ବଦଳିଲା ପାଗ, ରାଜ୍ୟରେ ୩ ଦିନ ଯାଏଁ ବର୍ଷା
ଭୁବନେଶ୍ୱର : ରାଜ୍ୟରେ ବଦିଳାଲା ପାଗ। ଆସନ୍ତା ୩ଦିନ ଯାଏ ରାତି ତାପମାତ୍ରା ଅପରିବର୍ତ୍ତିତ ରହିବ । ପରେ ଦୁଇ ଦିନ ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରୀ କମିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର କିଛି ସ୍ଥାନରେ ବର୍ଷା ସାଙ୍ଗକୁ କୁହୁଡି ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଶନିବାର ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ବର୍ଷାର ପରିମାଣ ଅଧିକ ନହେଲେ ବି ହାଲକା ବର୍ଷା ହେବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି । ସେପଟେ ଦକ୍ଷିଣ ଉପକୂଳ ଓଡିଶାରେ ମଧ୍ୟମ ଧରଣର କୁହୁଡି ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫରୁ ଜଣାଯାଇଛି । ରବିବାର ସୁନ୍ଦରଗଡ, ଝାରସୁଗୁଡା, ଦେଓଗଡ, କେଉଁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ ଏବଂ ଯାଜପୁର ଜିଲ୍ଲାରେ ହାଲକା ବର୍ଷା ହେବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ । ତେବେ ଏଭଳି ପାଗ ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ରହିବ ବୋଲି ପ୍ରକାଶ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।
ସେହିପରି ରାଜ୍ୟର ବିଭିନ୍ନ ସ୍ଥାନରେ ଏବେ ରାତି ତାପମାତ୍ରା ବଢୁଛି ଓ ଶୀତ କମ୍ ରହିଛି । ଦାରିଙ୍ଗିବାଡ଼ି ଓ କୋରାପୁଟରେ ରାତି ତାପମାତ୍ରା ବଢ଼ି ୧୩ ଡିଗ୍ରୀରେ ପହଞ୍ଚିଲାଣି । ଗୋପାଳପୁରରେ ସର୍ବନିମ୍ନ ତାପମାତ୍ରା ୨୧.୪ ଡିଗ୍ରୀ, ପୁରୀରେ ୨୦.୬, ନୟାଗଡ଼ରେ ୧୯.୫, ପାରାଦୀପରେ ୧୯.୨, ଛତ୍ରପୁର ଓ ଟିଟିଲାଗଡ଼ରେ ୧୮ ଡିଗ୍ରୀ ରେକର୍ଡ ହୋଇଛି ।
