ଆମେରିକାକୁ ଚେତାବନୀ! ଚୀନ ପୂର୍ବବର୍ତ୍ତୀ ସୋଭିଏତ ସଂଘ ପରି ନୁହେଁ ଯିଏ ଶୀତଳ ଯୁଦ୍ଧରେ ହାରିଯିବ
ୱାଶିଂଟନ : ଚୀନ ପୂର୍ବବର୍ତ୍ତୀ ସୋଭିଏତ ସଂଘ ପରି ନୁହେଁ ଯିଏ ଶୀତଳ ଯୁଦ୍ଧରେ ହାରିଯିବ । ଆମେରିକା ସ୍ଥିତ ଚାଇନାର ରାଷ୍ଟ୍ରଦୂତ କ୍ୱିନ୍ ଗ୍ୟାଙ୍ଗ ଏକ ସାକ୍ଷାତକାରରେ ଆମେରିକା ସରକାରଙ୍କୁ ଏହି ଚେତାବନୀ ଦେଇଛନ୍ତି । ଆମେରିକାର ପ୍ରମୁଖ ଗଣମାଧ୍ୟମର ସମ୍ପାଦକ ତଥା ବରିଷ୍ଠ ସମ୍ବାଦଦାତାଙ୍କ ସହ ଆମେରିକା ଓ ଚୀନ୍ ମଧ୍ୟରେ ଚାଲିଥିବା ବିବାଦକୁ ନେଇ ଗ୍ୟାଙ୍ଗ କହିଛନ୍ତି ଯେ, “ଯଦି ଲୋକମାନେ ପ୍ରକୃତରେ ଚୀନ ବିରୋଧରେ ଶୀତଳ ଯୁଦ୍ଧ କରିବାକୁ ଚାହାଁନ୍ତି, ତେବେ ମୁଁ କହିବାକୁ ଚାହେଁ ଯେ ଚୀନ ପରାଜିତ ହେବ ନାହିଁ।”
ଚୀନ୍ ରାଷ୍ଟ୍ରଦୂତ କହିଛନ୍ତି, “ସେହି ଲୋକମାନେ ଶୀତଳ ଯୁଦ୍ଧରେ ଜିତିବାକୁ ସମର୍ଥ ହେବେ ନାହିଁ । ପ୍ରଥମତଃ ଚୀନ ପୂର୍ବବର୍ତ୍ତୀ ସୋଭିଏତ୍ ସଂଘ ନୁହେଁ । ଚାଇନାର କମ୍ୟୁନିଷ୍ଟ ପାର୍ଟି ସୋଭିଏତ ସଂଘର କମ୍ୟୁନିଷ୍ଟ ପାର୍ଟି ଭଳି ନୁହେଁ । ଚାଇନାର ୧୦୦ ବର୍ଷ ପୁରୁଣା କମ୍ୟୁନିଷ୍ଟ ପାର୍ଟି ନିକଟ ଅତୀତରେ ଏକ ବଡ଼ ଜନ୍ମଦିନର କେକ୍ କାଟି ଶତବାର୍ଷିକୀ ପାଳନ କରିଛି ।”
ଆମେରିକା ଓ ଚୀନ ମଧ୍ୟରେ ସମ୍ଭାବ୍ୟ ଶୀତଳ ଯୁଦ୍ଧ ଉପରେ ଗ୍ୟାଙ୍ଗ ପଚାରିଛନ୍ତି ଯେ, “ନୂତନ ଶୀତଳ ଯୁଦ୍ଧ କେଉଁଠୁ ଆସିଲା? ଲୋକମାନେ କାହିଁକି ଭାବନ୍ତି ଶୀତଳ ଯୁଦ୍ଧ ଫେରି ଆସୁଛି? ଏହାର କାରଣ ହେଉଛି ଆମେରିକାର କିଛି ଲୋକଙ୍କର ଶୀତଳ ଯୁଦ୍ଧ ମାନସିକତା ଅଛି । ସେମାନେ ଚାଇନାକୁ ସୋଭିଏତ୍ ୟୁନିଅନ୍ ପରି ଭାବୁଛନ୍ତି । କିନ୍ତୁ ଚୀନ ସୋଭିଏତ୍ ୟୁନିଅନ୍ ନୁହେଁ ।” ସେ ଉଲ୍ଲେଖ କରିଛନ୍ତି ଯେ, ଆମେରିକା ୩୦ ବର୍ଷ ପୂର୍ବ ଭଳି ଆମେରିକା ହୋଇ ରହିନାହିଁ । ବେଜିଂର ହିତ ୱାଶିଂଟନ୍ ସହିତ ଜଡିତ । ଆମେରିକା ହେଉଛି ଚାଇନାର ସବୁଠୁ ବଡ଼ ବାଣିଜ୍ୟ ଭାଗିଦାରୀ ଓ ଚୀନ ମଧ୍ୟ ଆମେରିକାର ତୃତୀୟ ବୃହତ୍ତମ ବାଣିଜ୍ୟ ଭାଗିଦାରୀ ।
