆରତୀ କରାଯାଉଛି । ସନ୍ଧ୍ୟାରେ ମା’ଙ୍କ ପ୍ରସିଦ୍ଧ ଆରତୀ ଦେଖିବା ପାଇଁ ଆଖପାଖ ଅଞ୍ଚଳରୁ ହଜାର ହଜାର ଲୋକଙ୍କ ସମାଗମ ହେଉଛି । କମିଟି ତରଫରୁ ଶ୍ରଦ୍ଧାଳୁଙ୍କ ପାଇଁ ଭୋଗ ବଣ୍ଟନ, ପ୍ରସାଦ ସେବନ ସହ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଆସନ୍ତା ୮ ତାରିଖରେ ପୂର୍ଣ୍ଣାହୁତି ହେବା ସହ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ଅଞ୍ଚଳର ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ‘ଗାଁ ଗୌରବ ସମ୍ମାନ’ ପ୍ରଦାନ କରାଯିବ । ରବିବାର ଉଦ୍ଯାପନୀ ସନ୍ଧ୍ୟାରେ ଲୋକପ୍ରିୟ କଳାକାରଙ୍କୁ ନେଇ ସଙ୍ଗୀତ ସନ୍ଧ୍ୟାର ଆୟୋଜନ କରାଯାଇଛି । ଶ୍ରଦ୍ଧାଳୁମାନେ ବିପୁଳ ସଂଖ୍ୟାରେ ପୂଜା ଉତ୍ସବରେ ଯୋଗଦେଇ ମା’ଙ୍କ କୃପା ଲାଭ କରିବାକୁ କମିଟି ତରଫରୁ ଆଗ୍ରହ କରାଯାଇଛି । ପୂଜା କାର୍ଯ୍ୟରେ ବୋଇତବାଙ୍କ ଗ୍ରାମବାସୀ ପୂର୍ଣ୍ଣମାତ୍ରାରେ ସହଯୋଗ କରୁଛନ୍ତି ।
