ଓଡିଶା ସିନିୟର କ୍ରିକେଟ୍ ଦଳର କୋଚ୍ ହେଲେ ଓ୍ଵାସିମ ଜାଫର
ଭୁବନେଶ୍ଵର : ଓଡିଶା ସିନିୟର କ୍ରିକେଟ୍ ଦଳର କୋଚ୍ ହେଲେ ପୂର୍ବତନ ରଣଜୀ ଖେଳାଳି ଓ୍ଵାସିମ ଜାଫର। ଓସିଏର କୋଚ୍ ଭାବେ ଜାଫରଙ୍କ କାର୍ଯ୍ୟକାଳ ୨ ବର୍ଷ ରହିବ। ଏନେଇ ପ୍ରେସମିଟ୍ ଜରିଆରେ ସୂଚନା ଦେଇଛନ୍ତି ଓସିଏ ସଂପାଦକ ସଞ୍ଜୟ ବେହେରା। ବାଂଲାଦେଶ ଜାତୀୟ ଦଳର କୋଚ୍ ଦାୟିତ୍ଵ ତୁଲାଇଛନ୍ତି ଜାଫର। ସେ ଆଇପିଏଲରେ କିଙ୍ଗ୍ସ ଏକାଦଶ ପଞ୍ଜାବର କୋଚ୍ ମଧ୍ୟ ଥିଲେ।
ଓ୍ଵାସିମ ଜାଫର ଭାରତ ପକ୍ଷରୁ ୩୧ଟି ଟେଷ୍ଟ ଓ ୨ଟି ଦିନିକିଆ ଖେଳିଛନ୍ତି। ଟେଷ୍ଟରେ ସେ ୫୮ଟି ଇନିଂସରୁ ୩୪.୧୧ ହାରରେ ୧୯୪୪ ରନ କରିଛନ୍ତି। ଏଥିରେ ୫ ଶତକ ଓ ୧୧ ଅର୍ଦ୍ଧଶତକ ସାମିଲ। ଏଥିରେ ୨ଟି ଦ୍ଵିଶତକ ମଧ୍ୟ ସାମିଲ। ଘରୋଇ କ୍ରିକେଟ୍ରେ ସେ ସଫଳ ବ୍ୟାଟସମ୍ୟାନ ଥିଲେ। କ୍ରିକେଟରୁ ଅବସର ନେବା ପରେ ସେ କୋଚିଂ ଦାୟିତ୍ଵରେ ପାଦ ଦେଇଥିଲେ। ବାଂଲାଦେଶ ଜାତୀୟ କ୍ରିକେଟ୍ ଦଳର ପ୍ରଶିକ୍ଷକ ଦାୟିତ୍ଵ ତୁଲାଇଥିଲେ ଓ୍ଵାସିମ। ଏଥିସହ ଆଇପିଏଲରେ କିଙ୍ଗ୍ସ ଇଲେଭେନ ପଞ୍ଜାବର କୋଚ୍ ଥିଲେ। ତାଙ୍କର ଅଭିଜ୍ଞତାକୁ ଦୃଷ୍ଟିରେ ରଖି ଓସିଏ ଜାଫର ଓଡିଶା ସିନିୟର କ୍ରିକେଟ୍ ଦଳର ମୁଖ୍ୟ କୋଚ୍ ଦାୟିତ୍ଵ ତୁଲାଇବେ। ଓସିଏ ତାଙ୍କୁ ଆଗାମୀ ଦୁଇ ବର୍ଷ ପାଇଁ କୋଚ୍ ପଦରେ ନିଯୁକ୍ତ ଦେଇଛି। ସୂଚନା ଯେ, ଓ୍ଵାସିମ ଜାଫର ୨୦୦୦ ମସିହା ଫେବୃଆରୀ ୨୪ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟରେ ପଦାର୍ପଣ କରିଥିଲେ। ସେ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ୨୦୦୬ ନଭେମ୍ବର ୨୯ ତାରିଖରେ ଖେଳିଥିଲେ। ସେ ମୁମ୍ବାଇ ତରଫରୁ ଘରୋଇ କ୍ରିକେଟ୍ ଖେଳିଥିଲେ। ସେ ରଣଜୀ ଟ୍ରଫି ଓ ଇରାନୀ ଟ୍ରଫିରେ ସର୍ବାଧିକ ସ୍କୋରର। ଏପରିକି ପ୍ରଥମ ଶ୍ରେଣୀ କ୍ରିକେଟ୍ରେ ସେ ସର୍ବୋଚ୍ଚ ରନହାସଲକାରୀ ବ୍ୟାଟସମ୍ୟାନ। ଜାଫର ସ୍କୁଲସ୍ତରୀୟ କ୍ରିକେଟ୍ରେ ମୁମ୍ବାଇ ପକ୍ଷରୁ ଖେଳି ମାତ୍ର ୧୫ ବର୍ଷ ବୟସରେ ୪୦୦ ରନ କରିବା ପରେ ସଭିଙ୍କ ଧ୍ୟାନ ଆକର୍ଷିତ କରିଥିଲେ। ଏହା ପରେ ସେ ୧୯୯୬/୯୭ ସିଜିନ୍ରେ ରଣଜୀ ଟ୍ରଫିରେ ପଦାର୍ପଣ କରିଥିଲେ।
