ଟେଷ୍ଟ ଅଧିନାୟକ ପଦ ଛାଡ଼ିଲେ କୋହଲି
India's captain Virat Kohli speaks after South Africa won the third Test cricket match between South Africa and India at Newlands stadium in Cape Town on January 14, 2022. (Photo by RODGER BOSCH / AFP)
ନୂଆଦିଲ୍ଲୀ : ଟେଷ୍ଟ ଅଧିନାୟକ ପଦ ଛାଡିଲେ ବିରାଟ କୋହଲି । ଭାରତୀୟ ଦଳର ଟେଷ୍ଟ ଫର୍ମାଟ ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି କୋହଲି । ଏ ନେଇ ବିରାଟ କୋହଲି ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ପୂର୍ବରୁ ଟି-୨୦ ଫର୍ମାଟରୁ ମଧ୍ୟ ସେ ନିଜ ଆଡୁ ଇସ୍ତଫା ଦେଇଥିଲେ । ପରେ ଦିନିକିଆ ଅଧିନାୟକ ପଦରୁ କୋହଲିଙ୍କୁ ବିଦା କରିଥିଲା ବିସିସିଆଇ । ଏହାକୁ ନେଇ ଅନେକ ଆଲୋଚନା ପର୍ଯ୍ୟାଲୋଚନା ମଧ୍ୟ ହୋଇଥିଲା । ତେବେ ଶନିବାର ସମସ୍ତଙ୍କୁ ଝଟ୍କା ଦେଇଛନ୍ତି କୋହଲି । ଟ୍ୱିଟ୍ କରି ନିଜ ଆଡୁ ଟେଷ୍ଟ ଫର୍ମାଟର ଅଧିନାୟକ ପଦ ଛାଡିଛନ୍ତି । ଦକ୍ଷିଣ ଆଫ୍ରିକାରେ ଭାରତର ଟେଷ୍ଟ ସିରିଜ୍ ପରାଜୟ ପରେ ଟେଷ୍ଟ ଅଧିନାୟକ ପଦ ଛାଡିଛନ୍ତି କୋହଲି ।
ଟ୍ୱିଟ୍ କରି କୋହଲି କହିଛନ୍ତି, ‘ଗତ ୭ ବର୍ଷ ଧରି ଦଳକୁ ଆଗକୁ ନେବା ପାଇଁ ଅନବରତ ଭାବେ ଦଳକୁ ଆଗକୁ ନେବାକୁ ପ୍ରୟାସ କରିଥିଲି । ଏହି ସମୟ ମଧ୍ୟରେ ସଚ୍ଚୋଟତାର କାମ କରିଛି । ସବୁ ଜିନିଷର ଶେଷ ଥାଏ ଆଉ ଆଜି ମୋ ପାଇଁ ଭାରତୀୟ କ୍ରିକେଟ ଟିମ୍ର ଟେଷ୍ଟ ଅଧିନାୟକ । ଦଳ ପାଇଁ ସବୁବେଳେ ମୋର ଶତ ପ୍ରତିଶତ ଦେଇଛି ।’ କୋହଲି କହିଛନ୍ତି, ‘ବିସିସିଆଇ ମୋ ଉପରେ ଆସ୍ଥା ପ୍ରକଟ କରି ଏତେ ବର୍ଷ ଧରି ଦାୟିତ୍ୱ ଦେଇଥିବାରୁ କୃତଜ୍ଞତା ଜ୍ଞାପନ କରୁଛି । ଲମ୍ବା ସହମ ଧରି ଦଳକୁ ଆଗେଇ ନେବା ପାଇଁ ବିସିସିଆଇ ସହଯୋଗ କରିଛି । ଦାୟିତ୍ୱ ଗ୍ରହଣ କରିବାର ପ୍ରଥମ ଦିନରୁ ହିଁ ମୁଁ ମୋର କର୍ତବ୍ୟ ନିର୍ବାହନ କରିଆସିଛି । ଏଥିରେ ଭରପୁର ସହଯୋଗ କରିଛନ୍ତି ମୋର ସାଥୀ ଖେଳାଳିମାନେ ।’ ସାଥୀ ଖେଳାଳିଙ୍କୁ ପ୍ରଶଂସା କରି କୋହଲି କହିଛନ୍ତି, ‘ସମସ୍ତ ପ୍ରକାର ପରିସ୍ଥିତିରେ ଦଳର ସମସ୍ତ ଖେଳାଳି ମୋତେ ସହଯୋଗ କରିଛନ୍ତି । ଲମ୍ବା ସମୟ ଧରି ଭାରତୀୟ ଦଳର ଅଧିନାୟକତ୍ୱ ମଧ୍ୟରେ ଅନେକ କିଛି ଶିଖିବାକୁ ମିଳିଛି । ସାଥୀ ଖେଳାଳିଙ୍କୁ ଶିଖାଇବାର ସୁଯୋଗ ପାଇଛି । ଏହା ସହିତ ଏହି ଟ୍ୱିଟ୍ରେ ବିରାଟ ପୂର୍ବତନ କୋଚ୍ ରବି ଶାସ୍ତ୍ରୀ ତଥା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ଧନ୍ୟବାଦ ଦେଇଛନ୍ତି । ତାଙ୍କ ଭିତରେ ନେତୃତ୍ୱ ନେବାର ଗୁଣ ରହିଛି ବୋଲି ମହେନ୍ଦ୍ର ସିଂହ ଧୋନି ସବୁ ବେଳେ ବିଶ୍ୱାସ କରୁଥିବାରୁ ବିରାଟ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ ଭାରତୀୟ କ୍ରିକେଟ୍ ଟିମ୍କୁ ଆଗେଇ ନେବେ ବୋଲି ଧୋନି ସବୁବେଳେ ବିଶ୍ୱାସ କରୁଥିବା ବିରାଟ ଏଥିରେ ଉଲ୍ଲେଖ କରିଛନ୍ତି । ବିରାଟ କୋହଲି ଟେଷ୍ଟ ଅଧିନାୟକ ପଦ ଛାଡ଼ିବା ପରେ ବିସିସିଆଇ ଟ୍ୱିଟ୍ କରି ତାଙ୍କ ନେତୃତ୍ୱର ପ୍ରଶଂସା କରିଛି । ୨୦୧୪ ମସିହାରେ ବିରାଟ କୋହଲି ଭାରତୀୟ ଟିମ୍ର ଟେଷ୍ଟ ଅଧିନାୟକ ଭାବେ ଦାୟିତ୍ୱ ନେଇଥିଲେ । ସେ ମହେନ୍ଦ୍ର ସିଂହ ଧୋନିଙ୍କ ଠାରୁ ଏହି ଦାୟିତ୍ୱ ନେଇଥିଲେ । ତାଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ୬୮ଟି ଟେଷ୍ଟ୍ ମ୍ୟାଚ୍ ଖେଳିଥିବା ବେଳେ ୪୦ଟିରେ ବିଜୟ ହାସଲ କରିଛି । ଗତ ବର୍ଷ ଡିସେମ୍ବରରେ ବିରାଟଙ୍କୁ ଟିମ୍ ଇଣ୍ଡିଆର ଦିନିକିଆ ଅଧିନାୟକ ଦାୟିତ୍ୱରୁ ମୁକ୍ତ କରାଯାଇଥିଲା ।
ସୂଚନାଯୋଗ୍ୟ, ଏମ୍ଏସ୍ ଧୋନୀ ଟେଷ୍ଟ ଅଧିନାୟକ ପଦ ଛାଡିବା ପରେ ୩୩ ବର୍ଷୀୟ କୋହଲି ୨୦୧୪ ମସିହାରେ ଅଧିନାୟକ ଭାରତ ଗ୍ରହଣ କରିଥିଲେ । ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତୀୟ ଦଳ ୬୮ଟି ଟେଷ୍ଟ ମ୍ୟାଚ୍ ଖେଳିଥିବା ବେଳେ ୪୦ଟି ମ୍ୟାଚ୍ରେ ଦଳ ବିଜୟୀ ହୋଇଛି । ସେହିଭଳି ୧୭ଟିରେ ଦଳ ପରାଜିତ ହୋଇଥିବା ବେଳେ ୧୧ଟି ମ୍ୟାଚ୍ ଡ୍ର’ ରହିଛି । ଭାରତ ପକ୍ଷରୁ କୋହଲି ମୋଟ ୯୯ଟି ଟେଷ୍ଟ ମ୍ୟାଚ୍ ଖେଳିଥିବା ବେଳେ ୭୯୬୨ ରନ କରିଛନ୍ତି । ଯେଉଁଥିରେ ୨୭ଟି ଶତକ ଏବଂ ୨୮ଟି ଅର୍ଦ୍ଧଶତକ ସାମିଲ ଅଛି ।
