୩୪ ବର୍ଷରେ ପାଦ ଥାପିଲେ କିଙ୍ଗ କୋହଲି
ନୂଆଦିଲ୍ଲୀ : ୩୪ ବର୍ଷରେ ପାଦ ଥାପିଲେ ଭାରତୀୟ କ୍ରିକେଟର ହେବିଓ୍ୱେଟ୍ ଷ୍ଟାର କିଙ୍ଗ ବିରାଟ କୋହଲି । ୨୦୦୮ ମସିହାରୁ ପଦାର୍ପଣ କରିବା ପରଠୁ ୧୪ ବର୍ଷ ଧରି ସେ ଭାରତୀୟ କ୍ରିକେଟ୍ର ପ୍ରମୁଖ ଖେଳାଳି ଭାବେ ରହି ଆସିଛନ୍ତି। ମହେନ୍ଦ୍ର ସିଂହ ଧୋନିଙ୍କଠୁ ଅଧିନାୟକତ୍ବ ଭାର ଗ୍ରହଣ କରିବା ପରେ ଭାରତୀୟ ଦଳକୁ ୧ ନମ୍ବର ସ୍ଥାନରେ ପହଞ୍ଚାଇବା ତାଙ୍କର ସବୁଠୁ ବଡ଼ ଉପଲବ୍ଧି। ନେତୃତ୍ବ ଚାପ ତାଙ୍କ ଉପରେ ଅଧିକ ରହୁଥିବାରୁ ପରେ ଏଥିରୁ ଓହରିଯାଇ ବ୍ୟାଟିଂ ଉପରେ ଅଧିକ ଧ୍ୟାନ କେନ୍ଦ୍ରୀତ କରିଛନ୍ତି। ଯାହାଫଳରେ ସେ ଅଧିକ ଆକ୍ରମଣାତ୍ମକ ହୋଇ ଖେଳୁଛନ୍ତି। ତାଙ୍କ ବ୍ୟାଟିଂ ପାଳି ଆସିଲେ ବୋଲରଙ୍କ ଭିତରେ ଭୟ ଖେଳିଯାଉଛି ଏବଂ ଦର୍ଶକମାନଙ୍କର ଭଲ ମନୋରଂଜନ ହେଉଛି। କ୍ରିକେଟ୍ ଉପରେ ତାଙ୍କର ଆଧିପତ୍ୟକୁ ଦେଖି ସାମାଜିକ ଗଣମାଧ୍ୟମରେ ତାଙ୍କୁ ‘କିଙ୍ଗ୍ କୋହଲି’ର ଆଖ୍ୟା ଦିଆଯାଉଛି।
୧୯୮୮ ନଭେମ୍ବର ୫ରେ ଦିଲ୍ଲୀରେ ଜନ୍ମିଥିଲେ ବିରାଟ । ୧୫ ବର୍ଷ ମଧ୍ୟରେ ଜଣେ ଶ୍ରେଷ୍ଠସ୍ତରର ଯୁବ ଖେଳାଳି ଭାବେ ପୂରା ବିଶ୍ୱରେ ହାସଲ କରିଛନ୍ତି ସ୍ୱତନ୍ତ୍ର ପରିଚୟ । କୋହଲିଙ୍କ ନାମରେ ରହିଛି ଅନେକ ରେକର୍ଡ । ୨୦୦୮ରେ କୋହଲିଙ୍କ ନେତୃତ୍ୱରେ ଭାରତ ଜିତିଥିଲା ୧୯ ବର୍ଷରୁ କମ ବିଶ୍ୱକପ । ଶ୍ରୀଲଙ୍କା ବିପକ୍ଷରେ ୨୦୦୮ରେ କୋହଲି ଖେଳିଥିଲେ ପ୍ରଥମ ଦିନିକିଆ । ୨୦୧୧ରେ ୱେଷ୍ଟଇଣ୍ଡିଜ ବିପକ୍ଷରେ କୋହଲିଙ୍କର ଥିଲା ପ୍ରଥମ ଟେଷ୍ଟ ମ୍ୟାଚ ।
