ନୋଏଡ଼ାରେ ଭୁଶୁଡ଼ିଲା ନିର୍ମାଣାଧୀନ କାନ୍ଥ : ୫ମୃତ, ବହୁ ଆହତ
ନୂଆଦିଲ୍ଲୀ : ନୋଏଡାରେ ବଡ଼ ଧରଣର ଅଘଟଣ । ସେକ୍ଟର ୨୫ ଅଞ୍ଚଳରେ ଏକ ନିର୍ମାଣାଧୀନ କାନ୍ଥ ଭୁଶୁଡ଼ିପଡ଼ିବା ଫଳରେ ୫ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଏଥିରେ ଅନେକ ଲୋକ ଆହତ ମଧ୍ୟ ହୋଇଥିବା ଅନୁମାନ କରାଯାଉଛି । କିଛି ଲୋକଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏବେ ବି ଘଟଣାସ୍ଥଳରେ ପୋଲିସ ଓ ଉଦ୍ଧାରକାରୀ ଦଳ ଲୋକଙ୍କୁ ଉଦ୍ଧାର କରୁଛନ୍ତି ।
ସୂଚନା ଅନୁଯାୟୀ ସୋସାଇଟି ବାଉଣ୍ଡରୀ କାନ୍ଥକୁ ଲାଗିଥିବା ଡ୍ରେନର ମରାମତି କାର୍ଯ୍ୟ ଚାଲିଥିଲା। ଏହି ସମୟରେ କାନ୍ଥ ଭୁଶୁଡି ପଡିଥିଲା । ଯେଉଁ କାରଣରୁ ସେଠାରେ କାର୍ଯ୍ୟ କରୁଥିବା ଶ୍ରମିକମାନେ କାନ୍ଥ ତଳେ ଦବି ହୋଇଯାଇଥିଲେ। ଗୌତମ ବୁଦ୍ଧ ନଗର ଜିଲା ମାଜିଷ୍ଟ୍ରେଟ ସୁହାସ ଏଲ.ଆଇ କାନ୍ଥ ଭୁଶୁଡ଼ି ୫ ଜଣଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛନ୍ତି ।
ସେ କହିଛନ୍ତି, “ଡ୍ରେନେଜ ମରାମତି କାମ ସମୟରେ ଶ୍ରମିକମାନେ ଇଟା ବାହାର କରୁଥିବା ବେଳେ କାନ୍ଥ ଭୁଶୁଡି ପଡିଥିଲା। ଏହି ଘଟଣାର ତଦନ୍ତ କରାଯିବ । ଜିଲା ଡାକ୍ତରଖାନାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କୈଳାଶ ଡାକ୍ତରଖାନାରେ ଆଉ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା। ବର୍ତ୍ତମାନ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଚାଲିଛି। ଆଉ କିଛି ଲୋକ ମଧ୍ୟ କାନ୍ଥ ଭଗ୍ନାବଶେଷ ତଳେ ଦବି ରହିଥିବା ଆଶଙ୍କା କରାଯାଉଛି । ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଆହତଙ୍କ ଚିକିତ୍ସା ପାଇଁ ଉପଯୁକ୍ତ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
