କଂଗ୍ରେସ ସଭାପତି ପାଇଁ ଭୋଟ ଗ୍ରହଣ ଶେଷ, ଭୋଟ୍ ଦେଲେନି ମୋକିମ୍
ଭୁବନେଶ୍ୱର : ଜାତୀୟ କଂଗ୍ରେସ ସଭାପତି ନିର୍ବାଚନ ଲାଗି ଭୁବନେଶ୍ୱର କଂଗ୍ରେସ ଭବନରେ ଭାଟ ଗ୍ରହଣ ଶେଷ ହୋଇଛି । ଏଆଇସିସି ସଦସ୍ୟମାନେ ଜଣଙ୍କ ପରେ ଜଣେ ଭୋଟ ଦାନ କରିଛନ୍ତି । ତେବେ କଂଗ୍ରେସ ସଭାପତି ନିର୍ବାଚନରେ ଭୋଟ ଦେଇନାହାନ୍ତି ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ । ବାହାରେ ଥିବାରୁ ଭୋଟ ଦେବାକୁ ଆସିପାରିଲେନି ବୋଲି କହିଛନ୍ତି ବିଧାୟକ ମୋକିମ୍ । ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇ ଚର୍ଚ୍ଚିତ ଥିଲେ । ଦଳର ହୁଇପ୍ ମାନି ନଥିବାରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା । ସେବେ ଠାରୁ ମୋକିମ୍ କଂଗ୍ରେସ ଭବନ ଆସୁନଥିଲେ ।
ଦଳ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ପ୍ରଦେଶ କଂଗ୍ରେସର ୪୨୭ ପିସିସି ମେମ୍ବରଙ୍କ ମଧ୍ୟରୁ ୪୧୨ ଜଣ ଭୋଟ ଦେଇଥିଲେ । ଏହା ସହିତ ଓଡ଼ିଶା ପାଇଁ ନିଯୁକ୍ତ ପିଆରଓ ଏବଂ ଏପିଆରଓ ମଧ୍ୟ ତାଙ୍କର ଭୋଟ ଏଠି ଦେଇଥିଲେ । ଭୋଟଗ୍ରହଣ ସମୟ ସରିବା ପରେ ପିଆରଓ, ଏପିଆରଓ ଉଭୟ ପ୍ରତିଦ୍ୱନ୍ଦିଙ୍କର ନିର୍ବାଚନ ପ୍ରତିନିଧିଙ୍କ ଉପସ୍ଥିତିରେ ଭୋଟବାକ୍ସକୁ ସିଲ କରାଯାଇଥିଲା ଏବଂ ଏହା କେନ୍ଦ୍ରୀୟ ନିର୍ବାଚନ ଅଧିକାରୀଙ୍କ କାର୍ଯର୍୍ୟାଳୟକୁ ପଠାଯାଇଥିଲା । ଉଲ୍ଲେଖନୀୟ ଯେ ସୋମବାର ପୂର୍ବାହ୍ନ ୧୦ଟାରୁ ୪ଟା ମଧ୍ୟରେ ସାରା ଦେଶରେ ଭୋଟଗ୍ରହଣ ପାଇଁ ବ୍ୟବସ୍ଥା ହୋଇଥିଲା । ଏଆଇସିସି ସଭାପତି ଲାଗି ମଲ୍ଲିକାର୍ଜୁନ ଖଡଗେ ଓ ଶଶୀ ଥରୁର୍ ପ୍ରାର୍ଥୀ ରହିଛନ୍ତି ।