ବିରାଟଙ୍କ ନାମରେ ୪୩ଟି ଦିନିକିଆ ଓ ୨୭ ଟେଷ୍ଟ ଶତକ ସାମିଲ ଅଛି । ସେହିପରି ଦିନିକିଆରେ କୋହଲି କରିଛନ୍ତି ୧୧ ହଜାର ୮୬୭ ରନ ଓ ଟେଷ୍ଟରେ ୭ ହଜାର ୨୪୦ ରନ୍ । ଭାରତ ପାଇଁ ହାସଲ କରିଛନ୍ତି ସର୍ବାଧିକ ୭ଟି ଦ୍ୱି-ଶତକ । ଷ୍ଟାର କ୍ରିକେଟର୍ ବିରାଟ କୋହଲିଙ୍କ ନାଁରେ ବିଶ୍ୱ ରେକର୍ଡ । ଟି-୨୦ ବିଶ୍ଵ କପରେ ସବୁଠୁ ଅଧିକ ରନ ହାସଲକାରୀ ବ୍ୟାଟସମ୍ୟାନ ତାଲିକାରେ ବିରାଟ ଟପ୍ରେ ।
ଶ୍ରୀଲଙ୍କାର ମହାନ ବ୍ୟାଟସମ୍ୟାନ ମାହେଲା ଜୟବର୍ଦ୍ଧନେଙ୍କୁ ପକାଇଛନ୍ତି ପଛରେ । କୋହଲି ନାଁରେ ୧୬୬୫ ରନ ରହିଥିବା ଜୟବର୍ଦ୍ଧନେଙ୍କ ନାଁରେ ୧୦୧୬ ରନ ରହିଛି । ଏହାସହ ଆଉ ଏକ ରେକର୍ଡର ଅଧିକାରୀ ହୋଇପାରିଛନ୍ତି କୋହଲି । ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଛନ୍ତି ବିରାଟ । କୋହଲିଙ୍କୁ ତାଙ୍କ ସାଥୀ ଖେଳାଳିମାନେ ଶ୍ରଦ୍ଧାରେ ଡାକୁଥିଲେ ଚିକୁ । ଗୋଟିଏ କମିକ୍ କ୍ୟାରେକ୍ଟର ନାମ ଥିଲା ଚମ୍ପକ ଚିକୁ ।
ଜୀବନର ଶିଖରରେ ପହଞ୍ଚିସାରିଥିଲେ ବି ପ୍ରଶଂସକଙ୍କ ସହିତ ତାଙ୍କର ଭାବ ବିନିମୟ ସେହି ପୁରୁଣା କୋହଲିଙ୍କ ଭଳି ରହିଛି। ବରଂ ପୂର୍ବାପେକ୍ଷା ସେ ଅଧିକ ପ୍ରଶଂସକଙ୍କ ପାଖରେ ପହଞ୍ଚୁଛନ୍ତି। ଯଦି ବି ଜଣେ କ୍ରିକେଟ୍ ପ୍ରଶଂସକ ହୋଇନଥିବ, ତଥାପି ବ୍ୟାରିକେଡ୍ ଡେଇଁ କୋହଲିଙ୍କୁ ଟିକେ ଭେଟିବାକୁ ଚାହିଁବେ। ପ୍ରତିବଦଳରେ ଗୋଟିଏ ଭଲ ହସ ସହିତ ଫେରିବେ। ସେ କେବଳ ତାଙ୍କ ପ୍ରଦର୍ଶନ ପାଇଁ ଉଚ୍ଚସ୍ଥାନରେ ନାହାନ୍ତି, ବରଂ ପ୍ରଶଂସକଙ୍କ ସହିତ ତାଙ୍କର ବ୍ୟବହାର ଓ ଯୋଗାଯୋଗ ହିଁ ତାଙ୍କୁ ଏତେ ବାଟ ଆଣିପାରିଛି। ଏବେ ବିଶ୍ବକପ୍ ପାଇଁ ଅଷ୍ଟ୍ରେଲିଆରେ ଥିବା କୋହଲି ପାଖାପାଖି ଦୁଇ ସପ୍ତାହ ଧରି ଏ ସହରରୁ ସେ ସହରକୁ ବୁଲୁଛନ୍ତି। ପ୍ରତ୍ୟେକ ସ୍ଥାନରେ ସେ ତାଙ୍କ ପ୍ରଶଂସକଙ୍କ ସହିତ ମିଶୁଥିଲା ବେଳେ ସେମାନଙ୍କୁ ଅଟୋଗ୍ରାଫ୍ ଦେଉଛନ୍ତି ଓ ସେଲ୍ଫି ଉଠାଉଛନ୍ତି। ଏପରିକି ଗ୍ରୁପ୍ ଫଟୋ ମଧ୍ୟ ଉଠାଇବାକୁ ପଛାଉନାହାନ୍ତି।
